Odia News Portal

ଯବାନଙ୍କ ଗୁଳିରେ ୨ ଆତଙ୍କବାଦୀ ସଫା

ଶ୍ରୀନଗର: ଶନିବାର ପ୍ରତ୍ୟୁଷରେ ଉତ୍ତର କଶ୍ମୀରର ବନ୍ଦୀପୋରା ଜିଲ୍ଲା ଅନ୍ତର୍ଗତ ସୁମଲାରର ଶୋକବାବା ଅଞ୍ଚଳରେ ଏନ୍କାଉଣ୍ଟର୍ କାରଣରୁ ଦୁଇଜଣ ଅଜ୍ଞାତ ଆତଙ୍କବାଦୀ ନିହତ ହୋଇଛନ୍ତି ଏବଂ ତିନିଜଣ ଯବାନ ଆହତ ହୋଇଛନ୍ତି। ଏବେ ମଧ୍ୟ ସେଠାରେ ଅଭିଯାନ ଚାଲିଥିବା କଥା କଶ୍ମୀର ଜୋନ୍ ପୁଲିସ ଟୁଇଟ୍ କରି ସୂଚନା ଦେଇଛନ୍ତି।

ଶୋକବାବାର ଅରଣ୍ୟାଞ୍ଚଳରେ ଆତଙ୍କବାଦୀଙ୍କ ଉପସ୍ଥିତି ସଂକ୍ରାନ୍ତରେ ନିର୍ଦ୍ଦିଷ୍ଟ ସୂଚନା ପାଇବା ପରେ ମିଳିତ ନିରାପତ୍ତା ବଳ ‘କର୍ଡନ୍ ଆଣ୍ଡ୍ ସର୍ଚ’ ଅଭିଯାନ ଆରମ୍ଭ କରିଥିଲା। ଜଣେ ସରକାରୀ ଅଧିକାରୀ କହିଛନ୍ତି ଯେ, ନିରାପତ୍ତା ବଳ ସନ୍ଦିଗ୍ଧ ସ୍ଥାନ ଆଡ଼କୁ ଅଗ୍ରସର ହେବା କ୍ଷଣି ଆତ୍ମଗୋପନ କରିଥିବା ଆତଙ୍କବାଦୀମାନେ ଗୁଳି ଚଳାଇଥିଲେ। ନିରାପତ୍ତା ବଳ ପାଲଟା ଗୁଳି ଚଳାଇବାରୁ ଏନ୍କାଉଣ୍ଟର୍ର ସୂତ୍ରପାତ ହୋଇଥିଲା।

ପୁଲିସ, ସେନାର ୧୩ ଆର୍ ଆର୍ ଏବଂ ୧୪ ଆର୍ ଆର୍ ଏବଂ ସିଆର୍ପିଏଫ୍ ଏହି ମିଳିତ ଅଭିଯାନ ଚଳାଇଥିବା କଥା ସେ ଅଧିକାରୀଜଣକ ସୂଚନା ଦେଇଛନ୍ତି। କେତେ ସଂଖ୍ୟକ ଆତଙ୍କବାଦୀ ଆତ୍ମଗୋପନ କରିଛନ୍ତି ତାହା ଜଣାପଡ଼ି ନ ଥିଲେ ମଧ୍ୟ ଉଭୟ ପଟୁ ଗୁଳି ବିନିମୟ ଲାଗି ରହିଛି।