ଆରମ୍ଭ ହେଲା ଚାରି ଠାକୁରଙ୍କ ମହାସ୍ନାନ ନୀତି । ସୁନା କୂଅରୁ ଗରା ଗରା ପାଣି ଆଣି ମହାପ୍ରଭୁଙ୍କୁ ସ୍ନାନ କରାଉଛନ୍ତି ସେବାୟତ । ପୂଜାପଣ୍ଡା ସାମନ୍ତ ଠାକୁରଙ୍କ ମସ୍ତକରେ ପ୍ରଥମେ ସୁବାସିତ ଜଳ ଅର୍ପଣ କରିବା ପରେ ସେବାୟତମାନେ ତାଙ୍କୁ ସ୍ନାନ କରିବା କାର୍ଯ୍ୟ ଆରମ୍ଭ କରିଥିଲେ ।
ମଙ୍ଗଳ ଆଳତୀ, ମଇଲମ, ଅବକାଶ ପରେ ଆରମ୍ଭ ହୋଇଛି ସ୍ନାନନୀତି । ମହାପ୍ରଭୁ ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭ୍ରଦ, ଦେବୀ ସୁଭଦ୍ରାଙ୍କୁ ସ୍ନାନ ମଣ୍ଡପରେ ୧୦୮ କଳସ ଜଳରେ ସ୍ନାନ କରାଯାଇଛି । ଶ୍ରୀଜଗନ୍ନାଥଙ୍କୁ ୩୫ ଗରା ଓ ବଳଭଦ୍ରଙ୍କୁ ୩୩ ଗରା ଜଳରେ ସ୍ନାନ କରାଯାଇଥିବା ବେଳେ ସୁଭଦ୍ରାଙ୍କୁ ୨୨ ଗରା ଓ ସୁଦର୍ଶନଙ୍କୁ ୧୮ ଗରା ଜଳରେ ଅଭିଷେକ କରାଯାଇଥିଲା । ଶ୍ରୀଜୀଉଙ୍କ ମହାସ୍ନାନ ପରେ ଗଜପତି ମହାରାଜ ଦିବ୍ୟସିଂହ ଦେବ ପାରମ୍ପରିକ ରମଜାନରେ ବସି ସ୍ନାନ ମଣ୍ଡପରେ ପହଞ୍ଚିବେ ଏବଂ ଛେରାପହଁରା ପରେ ବିଧି ଅନୁଯାୟୀ ଆଳତି କରିବେ । ଶ୍ରୀଜିଉମାନେ ଧାରଣ କରିବେ ଗଜାନନ ବେଶ ବା ହାତୀ ବେଶ ।
ସ୍ନାନଯାତ୍ରା ପରେ ଆଉ ରତ୍ନବେଦିକୁ ଫେରନ୍ତି ନାହିଁ ଠାକୁର । ଅତ୍ୟଧିକ ଗାଧୋଇବା ଯୋଗୁଁ ଭାଇ ଓ ଭଉଣୀଙ୍କ ସହ ଜ୍ୱରରେ ପଡ଼ିଥାନ୍ତି ଜଗନ୍ନାଥ । ଅଣସର ଘରେ ଗୁପ୍ତ ସେବା ପରେ ଜ୍ୱରରୁ ଆରୋଗ୍ୟ ଲାଭ କରିନ୍ତି ମହାପ୍ରଭୁ । ଏଥର ୧୩ ଦିନ ଧରି ଚାଲିବ ଅଣସର ନୀତି । ଭକ୍ତଙ୍କୁ ଦେଖା ଦେବା ପାଇଁ ନିଜେ ବାହାରକୁ ଆସିବେ ଭଗବାନ । ଜଗନ୍ନାଥ ସଂସ୍କୃତିରେ ବର୍ଣ୍ଣିତ ଭଗବାନଙ୍କ ଏହି ମାନବୀୟ ଲୀଳା ସମାନତାର ବାର୍ତ୍ତା ଦେଇଥାଏ ସାରା ଜଗତକୁ ।