ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ପ୍ରାଚୀନ ଦ୍ୱାରା ତିନିଦିନବ୍ୟାପୀ ଆୟୋଜିତ ଦ୍ୱିତୀୟ ସୋଆ ସାହିତ୍ୟ ଉତ୍ସବ-୨୦୨୩ ରବିବାର ଉଦ୍ଯାପିତ ହେବ । ଏହି ଉଦ୍ଯାପନୀ ଉତ୍ସବରେ କଳା ଓ ସାହିତ୍ୟ ସହିତ ସମ୍ପୃକ୍ତ ଓଡ଼ିଶାର ୧୧ ଜଣ ବିଶିଷ୍ଟ ସାହିତ୍ୟ ମହାରଥୀଙ୍କୁ ‘ସୋଆ ସାହିତ୍ୟ ସମ୍ମାନ-୨୦୨୩’ରେ ସମ୍ମାନିତ କରାଯିବ । ପ୍ରତ୍ୟେକ ସାହିତ୍ୟିକଙ୍କୁ ୧ ଲକ୍ଷ ଟଙ୍କାର ଅର୍ଥରାଶି ସହ ଦେବୀ ସରସ୍ୱତୀଙ୍କ ପ୍ରତିକୃତି ପ୍ରଦାନ କରାଯିବ ବୋଲି ପ୍ରାଚୀନର ମୁଖ୍ୟ ଡ. ଗାୟତ୍ରୀବାଳା ପଣ୍ଡା ସୂଚନା ଦେଇଛନ୍ତି ।
ସମ୍ମାନିତ ହେବାକୁ ଥିବା ପ୍ରତିଭାମାନଙ୍କ ମଧ୍ୟରେ ଓଡ଼ିଶାର ପ୍ରତିଷ୍ଠିତ କାହାଣୀକାର ଅଚ୍ୟୁତାନନ୍ଦ ପତି, ଗାଳ୍ପିକ, ବିଶିଷ୍ଟ ଔପନ୍ୟାସିକ ଓ ସମ୍ପାଦକ ଡ. ସାତକଡ଼ି ହୋତା, ପ୍ରସିଦ୍ଧ ଭାଷାବିତ୍ ପଦ୍ମଶ୍ରୀ ଡ. ଦେବୀ ପ୍ରସନ୍ନ ପଟ୍ଟନାୟକ, ବିଶିଷ୍ଟ ଔପନ୍ୟାସିକ ଓ ଗାଳ୍ପିକ ଶାନ୍ତନୁ କୁମାର ଆଚାର୍ୟ୍ୟ, ପ୍ରଖ୍ୟାତ କବି ଓ କଥାକାର ପଦ୍ମଭୂଷଣ ରମାକାନ୍ତ ରଥ, ବରିଷ୍ଠ ଅନୁବାଦକ ଓ କବି ପଦ୍ମଶ୍ରୀ ଡ. ଶ୍ରୀନିବାସ ଉଦ୍ଗାତା, ପ୍ରଥିତଯଶା କବି, ଗାଳ୍ପିକ, ନାଟ୍ୟକାର ଓ କଳାକାର ଡ. ଜଗନ୍ନାଥ ପ୍ରସାଦ ଦାସ, ବରିଷ୍ଠ ସାହିତ୍ୟ ସମାଲୋଚକ ଓ ପ୍ରାବନ୍ଧିକ ପ୍ରଫେସର ଦାଶରଥୀ ଦାସ, ବିଶିଷ୍ଟ ନାଟ୍ୟବିତ୍, ନିର୍ଦ୍ଦେଶକ ଓ ଅଭିନେତା ଡ. ଅନନ୍ତ ମହାପାତ୍ର, ପ୍ରଖ୍ୟାତ କବି, ସାହିତ୍ୟ ସମାଲୋଚକ ଓ ଅନୁବାଦକ ପଦ୍ମବିଭୂଷଣ ଜ୍ଞାନପୀଠ ବିଜେତା ଡ. ସୀତାକାନ୍ତ ମହାପାତ୍ର ଏବଂ ପରିଚିତ ଔପନ୍ୟାସିକ, ଗାଳ୍ପିକ ଓ ସ୍ତମ୍ଭକାର ଡ. ବିଭୂତି ପଟ୍ଟନାୟକ ରହିଛନ୍ତି । ଏମାନଙ୍କ ମଧ୍ୟରେ ଅନେକ ମର୍ୟ୍ୟାଦାସମ୍ପନ୍ନ ପଦ୍ମ ସମ୍ମାନରେ ପୁରସ୍କୃତ ପ୍ରତିଭା ଏବଂ ସମସ୍ତେ ଜ୍ଞାନୀଗୁଣି ଓ ଅନନ୍ୟ ପ୍ରତିଭାର ଅଧିକାରୀ । ଏହି ଉଦ୍ଯାପନୀ ଉତ୍ସବରେ କେନ୍ଦ୍ର ସାହିତ୍ୟ ଏକାଡେମୀର ଉପ ସଭାପତି କୁମୁଦ ଶର୍ମାଙ୍କ ଅଧ୍ୟକ୍ଷତାରେ ପ୍ରସିଦ୍ଧ ପଞ୍ଜାବୀ ସାହିତ୍ୟିକ ସୁରଜିତ ପତର ମୁଖ୍ୟ ଅତିଥି ଭାବେ ଯୋଗଦେବେ ।