ବୟସ ମାତ୍ର ୨୩ ବର୍ଷ । କିନ୍ତୁ ବିବାହ କଲେଣି ୨୫ ଜଣଙ୍କୁ । ଜଣଙ୍କ ପରେ ଜଣଙ୍କୁ ବିବାହ କରି ସେମାନଙ୍କ ସମ୍ପତ୍ତି ହଡପ କରୁଥିଲେ ଜଣେ ଫ୍ରଡ୍ ମହିଳା । ମାତ୍ର ୭ ମାସ ଭିତରେ ଭିନ୍ନ ଭିନ୍ନ ରାଜ୍ୟର ପୁରୁଷଙ୍କୁ ବିବାହ କରିଥିବା ଏହି ଫ୍ରଡ୍ ଅନୁରାଧାକୁ ଗିରଫ କରିଛି ରାଜସ୍ଥାନ ପୋଲିସ ।
ଏହି ମାଟ୍ରିମୋନିଆଲ ଫ୍ରଡ୍ ରାକେଟର ପର୍ଦ୍ଦାଫାସ ହୋଇଛି । ରାଜସ୍ଥାନର ସୱାଇ ମାଧୋପୁରର ବିଷ୍ଣୁ ଶର୍ମା ନାମକ ଜଣେ ବ୍ୟକ୍ତି ଗତ ମେ ୩ ତାରିଖରେ ଏନେଇ ଅଭିଯୋଗ କରିବା ପରେ ସତ ସାମ୍ନାକୁ ଆସିଛି । ଅଭିଯୋଗ ଅନୁସାରେ, ବିଷ୍ଣୁ ଦୁଇ ଜଣ ଏଜେଣ୍ଟ ସୁନୀତା ଓ ପପୁ ମୀନାଙ୍କୁ ୨ ଲକ୍ଷ ଟଙ୍କା ଦେଇଥିଲେ। ଏଜେଣ୍ଟମାନେ ତାଙ୍କୁ ବିବାହ ପାଇଁ ଉପଯୁକ୍ତ କନ୍ୟା ଖୋଜିଦେବାର ପ୍ରତିଶ୍ରୁତି ଦେଇଥିଲେ । ନିକଟସ୍ଥ ଏକ କୋର୍ଟରେ ଚଳିତ ବର୍ଷ ଏପ୍ରିଲ ୨୦ ତାରିଖରେ ବିବାହ ମଧ୍ୟ ହେଲା । ହେଲେ ମାତ୍ର ୨ ଦିନ ପରେ ସମସ୍ତ ଜିନିଷପତ୍ର ,ମୂଲ୍ୟବାନ ସାମଗ୍ରୀ ଓ ଗହଣା ଆଦି ନେଇ ଫେରାର ମାରିଥିଲା ନବବଧୂ ।
ପୂର୍ବରୁ ଉତ୍ତରପ୍ରଦେଶର ମହାରାଜାଗଞ୍ଜ ସ୍ଥିତ ହସ୍ପିଟାଲରେ କାମ କରୁଥିଲା ଅନୁରାଧା । ପାରିବାରିକ ବିବାଦ କାରଣରୁ ସେ ନିଜ ସ୍ୱାମୀଙ୍କଠାରୁ ଅଲଗା ହୋଇ ଭୋପାଳ ଚାଲିଆସିଥିଲା । ଯେଉଁଠାରେ ସେ ଫ୍ରଡ ଗ୍ୟାଙ୍ଗ ସହ ମିଶିଥିଲା । ଏହି ଏଜେଣ୍ଟମାନେ ହ୍ୱାଟସଆପ ମାଧ୍ୟମରେ କନ୍ୟାଙ୍କ ଫଟୋ ପଠାଇଥାଆନ୍ତି ଓ ୨-୫ ଲକ୍ଷ ଭଳି ମୋଟା ଅଙ୍କର ଟଙ୍କା ମାଗିଥାନ୍ତି । ଯେତେବେଳେ ବିବାହ ସମ୍ପନ୍ନ ହୁଏ, ପରେ ପରେ ନବବଧୂ ସବୁ ମୂଲ୍ୟବାନ ସାମଗ୍ରୀ ନେଇ ଫେରାର ହୋଇଯାଆନ୍ତି । ଏହି ଗ୍ୟାଙ୍ଗର ସଦସ୍ୟମାନେ ମଧ୍ୟ ପୋଲିସ ସ୍କାନରକୁ ଆସିଛନ୍ତି । ରୋଶନୀ, ରଘୁବୀର, ଗୋଲୁ, ମଜବୁତ ସିଂ ଯାଦବ ଏବଂ ଅର୍ଜୁନଙ୍କୁ ପଚରାଉଚରା କରିଛି ପୋଲିସ । ସମସ୍ତ ଅଭିଯୁକ୍ତ ଭୋପାଳ ଓ ଆଖପାଖ ଅଞ୍ଚଳର ହୋଇଥିବା ଜଣାପଡ଼ିଛି ।
ବଡ଼ କଥା ହେଉଛି, ବିଷ୍ଣୁ ଶର୍ମାଙ୍କ ଘରୁ ଫେରାର ହେବା ପରେ ଅନୁରାଧା ଭୋପାଳର ଗବର ନାମକ ଜଣେ ବ୍ୟକ୍ତିଙ୍କୁ ବିବାହ କରିଥିଲା । ଯୋଜନାବଦ୍ଧ ଭାବେ ଗବରଙ୍କଠାରୁ ମଧ୍ୟ ୨ ଲକ୍ଷ ଟଙ୍କା ନେଇଥିଲେ ଏହି ଗ୍ୟାଙ୍ଗ । ପୋଲିସ ସେମାନଙ୍କୁ କାବୁ କରିବାକୁ ଏକ ଅପରେସନ ଚଳାଇଥିଲା । ଯେଉଁଥିରେ ଜଣେ କନଷ୍ଟେବଳଙ୍କୁ ବର ଭାବେ ପରିଚୟ ଦେଇ କନ୍ୟା ଖୋଜିବାକୁ ଏଜେଣ୍ଟଙ୍କୁ ଯୋଗାଯୋଗ କରିଥିଲା ପୋଲିସର ଟିମ୍ । ଏହାପରେ ଅନୁରାଧାଙ୍କ ନିକଟରେ ପହଞ୍ଚି ଗିରଫ କରିବାରେ ସଫଳ ହୋଇଛି ପୋଲିସ ।