Odia News Portal

ମୋରବି ଟ୍ରାଜେଡି; ପୋଲ ଖସିବା ପୂର୍ବରୁ ଆଗରୁ ଛିଡିଥିଲା ୨୨ ତାର

ଗୋଟାଏ କେବଲ୍‌ରେ ପ୍ରାୟ ଅର୍ଦ୍ଧେକ ତାର କଳଙ୍କି ଲାଗି ନଷ୍ଟ ହୋଇଯିବା ଓ ଛୋଟ ଛୋଟ ପୁରୁଣା କେବଲ୍‌ ସହିତ ନୂଆ କେବଲ୍‌ ୱେଲ୍‌ଡିଙ୍ଗ୍‌ କରାଯାଇଥିବା ଯୋଗୁଁ ଗତବର୍ଷ ମୋର୍‌ବୀ ଝୁଲାପୋଲ ଛିଡ଼ି ପଡ଼ିଥିବା କଥା ଗୁଜରାଟ ସରକାରଙ୍କଦ୍ବାରା ନିଯୁକ୍ତ ‘ସ୍ପେସାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଟିମ୍‌’ (ଏସ୍‌ଆଇଟି) ତା’ର ପ୍ରାରମ୍ଭିକ ତଦନ୍ତରୁ ଜାଣିପାରିଛି।

୨୦୨୨ ଡିସେମ୍ବର ମାସରେ ପାଞ୍ଚଜଣିଆ ସଦସ୍ୟବିଶିଷ୍ଟ ‘ଏସ୍‌ଆଇଟି’ଦ୍ବାରା ଦାଖଲ କରାଯାଇଥିବା ‘ପ୍ରିଲିମିନାରି ରିପୋର୍ଟ ଅନ୍‌ ମୋର୍‌ବୀ ବ୍ରିଜ୍‌ ଇନ୍‌ସିଡେଣ୍ଟ୍‌’ରେ ଉପରୋକ୍ତ କଥା କହିଛି। ନିକଟ ଅତୀତରେ ରାଜ୍ୟ ନଗରାଞ୍ଚଳ ବିକାଶ ବିଭାଗ ମୋର୍‌ବୀ ମୁନିସ୍‌ପାଲିଟିକୁ ଏହି ରପୋର୍ଟ ପଠାଇଥିଲା।

ମଚ୍ଛୁ ନଦୀ ଉପରେ ଥିବା ଏହି ବ୍ରିଟିସ୍‌ ଅମଳର ଝୁଲାପୋଲ ଗତବର୍ଷ ଅକ୍ଟୋବର ୩୦ ତାରିଖରେ ଛିଡ଼ି ପଡ଼ିବାରୁ ୧୩୫ଜଣ ଲୋକ ପ୍ରାଣ ହରାଇଥିଲେ। ଏହି ଝୁଲାପୋଲର ମରାମତି ଓ ପରିଚାଳନା ଭାର ‘ଅଜନ୍ତା ମ୍ୟାନୁଫ୍ୟାକ୍ଚରିଙ୍ଗ୍‌ ଲିମିଟେଡ୍‌’ (ଓଭେରା ଗ୍ରୁପ୍‌) ଉପରେ ନ୍ୟସ୍ତ କରାଯାଇଥିଲା। କିନ୍ତୁ ସେତୁର ମରାମତି, ଦେଖାରଖା ଓ ପରିଚାଳନାରେ କେତେଗୁଡ଼ିଏ ତ୍ରୁଟି ପରିଲକ୍ଷିତ ହୋଇଥିବା କଥା ‘ଏସ୍‌ଆଇଟି’ କହିଛି।

‘ଏସ୍‌ଆଇଟି’ କହିଛି ଯେ, ମଚ୍ଛୁ ନଦୀ ଉପରେ ୧୮୮୭ରେ ପୂର୍ବତନ ଶାସକଙ୍କଦ୍ବାରା ନିର୍ମିତ ଏହି ସେତୁରେ ଦୁଇଟି ମୁଖ୍ୟ କେବଲ୍‌ ଥିଲା। ସେଥିରୁ ଗୋଟିଏ କେବଲ୍‌ରେ କଳଙ୍କି ଲାଗିଥିଲା। ଅକ୍ଟୋବର ୩୦ ତାରିଖ ସନ୍ଧ୍ୟାରେ ଉକ୍ତ କେବଲ୍‌ଟି ଛିଡ଼ିଯିବାର ବହୁ ଆଗରୁ ହୁଏତ ସେଥିରେ ଲାଗିଥିବା ଅର୍ଦ୍ଧେକ ତାର ଛିଡ଼ିଯାଇଥାଇ ପାରେ।