Odia News Portal

ସମ୍ବଲପୁର ପୁଲିସରେ ସାମିଲ ହେଲେ ୧୮୦ ଜଣ ନୂତନ ଗୃହରକ୍ଷୀ

ସମ୍ବଲପୁର ପୁଲିସରେ ସାମିଲ ହେଲେ ୧୮୦ ଜଣ ନୂତନ ଗୃହରକ୍ଷୀ। ରବିବାର ସମ୍ବଲପୁର ଏସ୍‌ପି ମୁକେଶ ଭାମୁ ସମସ୍ତ ଗୃହରକ୍ଷୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି। ଏହି ନିଯୁକ୍ତିରେ ୪୨ ଜଣ ଯୁବତୀ ରହିଥିବା ବେଳେ ୧୪୧ ଜଣ ଯୁବକ ରହିଥିବା ସମ୍ବଲପୁର ପୁଲିସ ପକ୍ଷରୁ ସୂଚନା ମିଳିଛି। ଏହି ପରୀକ୍ଷା ପାଇଁ ପଞ୍ଚମ ପାସ୍ ଯୋଗ୍ୟତା ଆବଶ୍ୟକତା ରହିଥିବା ବେଳେ ନିଯୁକ୍ତି ପାଇଥିବା ପରୀକ୍ଷାର୍ଥୀ ମଧ୍ୟରୁ ଅଧିକାଂଶ ଡିଗ୍ରିଧାରୀ ଯୁବକ ଯୁବତୀ ରହିଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି। ବାକି ଆଇଟିଆଇ, ସ୍ନାତକ, ଏମ୍‌ବିଏ, ଏମ୍‌ସିଏ, ଡିପ୍ଲୋମା ଯୁବକ ଯୁବତୀ ରହିଛନ୍ତି। ୧୮୩ ଜଣ ପରୀକ୍ଷାର୍ଥୀ ପାସ୍ ହୋଇଥିବା ବେଳେ ଜଣେ ପରୀକ୍ଷାର୍ଥୀଙ୍କ ସେଣ୍ଟ୍ରାଲ ସ୍କୁଲରେ ଚାକିରି ହେବା କାରଣରୁ ଗୃହରକ୍ଷୀରେ ନିଯୁକ୍ତିରୁ ଓହରି ଯାଇଛନ୍ତି।ସେହିପରି ଅନ୍ୟ ଜଣେ ପିଲାଙ୍କ ନାମରେ କିଛି ଅଭିଯୋଗ ରହିଥିବା କାରଣରୁ ତାଙ୍କର ଯାଞ୍ଚ ସରିବା ପରେ ନିଯୁକ୍ତିପତ୍ର ପ୍ରଦାନ କରାଯିବ। ଅନ୍ୟ ଜଣେ ପରୀକ୍ଷାର୍ଥୀଙ୍କ ଆଗମୀ ଦିନରେ ପାଠ ପଢ଼ିବାକୁ ନେଇ ଦ୍ବନ୍ଦ୍ବରେ ଥିବାରୁ ତାଙ୍କୁ ମଧ୍ୟ ନିଯୁକ୍ତି ପତ୍ର ପ୍ରଦାନ କରାନଯାଇଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି। ସେଥିପାଇଁ ଆଜି ୧୮୦ ଜଣ ପରୀକ୍ଷାର୍ଥୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯାଇଛି। ଏହି ନିଯୁକ୍ତି ଘଟଣାକୁ ନେଇ ଗୃହରକ୍ଷୀ ପରୀକ୍ଷାରେ ଅସଫଳ ହୋଇଥିବା ପରୀକ୍ଷାର୍ଥୀ କହିଛନ୍ତି, ଗୃହରକ୍ଷୀ ଚାକିରି ପାଇଁ ପଞ୍ଚମ ପାସ୍ ଆବଶ୍ୟକତା ଥିଲା କିନ୍ତୁ ଅଧିକ ପଢ଼ିଥିବା ପ୍ରାର୍ଥୀ ପରୀକ୍ଷା ଦେଇଥିଲେ। ଯାହା ସମ୍ବଲପୁର ଜିଲ୍ଲାର ବେକାର ସମସ୍ୟାକୁ ପଦାରେ ପକାଇଥିଲା। ଓଡ଼ିଶାର ଅନ୍ୟତମ ଶିଳ୍ପବହୁଳ ଜିଲ୍ଲା ହୋଇଥିଲେ ମଧ୍ୟ ଏତେ ସଂଖ୍ୟାରେ ବେକାର ରହିଥିବା ଜଣାପଡ଼ିଥିବା କହିଛନ୍ତି। ରାଜ୍ୟ ବାହାରୁ ହଜାର ହଜାର ଯୁବକ ଯୁବତୀ ସମ୍ବଲପୁର ଜିଲ୍ଲାର ଶିଳ୍ପାନୁଷ୍ଠାନଗୁଡ଼ିକରେ କାର୍ଯ୍ୟ କରୁଥିବା ବେଳେ ସ୍ଥାନୀୟ ଶିକ୍ଷିତ ଯୁବକ ଯୁବତୀଙ୍କୁ ସୁଯୋଗ ବା ନିଯୁକ୍ତି ମିଳୁନାହିଁ ବୋଲି ଅଭିଯୋଗ କରିଛନ୍ତି ପୂର୍ବରୁ ଗୃହରକ୍ଷୀ ପରୀକ୍ଷାରେ ବିଫଳ ହୋଇଥିବା ଯୁବକ।ଯୁବକଙ୍କ କହିବା ଅନୁସାରେ, ଆମ ଜିଲ୍ଲାରେ ସବୁ ପ୍ରକାର ନିଯୁକ୍ତିର ସୁବିଧା ରହିଛି। କିନ୍ତୁ ଅନ୍ୟ ରାଜ୍ୟର ପିଲାମାନେ ଚାକିରି କରୁଛନ୍ତି। ଏଠି ବଡ଼ବଡ଼ ନେତା ମନ୍ତ୍ରୀ ମଧ୍ୟ ରହିଛନ୍ତି। କିନ୍ତୁ ସେମାନେ ସବୁ ଜାଣି ମଧ୍ୟ ଚୁପ୍ ରହୁଛନ୍ତି। ଖାଲି ନିର୍ବାଚନ ସମୟରେ ସବୁ ସୁଯୋଗ ଦେବା କଥା କହୁଛନ୍ତି। କିନ୍ତୁ ନିର୍ବାଚନ ପରେ ସବୁ ଭୁଲି ଯାଉଛନ୍ତି। ପାଞ୍ଚମ ପାସ୍ ଗୃହରକ୍ଷୀ ପରୀକ୍ଷା ପାଇଁ ୧୧ ହଜାରରୁ ଅଧିକ ଯୁବକ ଯୁବତୀ ଆବେଦନ କରିଥିଲେ। ବୟସାଧିକ୍ୟ ସହିତ ଅନ୍ୟାନ୍ୟ ଯୋଗ୍ୟତା ପୂରଣ କରୁ ନଥିବାରୁ ପ୍ରାୟ ୧୨୦୦ ଆବେଦନକାରୀଙ୍କୁ ଅଯୋଗ୍ୟ ବିବେଚିତ କରାଯାଇଥିବା ସୂଚନା ସେ ସମୟରେ ମିଳିଥିଲା। ତେବେ ଗୃହରକ୍ଷୀ ଲିଖିତ ପରୀକ୍ଷାରେ ପାସ୍ କରାଇଦେବା ପାଇଁ ଟଙ୍କା କାରବାର ଅଭିଯୋଗରେ ଧନୁପାଲି ପୁଲିସ ଗତ ମାସ ୨୨ ତାରିଖରେ ଚାରଭାଟି ଅଞ୍ଚଳର ଦିଲୀପ ସାହୁ (୪୬) ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିଲା। ଦିଲୀପ ଲିଖିତ ପରୀକ୍ଷାରେ ପାସ୍ କରାଇଦେବା କହି ୬ ଜଣ ପରୀକ୍ଷାର୍ଥୀଙ୍କଠାରୁ ୮ ଲକ୍ଷ ୪୯ ହଜାର ୫୦୦ ଟଙ୍କା ନେଇଥିବା ଅଭିଯୋଗ ହୋଇଥିଲା।