Odia News Portal

ହିଙ୍ଗୁଳା ଯାତ୍ରାରେ ଛିଡିଲା ଦୋଳି, ୪ରୁ ଅଧିକ ଆହତ

ଅନୁଗୋଳ ଜିଲା ତାଳଚେର ହିଙ୍ଗୁଳା ଯାତ୍ରାରେ ଅଘଟଣ। ଛିଡିଲା ଡ୍ରାଗନ ଦୋଳି । ଦୋଳି ଛିଡି ୪ ରୁ ଅଧିକ ଆହତ । ହିଙ୍ଗୁଳା ମା’ଙ୍କ ନବଦିନାତ୍ମକ ବାର୍ଷିକ ଯାତ୍ରା ଓ ଲୋକ ମହୋତ୍ସବ ଚାଲିଥିବା ବେଳେ ଘଟିଛି ଏହି ଅଘଟଣ। ଖବର ପାଇ ପ୍ରଶାସନ ମେଳାରେ ଥିବା ସବୁ ଦୋଳି ଚାଲିବା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛି । ଏହି ଆଧାରରେ ତାଳଚେର ଉପଜିଲ୍ଲାପାଳ ତଥା ମା’ ହିଙ୍ଗୁଳା ଟ୍ରଷ୍ଟ ବୋର୍ଡର ସଭାପତି ଆଶିଷ ରଂଜନ ସାହୁ ସବୁ ଦୋଳି ଚାଲିବାରେ ରୋକ୍‌ ଲଗାଇଛନ୍ତି ।ଆହତଙ୍କ କହିବା କଥା ‘‘ଦୋଳିରେ ପାଖାପାଖି ୧୫ ଜଣ ଖେଳୁଥିଲେ । ଯେଉଁ ବଗିଟି ଛିଡିପଡିଲା ସେଥିରେ ସେମାନେ ୪ ଜଣ ଥିଲେ । ମାତ୍ର ଗୋଟିଏ ରାଉଣ୍ଡ ବୁଲିବା ପରେ ହଠାତ ଦୋଳିଟି ଛିଡି ପଡିଥିଲା । ଆମେ ସମସ୍ତେ ତଳେ ପଡିଗଲୁ । ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ ସହାୟତାରେ ହସ୍ପିଟାଲ ଆଣିଛନ୍ତି। କାହାର ଗୋଡ଼ ତ କାହାର ହାତ ଭାଙ୍ଗିଛି’’।ଡ୍ରାଗନ ଦୋଳି ଖେଳୁଥିବା ସମୟରେ ହଠାତ ଦୋଳିଟି ମଝିରୁ ଛିଡି ଛଅ ଫୁଟ ତଳକୁ ଖସି ପଡ଼ିଥିଲା । ଫଳରେ ସେହି ବଗିରେ ବସିଥିବା ଚାରିଜଣ ଗୁରୁତର ଆହତ ହୋଇଥିଲେ । ଦୋଳିରେ ସମୁଦାୟ ୨୦ ଜଣ ରହିଥିବାବେଳେ ସେମାନେ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡିଛି । ଗୁରୁତର ଆହତଙ୍କୁ ତୁରନ୍ତ ଉଦ୍ଧାର କରି ସ୍ଥାନୀୟ ପବିତ୍ର ମୋହନ ପ୍ରଧାନ ସରକାରୀ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଗୁରୁତର ସମସ୍ତ ମହିଳା ତାଳଚେର ଓ ଜରପଡା ଅଞ୍ଚଳର ହୋଇଥିବା ଜଣାପଡିଛି । ତେବେ ଦୋଳିଟି ବହୁ ପୁରୁଣା ହୋଇଥିବା ବେଳେ ଏହାର ବିଭିନ୍ନ ଯନ୍ତ୍ରାଂଶ ସଠିକ ନଥିବାରୁ ଏଭଳି ଅଘଟଣ ଘଟିଥିବା ଦେଖିବାକୁ ମିଳିଛି । ଘଟଣା ସ୍ଥଳରେ ପୋଲିସ ପହଁଚି ଦୋଳିକୁ ଜବତ କରିବା ସହ ଅଧିକ ତଦନ୍ତ ଜାରି ରଖିଛି ।