Odia News Portal

ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀଙ୍କ ଦ୍ଵାରା ‘‘ଷ୍ଟପ୍-ଡାଇରିଆ’’ ଅଭିଯାନ ଆରମ୍ଭ

ବର୍ଷା ଋତୁରେ ଜଳବାହିତ ରୋଗ ଡାଇରିଆର ନିରାକରଣ ନିମନ୍ତେ ସାରା ରାଜ୍ୟରେ ଷ୍ଟପ ଡାଇରିଆ ଅଭିଯାନ ଆରମ୍ଭ କରାଯାଇଛି । ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ ଢେଙ୍କାନାଳ ଜିଲ୍ଲା ଭୁବନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ଆଜି ଏହି ଅଭିଯାନର ଶୁଭ ଉଦଘାଟନ୍ କରି କହିଥିଲେ ଯେ ଲୋକଙ୍କର ସ୍ଵାସ୍ଥ୍ୟ ସୁରକ୍ଷା ଉପରେ ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ଵ ଦେଉଛନ୍ତି । ଡାଇରିଆ ଏକ ବର୍ଷା ଋତୁକାଳୀନ ଜଳ ବାହିତ ରୋଗ । ଡାଇରିଆ ସ୍ଥିତି ଉପରେ ନଜର ରଖି ଆମ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ତତ୍ତ୍ଵାବଧାନରେ ରାଜ୍ୟ ସରକାର ନିରାକରଣ ଓ ପ୍ରତିଷେଧ ନିମନ୍ତେ ସମସ୍ତ ପ୍ରକାର ପଦକ୍ଷେପ ନେଉଛନ୍ତି । ଉନ୍ନତ ସ୍ୱାସ୍ଥ୍ୟସେବା, ଆନୁସଙ୍ଗିକ ଉପକରଣ, ଔଷଧ, ଭିତ୍ତିଭୂମି ସହ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରାଯାଉଛି । ଏହି ଅଭିଯାନ ଆଜି ଠାରୁ ୩୧ ଜୁଲାଇ ପର୍ଯ୍ୟନ୍ତ ଚାଲିବ ।
ଡାଇରିଆ ନିରାକରଣ ପାଇଁ ବ୍ୟାପକ ସ୍ଵାସ୍ଥ୍ୟ ସଚେତନତା ସହ ସମ୍ମିଳିତ ଉଦ୍ୟମ କରାଯାଉଛି । ହାତ ଧୋଇବା, ପରିଚ୍ଛନ୍ନତା ନିୟମ ପାଳନ କରିବା, ସୁଷମ ଖାଦ୍ୟ ଖାଇବା, ନିରାପଦ ପାଣି ପିଇବା, ଜଳ ଉତ୍ସକୁ ବିଶୋଧିତ ରଖିବା ବାହାରେ ମଳତ୍ୟାଗ ନ କରିବା ଆଦି ଅଭ୍ୟାସ ଦ୍ଵାରା ଆମେ ବହୁଭବରେ ଡାଇରିଆ ରୋଗର ପ୍ରତିରୋଧ କରିପାରିବା । ସଚେତନତା ଓ ସାବଧାନତା ମାଧ୍ୟମରେ ନିଜେ ସୁସ୍ଥ ରହିବା ସହ ଆମ ପରିବାର ଏବଂ ପଡୋଶୀ ମାନଙ୍କୁ ସୁରକ୍ଷିତ ରଖିପାରିବା ।
ଏହି ଅଭିଯାନ ମାଧ୍ୟମରେ ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର, ସ୍ଵାସ୍ଥ୍ୟ ଉପକେନ୍ଦ୍ର, କମ୍ୟୁନିଟି ସେଣ୍ଟର ଓ ଆରୋଗ୍ୟ ମନ୍ଦିରମାନଙ୍କରେ ପର୍ଯ୍ୟାପ୍ତ ପରିମାଣରେ ଓ.ଆର.ଏସ ପ୍ୟାକେଟ, ଜିଙ୍କ ଟାବଲେଟ୍ ଓ ଔଷଧ ମହଜୁଦ ରଖାଯାଇଛି । ଗ୍ରାମ ଓ ସହରାଞ୍ଚଳରେ କାର୍ଯ୍ୟରତ ସମସ୍ତ କ୍ଷେତ୍ର ସ୍ତରୀୟ ସ୍ଵାସ୍ଥ୍ୟ କର୍ମୀ, ଅଙ୍ଗନବାଡ଼ି କର୍ମୀ, ଏ.ଏନ.ଏମ, ବହୁମୁଖି ସ୍ଵାସ୍ଥ୍ୟକର୍ମୀ ମାନଙ୍କୁ ପ୍ରାରମ୍ଭିକ ଅବସ୍ଥାରୁ ଡାଇରିଆ ରୋଗର ଚିହ୍ନଟ ଓ ପରିଚାଳନା ବିଷୟରେ ତାଲିମ ଦିଆଯାଇଛି ।
ପ୍ରତି ସ୍ଵାସ୍ଥ୍ୟ କର୍ମୀମାନେ ଘରକୁ ଘର ବୁଲି ସଚେତନତା ବାର୍ତ୍ତା ସମ୍ବନ୍ଧିତ ସୂଚନାପତ୍ର ଓ.ଆର.ଏସ, ଜିଙ୍କ ଟାବଲେଟ୍ ଓ ଔଷଧ ବଣ୍ଟନ କରିବାକୁ ମନ୍ତ୍ରୀ ଡଃ ମହାଲିଙ୍ଗ ନିର୍ଦ୍ଦେଶ ଦେଇଥିଲେ । ସ୍ଵାସ୍ଥ୍ୟକର୍ମୀ ଏବଂ ଡାକ୍ତରମାନଙ୍କ ପରାମର୍ଶକୁ ଦୈନଦିନ ଜୀବନରେ ଅନୂପାଳନ କରିବା ସହ ଡାଇରିଆ ଲକ୍ଷଣ ଦେଖାଯିବା ମାତ୍ରେ ସ୍ୱାସ୍ଥ୍ୟକେନ୍ଦ୍ର ଯାଇ ଡାକ୍ତରୀ ଚିକିତ୍ସା କରିବାକୁ ସେ ଜନସାଧାରଣଙ୍କୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ମନ୍ତ୍ରୀ ମହୋଦୟ ଡାଇରିଆ ନିରାକରଣ ନିମନ୍ତେ ସମବେତ ମା’ମାନଙ୍କୁ ଓ.ଆର.ଏସ୍ ଏବଂ ଜିଙ୍କ ଟାବଲେଟ ପ୍ୟାକେଟ ବଣ୍ଟନ କରିଥିଲେ ।
ଉଦଘାଟନୀ ଉତ୍ସବରେ ଢ଼େଙ୍କାନାଳର ସାଂସଦ ଶ୍ରୀ ରୁଦ୍ର ନାରାୟଣ ପାଣି, ପରଜଙ୍ଗ ବିଧାୟକ ଶ୍ରୀ ବିଭୂତି ପ୍ରଧାନ, ହିନ୍ଦୋଳ ବିଧାୟକ ଶ୍ରୀମତୀ ସିମାରଣୀ ନାୟକ, କାମାକ୍ଷାନଗର ବିଧାୟକ ଶ୍ରୀ ଶତ୍ରୁଘ୍ନ ଜେନା, ଭୁବନ ଏନ.ଏ.ସି ଅଧ୍ୟକ୍ଷ ଶ୍ରୀ ଶୁଭେନ୍ଦୁ ସାହୁ, ଢେଙ୍କାନାଳ ଜିଲ୍ଲାପାଳ ଶ୍ରୀ ସୋମେଶ କୁମାର ଉପଧ୍ୟାୟ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସଞ୍ଜୟ ମହାପାତ୍ର ପ୍ରମୁଖ ଯୋଗ ଦେଇ ସମବେତ ଜନତାଙ୍କୁ ସ୍ଵାସ୍ଥ୍ୟ ସଚେତନତା ଏବଂ ସ୍ଵାସ୍ଥ୍ୟ ସୁରକ୍ଷା ବିଷୟରେ ଉଦବୋଧନ ଦେଇଥିଲେ । ଭୁବନ କାର୍ଯ୍ୟକ୍ରମ ପରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମହାଲିଙ୍ଗ କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟ ଯାଇ ସ୍ଥାନୀୟ ଜନ ପ୍ରତିନିଧିଙ୍କ ଉପସ୍ଥିତିରେ ଡ଼ାଇରିଆ ସ୍ଥିତିର ସମୀକ୍ଷା କରିଥିଲେ । ସମ୍ଭାବ୍ୟ ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍ଥିତି ନିୟନ୍ତ୍ରଣ, ରୋଗୀମାନଙ୍କୁ ଉନ୍ନତ ସ୍ୱାସ୍ଥ୍ୟ ସେବା ପ୍ରଦାନ, ସଚେତନତାକୁ ଗୁରୁତ୍ଵ ଦେବା ପାଇଁ ସେ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି ।

ଏହି ଅଭିଯାନ ଉପଲକ୍ଷେ ରାଜ୍ୟ ମିଳିତ ସ୍ବାସ୍ଥ୍ୟ ନିର୍ଦ୍ଦେଶାଳୟଠାରେ ବିଭାଗୀୟ ସ୍ୱତନ୍ତ୍ର ଶାସନ ସଚିବ ଡାକ୍ତର ଜିତେନ୍ଦ୍ର ବେବର୍ତ୍ତା, ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର, ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ସଂଯୁକ୍ତା ସାହୁଙ୍କ ସମେତ ସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀମାନେ ଡାଇରିଆ ସଚେତନତା ଏବଂ ଶିଶୁ ସ୍ବାସ୍ଥ୍ୟ ସୁରକ୍ଷା ସମ୍ବନ୍ଧିତ ସୂଚନା, ଶିକ୍ଷା ଓ ଜନ ଯୋଗାଯୋଗ (ଆଇ.ଇ.ସି) ପତ୍ରିକା ଓ ସୂଚନା ପତ୍ର ଗୁଡ଼ିକୁ ଉନ୍ମୋଚନ କରିଥିଲେ । ଏକ ଭିଡିଓ କନଫେରେନସିଂ ମାଧ୍ୟମରେ ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ, ଜିଲ୍ଲା ଚିକିତ୍ସା  ଅଧିକାରୀ, ଜିଲ୍ଲା ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ପରିଚାଳକ ପ୍ରମୁଖଙ୍କୁ ଷ୍ଟପ୍-ଡାଇରିଆ ଅଭିଯାନର ଲକ୍ଷ୍ୟ ଓ ପରିଚାଳନା ବିଷୟରେ ତଥ୍ୟ ସମ୍ବଳିତ ଅନୁପ୍ରେରଣା ଦିଆଯାଇଥିଲା । ୦ ରୁ ୫ ବର୍ଷ ପର୍ଯ୍ୟନ୍ତ ଶିଶୁମାନଙ୍କ ଡାଇରିଆ କ୍ଷେତ୍ରରେ କେଉଁ ପର୍ଯ୍ୟାୟରେ କେତେ ପରିମାଣର ଓ.ଆର.ଏସ, ତରଳ ପଦାର୍ଥ ଏବଂ ଜିଙ୍କ ଦିଆଯିବା ଆବଶ୍ୟକ ସେ ବିଷୟରେ ବିସ୍ତୃତ ସୂଚନା ସହ ବିଭିନ୍ନ ସ୍ବାସ୍ଥ୍ୟ ସେବା କେନ୍ଦ୍ରମାନଙ୍କରେ ଓ.ଆର.ଏସ ଏବଂ ଜିଙ୍କ କର୍ଣ୍ଣର ଖୋଲିବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଥିଲା ।