ସୁସ୍ଥ ହୋଇ ଫେରିଲେ ନବୀନ: ନବୀନଙ୍କ ସହ କଥା ହେଲେ ମୋଦୀ, ଖଡ୍ଗେ By Swadhikar News Last updated Aug 21, 2025 ଡିହାଇଡ୍ରେସନ୍ ଯୋଗୁ ଗତ ୪ଦିନ ହେଲା ହସ୍ପିଟାଲରେ ଚିକିତ୍ସାଧୀନ ଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଆଜି ସୁସ୍ଥ ହୋଇ ନବୀନ ନିବାସ ଫେରିଛନ୍ତି। ଗତକାଲି ରାତିରେ ଡାକ୍ତରୀ ଦଳ ନବୀନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ ସେ ସଂପୂର୍ଣ୍ଣ ସୁସ୍ଥ ହୋଇଥିବାରୁ ହସ୍ପିଟାଲରୁ ଡିସଚାର୍ଜ କରିଛନ୍ତି। ହସ୍ପିଟାଲରୁ ଘରକୁ ଫେରିବାବେଳେ ନବୀନ ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି, ତାଙ୍କ ଆଶୁ ଆରୋଗ୍ୟ ପାଇଁ ରାଜ୍ୟବାସୀ ପ୍ରାର୍ଥନା କରିଥିବାରୁ ଏବଂ ହସ୍ପିଟାଲ କର୍ତ୍ତୃପକ୍ଷ ତାଙ୍କର ଭଲ ଯତ୍ନ ନେଇଥିବାରୁ ଧନ୍ୟବାଦ ଜଣାଉଛି। ସେହିପରି ନବୀନ ଅସୁସ୍ଥ ଥିବା ଜାଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜ୍ଜୁନ ଖଡ୍ଗେ ତାଙ୍କ ସହ ଫୋନ୍ରେ କଥା ହୋଇଛନ୍ତି। ଦୁହେଁ ନବୀନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ପୂର୍ବାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫୋନ୍ରେ ନବୀନଙ୍କ ସହ କଥା ହୋଇଥିଲେ। ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା ସହ ଦ୍ରୁତ ଆରୋଗ୍ୟ କାମନା କରିଥିଲେ। ଏହାସହ ମୋଦୀ ନବୀନଙ୍କୁ କହିଛନ୍ତି ଯେ କିଛିଦିନ ବିଶ୍ରାମ ନେଇ ଶୀଘ୍ର ଦିଲ୍ଲୀ ଆସିଲେ ଭେଟ ହେବା। ଆଜି ସଂଧ୍ୟାରେ ଶ୍ରୀ ଖଡ୍ଗେ ନବୀନଙ୍କ ସହ ଫୋନ୍ରେ କଥା ହୋଇ ତାଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ପଚାରି ବୁଝିବା ସହ ଦ୍ରୁତ ଆରୋଗ୍ୟ କାମନା କରିଥିଲେ। ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ର ପୂର୍ବତନ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ମଧ୍ୟ ଫୋନ୍ରେ ନବୀନଙ୍କ ସହ କଥା ହୋଇ ଆଶୁ ଆରୋଗ୍ୟ କାମନା କରିଛନ୍ତି। ଅପରପକ୍ଷେ ଆଜି ଗୋଟିଏ ଦିନରେ ମୋଦୀ ଓ ଖଡ୍ଗେ ନବୀନଙ୍କ ସହ କଥା ହେବା ପଛରେ ରାଜନୈତିକ ଉଦ୍ଦେଶ୍ୟ ଅଛି ବୋଲି ଚର୍ଚ୍ଚା ହେଉଛି। କାରଣ ଏବେ ଉଭୟ ଏନ୍ଡିଏ ଓ ଇଣ୍ଡି ମେଣ୍ଟ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବାବେଳେ ବିଜେପି ଓ କଂଗ୍ରେସର ଶୀର୍ଷ ନେତୃତ୍ବ ବିଭିନ୍ନ ରାଜନୈତିକ ଦଳ ସହ କଥା ହୋଇ ପ୍ରାର୍ଥୀଙ୍କ ପାଇଁ ସମର୍ଥନ ଲୋଡ଼ୁଛନ୍ତି। ବିେଜଡି ଏବେ ସୁଦ୍ଧା କେଉଁ ପ୍ରାର୍ଥୀଙ୍କୁ ସମର୍ଥନ ଦେବ ସ୍ପଷ୍ଟ କରିନଥିବାରୁ ଦୁଇ ଦଳ ଏବେ ବିଜେଡିର ସମର୍ଥନ ପାଇଁ ନବୀନଙ୍କ ସହ କଥା ହୋଇଥିବା କୁହାଯାଉଛି। ସେହିପରି ନବୀନ ଅସୁସ୍ଥ ହୋଇଥିବା ଜାଣି ତାଙ୍କୁ ଦେଖା କରିବାକୁ ପୂର୍ବରୁ ହସ୍ପିଟାଲ ଯାଇଥିବା ପିସିସି ସଭାପତି ଭକ୍ତ ଚରଣ ଦାସ, ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଏବଂ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କୁ ଗତକାଲି ନବୀନ ନିଜେ ସଂଧ୍ୟାରେ ଫୋନ୍ କରି ଧନ୍ୟବାଦ ଜଣାଇଛନ୍ତି। swadhikarswadhikar news Share