ଡବ୍ଲ୍ୟୁସିଡ଼ିର ୫୦୪ ସୁପରଭାଇଜର ହେବେ ନିୟମିତ
ସ୍ଥାପନ ହେବ ରାଜ୍ୟ ଜଳସୂଚନା ବିଜ୍ଞାନ କେନ୍ଦ୍ର
ପୁରୁଷ ସ୍ୱାସ୍ଥ୍ୟକର୍ମୀ ପଦବୀ ସଂଖ୍ୟା ୧୨୩୪୧କୁ ବୃଦ୍ଧି
ମହିଳା ସ୍ୱାସ୍ଥ୍ୟକର୍ମୀ ପଦବୀ ସଂଖ୍ୟା ୧୫୮୩୧କୁ ବୃଦ୍ଧି
ଭୁବନେଶ୍ୱର : ମହିଳା ଓ ଶିଶୁ ବିକାଶ ବିଭାଗରେ କାର୍ଯ୍ୟ କରୁଥିବା ୫୦୪ ଜଣ ଠିକା ସୁପରଭାଇଜର ନିୟମିତ ହେବେ । ରାଜ୍ୟରେ ଜଳସୂଚନା ବିଜ୍ଞାନ କେନ୍ଦ୍ର ସ୍ଥାପନ କରାଯିବ । ରାଜ୍ୟ କ୍ୟାବିନେଟରେ ଏଭଳି ୮ ପ୍ରସ୍ତାବ ଉପରେ ମୋହର ଲାଗିଛି ।
ରାଜ୍ୟ କ୍ୟାବିନେଟର ୭୫ତମ ବୈଠକ ଲୋକସେବା ଭବନର ତୃତୀୟ ମହଲା ସମ୍ମିଳନୀ କକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ରାଜ୍ୟ କ୍ୟାବିନେଟ ବୈଠକରେ ନିଷ୍ପତି ସଂପର୍କରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଜଳସମ୍ପଦ ବିଭାଗ ଅନୁ ଗର୍ଗ, ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଶାଳିନୀ ପଣ୍ଡିତ କ୍ୟାବିନେଟ ବୈଠକରେ ପାରିତ ହୋଇଥିବା ବିଭିନ୍ନ ପ୍ରସ୍ତାବର ନିଷ୍ପତି ସମ୍ପର୍କରେ ସୂଚନା ଦେଇଥିଲେ ।
ଆଜିର କ୍ୟାବିନେଟ ବୈଠକରେ ସ୍ୱାସ୍ଥ୍ୟ ବିଭାଗର ୬ଟି, ଜଳସମ୍ପଦ ବିଭାଗର ୧ଟି ଓ ମହିଳା ଏବଂ ଶିଶୁ ବିକାଶ ବିଭାଗର ୧ଟି ପ୍ରସ୍ତାବ ଆଗତ କରାଯାଇଥିଲା ବେଳେ ସମସ୍ତ ପ୍ରସ୍ତାବ ପାରିତ ହୋଇଛି ।
ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତିକ୍ରମେ ମହିଳା ଓ ଶିଶୁ ବିକାଶ ବିଭାଗ ଅଧିନସ୍ଥ ୫୦୪ ଜଣ ଚୁକ୍ତିଭିତିକ ସୁପରଭାଇଜରଙ୍କ ଚାକିରୀ ନିୟମିତକରଣ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛନ୍ତି । ସେମାନଙ୍କ ସଂଘ ଜରିଆରେ ମିଳିଥିବା ଦାବିପତ୍ର ଓ ଆନ୍ତଃ ମନ୍ତ୍ରୀସ୍ତରୀୟ କମିଟିଙ୍କୁ ଦେଇଥିବା ଆବେଦନକୁ ଦୃଷ୍ଟିରେ ରଖି ସେମାନଙ୍କୁ ନିୟମିତ କରିବା ଲାଗି କ୍ୟାବିନେଟ ନିଷ୍ପତି ନେଇଛନ୍ତି ।
ସେହିପରି ରାଜ୍ୟ ଜଳ ସୂଚନା ବିଜ୍ଞାନ କେନ୍ଦ୍ର ସ୍ଥାପନ ପାଇଁ କ୍ୟାବିନେଟରେ ନିଷ୍ପତି ନିଆଯାଇଛି । ଜଳ ପାଣିପାଗ ତଥ୍ୟର ଏକ ବିସ୍ତୃତ ଭଣ୍ଡାର ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହା କରାଯାଇଛି । ଓଡ଼ିଶାର ଜଳସମ୍ପଦ ପରିଚାଳନାକୁ ବଢ଼ାଇବା, ସୁଚିନ୍ତିତ ନିଷ୍ପତି ଗ୍ରହଣ ଓ ଶୃଙ୍ଖଳିତ ନୀତି ଯୋଜନାକୁ ପ୍ରୋତ୍ସାହନ କରିବା ଦିଗରେ ଏକ ଯଥେଷ୍ଟ ଅଗ୍ରଗତିର ପ୍ରତିନିଧିତ୍ୱ କରୁଛି । ରାଜ୍ୟ ଜଳସୂଚନା ବିଜ୍ଞାନ କେନ୍ଦ୍ର ଓ ଜାତୀୟ ଜଳସୂଚନା ବିଜ୍ଞାନ କେନ୍ଦ୍ର ସହିତ ନିରବଚ୍ଛିନ୍ନ ସହଯୋଗ କରିବ ।
ଓଡ଼ିଶା ବହୁମୁଖୀ ପୁରୁଷ ସ୍ୱାସ୍ଥ୍ୟକର୍ମୀ ସେବା ବର୍ଗର ପଦବୀ ସଂଖ୍ୟା ୬୫୩୮ରୁ ୧୨୩୪୧କୁ ବୃଦ୍ଧି କରାଯାଇଛି । ସେହିପରି ପଦୋନ୍ନତି ଭିତିକ ପଦବୀ ମଧ୍ୟ ବୃଦ୍ଧି କରାଯିବା ସହ ଜିଲ୍ଲାସ୍ତରରୁ ରାଜ୍ୟ ମୁଖ୍ୟାଳୟ ପର୍ଯ୍ୟନ୍ତ କ୍ୟାଡ଼ର ଭୁକ୍ତ ପଦବୀରେ ପଦୋନ୍ନତି ପାଇଁ ସୁବିଧା ରହିଛି । ଅପରପକ୍ଷରେ ଓଡ଼ିଶା ବହୁମୁଖୀ ମହିଳା ସ୍ୱାସ୍ଥ୍ୟକର୍ମୀ ସେବା ବର୍ଗର ସମୁଦାୟ ପଦବୀ ସଂଖ୍ୟା ୧୩୯୬୬ରୁ ୧୫୮୩୧କୁ ବୃଦ୍ଧି ପାଇଛି । ଆନୁପାତିକ ଭାବେ ପଦୋନ୍ନତି ଭିତିକ ପଦବୀରେ ମଧ୍ୟ ବୃଦ୍ଧି କରାଯାଇଛି । ଓଡ଼ିଶା ରେଡ଼ିଓଗ୍ରାଫର ସେବା ସଂବର୍ଗର ପୁନର୍ଗଠନ ଓ ଓଡ଼ିଶା ରେଡ଼ିଓଗ୍ରାଫର ସେବାଚୟନ ପ୍ରକ୍ରିୟା ଓ ଚାକିରୀ ସର୍ତାବଳୀରେ ପୁନଃ ସଂଶୋଧନ କରାଯାଇଛି । ସେହିପରି ଓଡ଼ିଶା ଲାବୋରେଟୋରୀ ଟେକ୍ନିସିଆନ୍ ସେବା ସଂବର୍ଗର ପୁନର୍ଗଠନ ଓ ଓଡ଼ିଶା ଲାବୋରେଟୋରୀ ଟେକ୍ନିସିଆନ ସେବା ଚୟନ ପ୍ରକ୍ରିୟା ଓ ଚାକିରୀ ସର୍ତାବଳୀ ୨୦୧୯ର ପୁନଃ ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଓଡ଼ିଶା ଫାର୍ମାସୀ ସେବା ସଂବର୍ଗର ପୁନର୍ଗଠନ ଓ ଓଡ଼ିଶା ଫାର୍ମାସୀ ସେବା ଚୟନ ପ୍ରକ୍ରିୟା ଓ ଚାକିରୀ ସର୍ତାବଳୀ ୨୦୧୯ର ପୁନଃ ସଂଶୋଧନ ପ୍ରସ୍ତାବ ଉପରେ ମଧ୍ୟ କ୍ୟାବିନେଟର ମୋହର ଲାଗିଛି । ଓଡ଼ିଶା ନର୍ସିଂ ସେବା ସଂବର୍ଗର ପୁନର୍ଗଠନ ଓ ଓଡ଼ିଶା ନର୍ସିଂ ସେବା ଚୟନ ପ୍ରକ୍ରିୟା ଓ ଚାକିରୀ ସର୍ତାବଳୀ ୨୦୧୯ର ପୁନଃ ସଂଶୋଧନ ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ ଅନୁମୋଦନ ପ୍ରଦାନ କରିଛନ୍ତି ।
Sign in
Sign in
Recover your password.
A password will be e-mailed to you.
