Odia News Portal

ଭଦ୍ରକ ଜିଲ୍ଲାରେ ୧୨୯ ଡାକ୍ତର ପଦବି ଖାଲି, ନୂଆ  ନିଯୁକ୍ତି ହେଲେ ୪

ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଉପରେ ଜିଲ୍ଲାର ୧୮ ଲକ୍ଷରୁ ଅଧିକ ଲୋକ ନିର୍ଭର କରୁଛନ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପ୍ରତିଦିନ ୧୫୦୦ରୁ ଅଧିକ ରୋଗୀ ଆସନ୍ତି। ଗତ ୪ ମାସ ହେବ ଡାକ୍ତରଖାନାର ନବକଳେବର ହୋଇଥିଲେ ମଧ୍ୟ ଡାକ୍ତର ନିଯୁକ୍ତିକୁ ସରକାର ଭୁଲିଯାଇଛନ୍ତି। ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ୧୭୧ଟି ମଞ୍ଜୁରିପ୍ରାପ୍ତ ଡାକ୍ତର ପଦ ରହିଥିବା ବେଳେ ଅଛନ୍ତି ମାତ୍ର ୪୨ ଜଣ  ଡାକ୍ତର। ଜିଲ୍ଲାରେ ଅନେକ ସ୍ପେଶାଲୁଷ୍ଠ ଡାକ୍ତର ପଦବି ଖାଲି ପଡ଼ିଛି।ଜିଲ୍ଲାରେ ଡାକ୍ତର ଅଭାବ ପାଇଁ ରୋଗୀ ସେବା ବାଧାପ୍ରାପ୍ତ ହେଉଛି। ଭଦ୍ରକ ନୂଆ ହସ୍ପିଟାଲ ଉପରେ ଚକଚକ ହୋଇଥିବା ବେଳେ ଭିତରେ ଫମ୍ପା ହୋଇ ରହିଛି। ନିକଟରେ ରାଜ୍ୟ ସରକାର ୧୮୫ ଜଣ ନୂତନ ଡାକ୍ତର ନିଯୁକ୍ତି କଲେ। ଏଥିରୁ ମାତ୍ର ୪ ଜଣ ଡାକ୍ତର ଭଦ୍ରକ ଜିଲ୍ଲାରେ ନିଯୁକ୍ତି ପାଇଲେ। ଜିଲ୍ଲାରେ ୧୨୯ ଟି ଡାକ୍ତର ପଦବୀ ଖାଲି ପଡ଼ିଥିବା ବେଳେ ମାତ୍ର ୪ ଜଣ ଡାକ୍ତର ନିଯୁକ୍ତି ମିଳିବା ଅତ୍ୟନ୍ତ ଦୁର୍ଭାଗ୍ୟର କଥା। ଏହି ୪ ଜଣ ଡାକ୍ତର ନିଯୁକ୍ତି ହେବା ପରେ ଜିଲ୍ଲାରେ ଆହୁରି ୧୨୫ ଟି ଡାକ୍ତର ପଦବି ଖାଲି ରହିଛି। ଏହି ପଦବୀ କେବେ ପୁରାଣ ହେବ ତାକୁ ନେଇ ଲୋକେ ପ୍ରଶ୍ନ କରିଛନ୍ତି। ପ୍ରକାଶ ଥାଉ କି,  ୧୪୭ କୋଟି ଟଙ୍କା ବ୍ୟୟରେ ଭଦ୍ରକର ଗେଲପୁରଠାରେ ୩୦୦ ଶଯ୍ୟା ବିଶିଷ୍ଟ ନୂତନ ଡାକ୍ତରଖାନା, ୧୦୦ ଶଯ୍ୟା ବିଶିଷ୍ଟ ମହିଳା ଓ ଶିଶୁ ଡାକ୍ତରଖାନା ଖୋଲାଯାଇଛି। ଏହି ଡାକ୍ତରଖାନା ଦେଖିବାକୁ ଅତି ସୁନ୍ଦର ହୋଇଥିବା ବେକେ ଏହା  କର୍ପୋରେଟ ଶୈଳୀରେ ନିର୍ମାଣ ହୋଇଛି। କିନ୍ତୁ ଏଠାରେ ରୋଗୀଙ୍କୁ ଚିକିତ୍ସା ପାଇଁ  ଆବଶ୍ୟକ ଡାକ୍ତର, ନର୍ସ, ଫାର୍ମାସିଷ୍ଟ ନାହାନ୍ତି। ରକ୍ତ ପରୀକ୍ଷା ଓ ଅନ୍ୟାନ୍ୟ ପାଇକ୍ଷା ପାଇଁ ଆବଶ୍ୟକ ଟେକନିସିଆନ ପଦବି ଖାଲି ପଡ଼ିଛି। ଭଦ୍ରକର ନୂତନ ମେଡ଼ିକାଲରେ ବ୍ଲଡ ବ୍ୟାଙ୍କ ନଥିବାରୁ ରୋଗୀମାନେ ନୂଆ ମେଡିକାଲରୁ ପୁରୁଣା ମେଡ଼ିକାଲକୁ ଦୌଡ଼ୁଛନ୍ତି। ନୂତନ ଡାକ୍ତର ଖନରେ ଉନ୍ନତ ସ୍ବାସ୍ଥ୍ୟସେବା ମିଳିବ ବୋଲି ଜିଲ୍ଲାବାସୀ ଆଶା କରିଥିଲେ। ସେମିତି କିଛି ହେଲାନି। ଓଲଟା ଏଠାରେ ଆବଶ୍ୟକ ଡାକ୍ତର ତଥା କର୍ମଚାରୀଙ୍କ ଅଭାବ ଦେଖାଦେଇଛି। ଆନୁଷଙ୍ଗିକ ଚିକିତ୍ସା ବ୍ୟବସ୍ଥା ମଧ୍ୟ ନାହିଁ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆବଶ୍ୟକ ସୁବିଧା ସୁଯୋଗ ଯୋଗାଇ ଦେବାପାଇଁ ଯାହା ସବୁ ପ୍ରତିଶ୍ରୁତି ଦିଆ ଯାଇଥିଲା। ପ୍ରତିଶ୍ରୁତି ପୁରଣ କରିବାରେ ସରକାର ବିଫଳ ହୋଇଛନ୍ତି।