ହୀରାକୁଦକୁ ପର୍ଯ୍ୟଟକଙ୍କ ଦୃଷ୍ଟିକୁ ଅଧିକରୁ ଅଧିକ ଆଣିବାକୁ ’ଏରାଇଭାଲ୍ ପ୍ଲାଜା ପ୍ରୋଜେକ୍ଟ’ ପାଇଁ ବିଚାର କରିଛନ୍ତି ସରକାର । ଏଥିପାଇଁ ଦୁଇଟି ପ୍ରକଳ୍ପ ପାଇଁ ଟେଣ୍ଡର ଡାକରା ହୋଇଛି ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ । ଫଳରେ ହୀରାକୁଦ ପର୍ଯ୍ୟଟକ ପାଇଁ ଅପାର ସମ୍ଭାର ଆଣିବ ବୋଲି କହିଛନ୍ତି ଜିଲ୍ଲାପାଳ ।
ହୀରାକୁଦର ପ୍ରାକୃତିକ ଶୋଭା ଅଧିକରୁ ଅଧିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ । ହୀରାକୁଦର ନୀଳ ଜଳରାଶି, ଡେବ୍ରିଗଡ଼ର ଘଞ୍ଚ ଜଙ୍ଗଲ ହେବ ଦେଶ ତଥା ବିଶ୍ବର ଅନନ୍ୟ ଟୁରିଜିମ୍ ହବ୍ ।ଏଥିପାଇଁ କାମ ଆରମ୍ଭ ହୋଇଛି । ହୀରାକୁଦ ମାଷ୍ଟର ପ୍ଲାନ୍ ସହ ଅନ୍ୟ କେତେକ ନିର୍ମାଣ ପାଇଁ ଟେଣ୍ଡର ମଧ୍ୟ ଡକରା ସରିଛି ।
ଏଠାରେ ହୋଟେଲ ସହ ରିସର୍ଟ, ନିର୍ମାଣ ପାଇଁ ବଡ଼ ବଡ଼ କମାନିଗୁଡ଼ିକୁ ଜମି ଯୋଗାଇଦେବାକୁ ଆରମ୍ଭ ହୋଇଛି ଜମି ଚିହ୍ନଟ କାମ । ବୁର୍ଲା , ଦୁର୍ଗପାଲି, ଲରଭଙ୍ଗା, ଅଞ୍ଚଳ ବୁଲି ଦେଖିଛନ୍ତି ଦାୟିତ୍ବରେ ଥିବା କମିଟି ମେମ୍ବର୍ସ । ହୀରାକୁଦ ମାଷ୍ଟର ପ୍ଲାନକୁ ସାକାର କରିବାକୁ ଉଭୟ ଜିଲ୍ଲା ପ୍ରଶାସନ ଓ ସରକାର ଲାଗିପଡ଼ିଥିବା କହିଛନ୍ତି ଜିଲ୍ଲାପାଳ । ଏରାଇଭାଲ ପ୍ଲାଜା ପ୍ରୋଜେକ୍ଟ ପାଇଁ ଏଣ୍ଟ୍ରି ଗେଟ୍, ପାର୍କିଂ ସୁବିଧା, ଫୁଡ୍ କୋର୍ଟ, ରହିବ । ଲୋକଙ୍କ ପାଇଁ ପାନୀୟ ଜଳ ସୁବିଧା ଉପଲବ୍ଧ ହେବ । ଡ୍ୟାମ୍ ମ୍ୟୁଜିୟମ୍ ପାଇଁ ଟେଣ୍ଡର କରାଯାଇଛି ।
ହୀରାକୁଦରେ ପର୍ଯ୍ୟଟକଙ୍କ ପାଇଁ ସ୍କୁବା ଡାଇଭିଂ, ପାରାଗ୍ଲାଇଡିଂ, ପାରା ସେଲିଂର ବ୍ୟବସ୍ଥା କରାଯିବ । ଖାଲି ଏତିକି ନୁହେଁ ବନ୍ୟପ୍ରାଣୀ, ଆର୍ଦଭୂମି, ଏବଂ ଜଳସମ୍ପଦରେ ପରିପୂର୍ଣ୍ଣ ସମ୍ବଲପୁର ପାଇଁ ପ୍ରସ୍ତୁତ ହେଉଥିବା ମାଷ୍ଟରପ୍ଲାନ୍ ପର୍ଯ୍ୟଟନ ପାଇଁ ଭୂସ୍ବର୍ଗ ପାଲଟିବ ବୋଲି କୁହାଯାଉଛି ।