ରଥ ନିର୍ମାଣର ୧୭ତମ ଦିନ ସୁଦ୍ଧା ମୋଟ ୧୮ଟି ଚକ ନିର୍ମାଣ ଶେଷ ହୋଇଛି। ଗତକାଲି ସୁଦ୍ଧା ୧୬ଟି ନିର୍ମାଣ ସମ୍ପନ୍ନ ହୋଇଥିଲା। ଏଥିସହ ତିନି ରଥର ୧୧ଟି ଲେଖାଏଁ ସାଲ ଗୁଜ, ୨୪ଟି ତିଖ ଗୁଜ, ୯ଟି ଲେଖାଏଁ ୨୭ଟି ଜଳ ଯନ୍ତ୍ର, ୩୨ଟି କୁଡ଼ୁକା, ୧୨ଟି ଓରା ଏବଂ ୪ଟି ଲେଖାଏଁ ପ୍ରଥମ ଭୂଇଁ ଖମ୍ୱୀ ନିର୍ମାଣ ଶେଷ ହୋଇଛି। ଅପରାହ୍ଣରେ ରଥ ଅମିନ ତିନି ରଥର ଆଗ ଆଣି, ପଛ ଆଣି ମୁହାଁଟ ଏବଂ ଭୂଇଁ ଚଉତା ନିର୍ମାଣ ପାଇଁ ତିନି ରଥଚାଳିକୁ ୪ଟି ଲେଖାଏଁ ୨୦ ଫୁଟିଆ ଧଉରା ଓ ସାହାଜ କାଠ ଯୋଗାଇଛନ୍ତି। ତିନିରଥ ଭୋଇ ସେବକଙ୍କ ସହାୟତାରେ ଏହା ଯୋଗାଇ ଦେବା ପରେ ତିନିରଥ ମହାରଣା ସେବକମାନେ ଦୁଇଟି ଲେଖାଏଁ ମୁହାଁଟ ଓ ଭୂଇଁ ଚଉତା କାଠର ଚଉପଟ କାର୍ଯ୍ୟ ଆରମ୍ଭ କରିଛନ୍ତି। ଭୋଇ ସେବକମାନେ ଯନ୍ତାଗାଡ଼ଠାରେ ତିନି ରଥର ଗୋଟିଏ ଗୋଟିଏ ତୁମ୍ବରେ ଅର ସଂଯୋଗପୂର୍ବକ ସିଙ୍ଗଡ଼ାବାଡ଼ିଆ କାର୍ଯ୍ୟ ଶେଷ କରି ତିନି ରଥ ଚାଳିକୁ ଯୋଗାଇ ଦେଇଛନ୍ତି। ଆସନ୍ତାକାଲି ତିନି ରଥ ମହାରଣା ସେବକମାନେ ତୁମ୍ବ ସିଙ୍ଗଡ଼ା ଉପରେ ପଇ ରଖି ମାପଚିହ୍ନ ଦେବେ। ପଇ ସଂଯୋଗ ପୂର୍ବରୁ ଅର ମୁଖ ସାଲ କାର୍ଯ୍ୟ ସହ ତୁମ୍ବରେ ଅଖ ବିନ୍ଧ ବା ଅଗର ବିନ୍ଧକାର୍ଯ୍ୟ ତୁମ୍ବ ବିନ୍ଧ କାରିଗରଙ୍କ ଦ୍ୱାରା ସମ୍ପନ୍ନ ହେବ। ରୂପକାର ସେବକମାନେ ତିନି ରଥର ୧୧ଟି ଲେଖାଏଁ ସାଲଗୁଜରେ ନୃସିଂହ ରୂପ ଖୋଦେଇ ଜାରି ରଖିଛନ୍ତି। ଦୋଳବେଦୀ ଅସ୍ଥାୟୀ କମାରଶାଳରେ ଓଝା କମାର ସେବକ ତିନି ରଥର ବାକି ଚକ ନିର୍ମାଣ ପାଇଁ ଆବଶ୍ୟକ ପନ୍ଦାରି, ତୁମ୍ବ ବଳା, ଅର କଣ୍ଟା, ପନ୍ଦାରି ଚାବି ନିର୍ମାଣ ଜାରି ରଖିଛନ୍ତି।
ରଥ ଭାର ଗୁମର
ସମଗ୍ର ରଥର ଭାର ଅଖ ମାଧ୍ୟମରେ ସମସ୍ତ ଚକଗୁଡ଼ିକର ତୁମ୍ବ ଉପରେ ପଡ଼ିଥାଏ। ଚକଗୁଡ଼ିକ ଭାର ବହନକାରୀ ବିନ୍ଦୁରେ ପରିଣତ ହୋଇଥାଏ। ତୁମ୍ବରେ ଅଖ ପ୍ରବେଶ ପାଇଁ ହୋଇଥିବା ବିନ୍ଧର ଭିତର ବ୍ୟାସ ଅପେକ୍ଷା ବାହାର ବ୍ୟାସ ସାମାନ୍ୟ ଛୋଟ ଥାଏ। ସେହି ଅନୁସାରେ ଅଖର ଚୁଡ଼ିଗୁଡ଼ିକର ଅଗ ଅପେକ୍ଷା ମୂଳ ସାମାନ୍ୟ ମୋଟା ହେବା ସହ ପନ୍ଦାରି ମଧ୍ୟ ସେଇ ଅନୁସାରେ ସାମାନ୍ୟ ବଡ଼-ସାନ ହୋଇଥାଏ। ଏହି ବ୍ୟବସ୍ଥା ରଥର ଭାରକୁ ସନ୍ତୁଳିତ କରିବା ସହ ରଥ ମୋଡ଼ ନେବା ବେଳେ ମଧ୍ୟ ସହାୟକ ହୋଇଥାଏ। ଦେବୀ ପ୍ରସନ୍ନ ନନ୍ଦଙ୍କ ରଚିତ ‘ଶ୍ରୀମନ୍ଦିରରେ ଶିଳ୍ପସେବା’ ପୁସ୍ତକର ଆଲେଖ ମୁତାବକ, ରଥର ନିମ୍ନ ଭାଗ ଅର୍ଥାତ ଚକଠାରୁ ଗୟଳ ମଧ୍ୟରେ ବୃହଦାକାର ଗୁରୁ କାଠମାନ ବ୍ୟବହୃତ ହୋଇଥାଏ। ଏହା ଦ୍ବାରା ରଥର ମୂଳଦୁଆ ମଜଭୁତ ଓ ସ୍ଥିର ରହିଥାଏ। ଉପରି ଭାଗରେ ଅପେକ୍ଷାକୃତ କମ୍ ପରିମାଣର ହାଲ୍କା କାଠ ଲାଗିଥାଏ। ତେର ପରସ୍ତ ପଟଳ ଉପରେ ରହିଲେ ମଧ୍ୟ ଏହା ହାଲ୍କା ଶିମିଳି ଓ ମହିକାଠରେ ନିର୍ମିତ ହୋଇଥାଏ। ପୋଖରିଆର ମଧ୍ୟଭାଗରେ ଚାରି ନାହାକା ଓ ଚଉଦନାହାକା ଖଞ୍ଜା ଯାଇ ଚାରିପଟେ ପ୍ରଶସ୍ତ ଭିତ୍ତିଭୂମିର ଭାର ସନ୍ତୁଳନ ସହ ରଥକୁ ସ୍ଥିର ଓ ଦୃଢ଼ ରଖିବାରେ ସାହାଯ୍ୟ କରିଥାଏ।