Odia News Portal

ସିକ୍କିମ୍ ଦୁର୍ଘଟଣାରେ ଉଦ୍ଧାର ହୋଇଛି ୪ ମୃତଦେହ,  ଡିଏନଏ ଟେଷ୍ଟ ପରେ ଜଣାପଡ଼ିବ ପରିଚୟ

ସିକ୍ମିମର ତିସ୍ତା ନଦୀକୁ ବସ୍‌ ଖସି ବିଜେପି ନେତ୍ରୀ ଇତିଶ୍ରୀ ଜେନାଙ୍କ ସହ ୪ ଜଣ ନିଖୋଜ ଘଟଣାରେ ମିଳିଛି ୪ ଜଣଙ୍କ ମୃତଦେହ । କିନ୍ତୁ ମୃତଦେହ ଗୁଡ଼ିକ ନଷ୍ଟ ହୋଇଯାଇଥିବାରୁ ସେଗୁଡ଼ିକୁ ଚିହ୍ନିବା କଷ୍ଟକର ହେଉଛି । ଡିଏନଏ ଟେଷ୍ଟ ପରେ ମୃତଦେହ ଚିହ୍ନଟ ହୋଇପାରିବ ବୋଲି କୁହାଯାଇଛି । 

୩ ଦିନ ତଳେ ଜଲପାଇଗୁଡ଼ି ଓ ସିଲିଗୁଡ଼ି ଅଞ୍ଚଳରୁ ୪ଟି ମୃତଦେହ ଉଦ୍ଧାର କରାଯାଇଥିଲା । କିନ୍ତୁ ମୃତଦେହକୁ ଚିହ୍ନଟ କରିପାରିନାହାନ୍ତି ଇତିଶ୍ରୀଙ୍କ ସମ୍ପର୍କୀୟ । ମୃତଦେହ ମଧ୍ୟରେ ୩ ପୁରୁଷ ଓ  ଜଣେ ମହିଳା ଥିବା ଜଣାପଡ଼ିଛି । ଜଲପାଇଗୁଡ଼ି ମେଡିକାଲରେ ୩ଟି ଓ ସିଲଗୁଡ଼ି ମେଡିକାଲରେ ଗୋଟିଏ ମୃତଦେହ ରଖାଯାଇଛି । ମୃତଦେହ ଗୁଡିକ ଚିହ୍ନଟ ହୋଇନପାରିବାରୁ ସେଗୁଡ଼ିକର ଡିଏନଏ ଟେଷ୍ଟ କରାଯିବ ବୋଲି ଇତିଶ୍ରୀଙ୍କ ସମ୍ପର୍କୀୟ ସୂଚନା ଦେଇଛନ୍ତି । 

ଅନ୍ୟପଟେ ଗ୍ୟାଙ୍ଗଟକ୍ ମେଡିକାଲରେ ଚିକିତ୍ସିତ ହେଉଥିବା ଇତିଶ୍ରୀଙ୍କ ପୁଅ ଓ ପୁତୁରାଙ୍କ ସ୍ୱାସ୍ଥ୍ୟାବସ୍ଥା ଧୀରେ ଧୀରେ ସୁଧୁରିବାରେ ଲାଗିଛି । ଉନ୍ନତ ଚିକିତ୍ସା ପାଇଁ ସେମାନଙ୍କୁ ଭୁବନେଶ୍ବର ଆଣିବାକୁ ସର୍ମ୍ପକୀୟମାନେ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ।   ତେବେ ଇତିଶ୍ରୀ ତାଙ୍କ ପରିବାର ସହ ସିକ୍କିମ୍ ବୁଲିବାକୁ ଯାଇଥିବାବେଳେ ତାଙ୍କ ଗାଡ଼ି ପାହାଡ଼ ଉପରୁ ତିସ୍ତା ନଦୀକୁ ଖସିପଡ଼ିଥିଲା । ଇତିଶ୍ରୀଙ୍କ ପୁଅ ଓ ପୁତୁରା ବର୍ତ୍ତିଯାଇଥିବାବେଳେ ଇତିଶ୍ରୀ ଓ ଅନ୍ୟମାନଙ୍କୁ ପତ୍ତା ମିଳିନଥିଲା ।