Odia News Portal

ସମ୍ବିତ ପାତ୍ର ନିଜର ପଦମର୍ଯ୍ୟାଦା ରକ୍ଷା କରନ୍ତୁ: ଯୁବ କଂଗ୍ରେସ

ପୁରୀ ସାଂସଦ ସମ୍ବିତ ପାତ୍ରଙ୍କର ଜିଭ ଉପରେ ନିୟନ୍ତ୍ରଣ ନାହିଁ। ନିଜକୁ ଚର୍ଚ୍ଚା ଭିତରକୁ ଆଣିବାପାଇଁ ସେ ଅନେକ ଥର ଅନେକ ଅରୁଚିକର ମନ୍ତବ୍ୟ ଦେଇ ସାଧାରଣରେ ନିନ୍ଦିତ ହୋଇଛନ୍ତି। ବାରମ୍ବାର ନିନ୍ଦିତ ହେବା ସତ୍ତ୍ବେ ସମ୍ବିତ ପାତ୍ର ନିଜର ପ୍ରବୃତ୍ତି ବଦଳାଉନାହାନ୍ତି ବୋଲି ପ୍ରଦେଶ ଯୁବ କଂଗ୍ରେସ ସଭାପତି ରଣଜିତ ପାତ୍ର କହିଛନ୍ତି। ଆଜି କଳିଙ୍ଗବିହାର କେ-୫ସ୍ଥିତ ପୁରୀ ସାଂସଦ ସମ୍ବିତ ପାତ୍ରଙ୍କ ବାସଭବନ ନିକଟରେ ଯୁବ କଂଗ୍ରେସର ଶତାଧିକ କର୍ମକର୍ତ୍ତା ବିକ୍ଷୋଭ ପ୍ରଦର୍ଶନ କରିଛି।
ଯୁବକଂଗ୍ରେସ କହିଛି, ରାହୁଲ ଗାନ୍ଧୀଙ୍କ ବିରୋଧରେ ସାଂସଦ ଶ୍ରୀ ପାତ୍ର ଯେଉଁ ଅପମାନସୂଚକ ମନ୍ତବ୍ୟ ଦେଇଛନ୍ତି ତାହା ଦୁର୍ଭାଗ୍ୟଜନକ। ଦେଶପାଇଁ ଯେଉଁ ଗାନ୍ଧୀ ପରିବାର ସମର୍ପିତ, ସେହି ଗାନ୍ଧୀ ପରିବାରର ଦାୟାଦ ହେଉଛନ୍ତି ରାହୁଲ ଗାନ୍ଧୀ। ଭାରତର ଅଖଣ୍ଡତା ଓ ସୁରକ୍ଷା ପାଇଁ ସର୍ବଦା ସେ ଜାଗ୍ରତ ପ୍ରହରୀ ଭାବେ କାର୍ଯ୍ୟରତ। ତାଙ୍କୁ ଚୀନ୍ ଆଉ ପାକିସ୍ତାନଠାରୁ ଅର୍ଥ ନେବା ଓ ଦେଶଦ୍ରୋହୀ କହିବା ଦୁର୍ଭାଗ୍ୟଜନକ। ଏହାକୁ ସାଧାରଣରେ ପାଗଳର ପ୍ରଳାପ ବୋଲି କୁହାଯାଇପାରେ।
ଏନେଇ ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଭୁବନେଶ୍ୱର କଂଗ୍ରେସ ଲୋକସଭା ପ୍ରାର୍ଥୀ ସୟଦ ୟାସିର ନଵାଜ କହିଛନ୍ତି, ମୋଦୀ ସରକାର ବହୁ ଚୀନ୍‌ କମ୍ପାନିଙ୍କୁ ସିକ୍ୟୁରିଟି କ୍ଲିୟରାନ୍ସ ଦେଇଛନ୍ତି। ତେବେ ଚୀନ୍‌ ସମ୍ପର୍କରେ ମୋଦୀ ରହିଛନ୍ତି ନା ରାହୁଲ ଗାନ୍ଧୀ ରହିଛନ୍ତି ଏହା ଜଣାପଡ଼ିଯାଉଛି। ଦେଶର ବିରୋଧୀ ଦଳର ନେତାଙ୍କ ପ୍ରତି ଜଣେ ସାଂସଦ ଏଭଳି ମନ୍ତବ୍ୟ ଦେବା ଗଣତନ୍ତ୍ର ପ୍ରତି ଶୁଭଙ୍କର ନୁହେଁ ବୋଲି ସେ କହିଛନ୍ତି। ଏଣୁ ସମ୍ବିତ ପାତ୍ରଙ୍କ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି। ସେହପରି ଯୁବ କଂଗ୍ରେସ କର୍ମୀଙ୍କ ଉପରେ ହୋଇଥିବା ମିଥ୍ୟା ମକଦ୍ଦମା ନ ଉଠାଗଲେ ଯୁବ କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇବ ବୋଲି କୁହାଯାଇଛି। ସାମ୍ବାଦିକ ସମ୍ମିଳନୀରେ ସୁଦୀପ ସାମଲ, ଆଲୋକ ଦାସ, ମହମ୍ମଦ ପରଭେଜ୍‌ ଉପସ୍ଥିତ ଥିଲେ। ବିକ୍ଷୋଭ ସମୟରେ ପରିସ୍ଥିତି ନିୟନ୍ତ୍ରଣ କରିବା ଲାଗି ୨ ପ୍ଲାଟୁନ୍‌ ପୁଲିସ ନିୟୋଜିତ ହୋଇଥିଲେ।