କୋରାପୁଟ ବ୍ଲକ୍ ଲଙ୍କାପୁଟ ହାଇସ୍କୁଲ ଛାତ୍ରାବାସରୁ ନିଖୋଜ ୨୦ ଛାତ୍ରଙ୍କୁ ଜଙ୍ଗଲରୁ ଉଦ୍ଧାର କରାଯାଇଛି। ସ୍କୁଲରୁ ୯ କିମି ଦୂର ପଣ୍ଡି ଜଙ୍ଗଲରେ ଲୁଚିଥିବା ଅବସ୍ଥାରେ ଛାତ୍ରଙ୍କୁ ସ୍କୁଲ କର୍ତ୍ତୃପକ୍ଷ ଓ ଅଭିଭାବକ ଠାବ କରିଥିଲେ। ତେବେ ଛାତ୍ରାବାସ ଛାଡ଼ି ଅନ୍ତେବାସୀ କାହିଁକି ଜଙ୍ଗଲରେ ଲୁଚିଲେ ଓ ଢିଲା ସୁରକ୍ଷା ବ୍ୟବସ୍ଥାର କାରଣ ଖୋଜିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ।ଲଙ୍କାପୁଟ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଥିବା ଛାତ୍ରାବାସରେ ଲଙ୍କାପୁଟ ପ୍ରାଥମିକ ବିଦ୍ୟାଳୟର ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ୁଥିବା ୪୦ ଅନ୍ତେବାସୀ ରହୁଛନ୍ତି। ସୋମବାର ଭୋରରେ ଛାତ୍ରାବାସରୁ ହଠାତ୍ ୨୦ ଅନ୍ତେବାସୀ ନିଖୋଜ ହୋଇଯାଇଥିଲେ। ସକାଳ ସାଢ଼େ ୮ଟାରେ ଘଟଣା ବାବଦରେ ରୋଷେୟା ଜାଣିବା ପରେ ଦାୟିତ୍ବରେ ଥିବା ଶିକ୍ଷୟିତ୍ରୀଙ୍କୁ ଅବଗତ କରିଥିଲେ। ସ୍କୁଲ କର୍ତ୍ତୃପକ୍ଷ ତୁରନ୍ତ ଛାତ୍ରାବାସରେ ପହଞ୍ଚି ଆଖପାଖ ଅଞ୍ଚଳରେ ଖୋଜାଖୋଜି କରିଥିଲେ। ତେବେ ୨୦ ଛାତ୍ରଙ୍କର କୌଣସି ସନ୍ଧାନ ନ ମିଳିବାରୁ ଅଭିଭାବକଙ୍କୁ ଘଟଣା ସମ୍ପର୍କରେ ତତକ୍ଷଣାତ ଜଣାଇ ଦିଆଯାଇଥିଲା। ଅଭିଭାବକ ସ୍କୁଲରେ ପହଞ୍ଚିବା ପରେ ନିଜ ପିଲା ନଥିବା ଜାଣି ଭୋ ଭୋ ହୋଇ କାନ୍ଦିଥିଲେ। ଅଭିଭାବକ, ଶିକ୍ଷକ ଓ ଗ୍ରାମବାସୀ ମିଳିତ ଭାବେ ଖୋଜାଖୋଜି କରିବା ପରେ ନିଖୋଜ ଅନ୍ତେବାସୀ ଅଖିଆ ଅପିଆ ପଣ୍ଡି ଜଙ୍ଗଲରେ ଲୁଚିଥିବା ଖବର ମିଳିଥିଲା। ସଭିଏଁ କୋଲାବ ଜଳଭଣ୍ଡାର ନିକଟ ପଣ୍ଡି ଜଙ୍ଗଲକୁ ବାଇକ୍ରେ ଯାଇ ମଧ୍ୟାହ୍ନ ୨ଟାରେ ପିଲାମାନଙ୍କୁ ଉଦ୍ଧାର କରି ଆଣି ପୁଣି ସ୍କୁଲ ହଷ୍ଟେଲରେ ଛାଡ଼ିଥିଲେ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ କୋରାପୁଟ ବିଡିଓ ଦେବାଶିଷ ଗୌଡ଼ ଓ ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ଜଗନ୍ନାଥ ଭତ୍ରା ସ୍କୁଲରେ ପହଞ୍ଚି ଅନ୍ତେବାସୀ ନିଖୋଜର ତଦନ୍ତ କରିଛନ୍ତି। ଅଭିଭାବକ ଅଭିଯୋଗ କରିଛନ୍ତି ଯେ ସ୍କୁଲ ଛୁଟି ପରେ ଛାତ୍ରାବାସ ଦାୟିତ୍ବରେ କେହି ରହୁନାହାନ୍ତି। ରୋଷେୟା ଉପରେ ନିର୍ଭର କରି ସବୁ କୋରାପୁଟ ପଳାଇ ଯାଉଛନ୍ତି। ତଦନ୍ତ ଆରମ୍ଭ ହୋଇଛି ଏବଂ ଏଥିରେ ଯିଏ ଦାୟୀ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଡିଓ ଶ୍ରୀ ଗୌଡ଼ କହିଛନ୍ତି। ଏହି ଘଟଣା ପରେ ଅନ୍ତେବାସୀଙ୍କ ସୁରକ୍ଷାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସ୍କୁଲ କର୍ତ୍ତୃପକ୍ଷ କିଭଳି ଅନ୍ତେବାସୀଙ୍କୁ ଏକାକି ଛାଡ଼ି ଦେଇ କୋରାପୁଟରେ ରହୁଛନ୍ତି, ସେ ନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଭିଭାବକ ମହଲରେ ଦାବି ହୋଇଛି।
