Odia News Portal

ଗୋଆ ନାଇଟ୍‌ କ୍ଲବ୍‌ରେ ୨୫ ଜଳିଗଲେ: ମୃତକଙ୍କ ମଧ୍ୟରେ ୧୪ କର୍ମଚାରୀ, ୪ ପର୍ଯ୍ୟଟକ

ଉତ୍ତର ଗୋଆର ପର୍ଯ୍ୟଟନ କେନ୍ଦ୍ର ଅର୍ପୋରାସ୍ଥିତ ଲୋକପ୍ରିୟ ନାଇଟ୍‌ କ୍ଲବ୍ ‘ବର୍ଚ ବାଏ ରୋମିଓ ଲେନ୍’ରେ ଗତରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି ୨୫ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୬ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ଗୋଆ ମେଡିକାଲ କଲେଜ ଓ ଅନ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକଙ୍କ ମଧ୍ୟରେ  ୧୪ ଜଣ କ୍ଲବ୍‌ କର୍ମଚାରୀ  ଥିବା ବେଳେ ୪ ଜଣ ପର୍ଯ୍ୟଟକ ଅଛନ୍ତି। ଅନ୍ୟମାନଙ୍କର ପରିଚୟ ଏପର୍ଯ୍ୟନ୍ତ ମିଳିପାରିନାହିଁ। ପୁଲିସ ଓ ଅଗ୍ନିଶମ ବିଭାଗ ସୂତ୍ରରୁ ଜଣାପଡ଼ିଛି ଯେ, ଅଧିକାଂଶ ମୃତ୍ୟୁ ପ୍ରବଳ ଧୂଆଁ ଯୋଗୁଁ ଶ୍ବାସରୁଦ୍ଧ ସ୍ଥିତିରେ ହୋଇଛି।ପ୍ରାୟ ୧ଟା ୫ ମିନିଟ୍ ସମୟରେ କ୍ଲବ୍‌ର ଦ୍ବିତୀୟ ମହଲାରେ ହଠାତ୍ ନିଆଁ ଲାଗିବା ସହ କିଛି ସେକେଣ୍ଡ୍ ମଧ୍ୟରେ ସମଗ୍ର କ୍ଲବ୍ ନିଆଁର ବଳୟ ଭିତରକୁ ଆସିଯାଇଥିଲା। ବେସ୍‌ମେଣ୍ଟ୍ ଓ ଗ୍ରାଉଣ୍ଡ ଫ୍ଲୋର୍‌ରେ ଥିବା ଲୋକେ ନିଆଁ ଓ ଧୂଆଁରେ ଫସି ରହିଯାଇଥିଲେ। କେତେକ ଗ୍ରାହକ ଜରୁରୀ ପ୍ରସ୍ଥାନ ଦ୍ୱାର ଦେଇ ବାହାରକୁ ଆସିବାକୁ ସକ୍ଷମ ହୋଇଥିଲେ, କିନ୍ତୁ ବେସ୍‌ମେଣ୍ଟରେ କାମ କରୁଥିବା ଷ୍ଟାଫ୍‌ମାନେ ଫସି ରହିଥିଲେ। ପ୍ରାଥମିକ ତଦନ୍ତରେ ରୋଷେଇ ଘର ନିକଟରେ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ଅଗ୍ନିକାଣ୍ଡର ମୁଖ୍ୟ କାରଣ ବୋଲି ସନ୍ଦେହ କରାଯାଇଥିଲା। କିନ୍ତୁ ଅଗ୍ନିଶମ ବିଭାଗ ଏହାକୁ ଖଣ୍ଡନ କରିଛି।  ଏହି କ୍ଲବ୍‌ରେ ଅଗ୍ନି ନିରାପତ୍ତା ନିୟମର ଗୁରୁତର ଉଲ୍ଲଂଘନ ହୋଇଥିବା ବେଳେ ଆବଶ୍ୟକ ମୁତାବକ ଇମର୍ଜେନ୍ସି ପ୍ରସ୍ଥାନ ନଥିବା ଦେଖିବାକୁ ମିଳିଛି। କ୍ଲବ୍‌ରେ ବିପୁଳ ପରିମାଣର ଦହନଶୀଳ ସାମଗ୍ରୀ ମହଜୁଦ ରହିଥିବାରୁ ନିଆଁ ତତ୍‌କ୍ଷଣାତ ଭୀଷଣ ରୂପ ନେଇଥି‌ଲା। ମାପୁସା, କାଲଙ୍ଗୁଟେ, ପୋର୍‌ଭୋରିମ୍ ସମେତ ୭ଟି ‌ ଷ୍ଟେସନ୍‌ର ଦମକଳ ବାହିନୀ ପ୍ରାୟ ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ନିଆଁ ସହ ସଂଘର୍ଷ କରି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲେ। ଘଟଣାସ୍ଥଳକୁ ସିଲ୍ କରି ଫରେନ୍‌ସିକ୍ ଓ ଅଗ୍ନିଶମ ବିଶେଷଜ୍ଞ ଦଳ ତଦନ୍ତ ଜାରି ରଖିଛନ୍ତି। କ୍ଲବ୍ ମାଲିକ ସୌରଭ ଲୁଥ୍ରା ଓ ଜେନେରାଲ ମ୍ୟାନେଜର ବିବେକ ସିଂହଙ୍କ ବିରୋଧରେ ଅର୍ପୋରା ଥାନାରେ ଏତଲା ରୁଜୁ ହୋଇଥିବା ଉତ୍ତର ଗୋଆ ଏସ୍‌ପି କହିଛନ୍ତି। ବିବେକ ଇତିମଧ୍ୟରେ ଗିରଫ ହୋଇଥିବା ବେଳେ ସ୍ଥାନୀୟ ସରପଞ୍ଚ ରୋଷନ ରେଦ୍‌କରଙ୍କୁ ମଧ୍ୟ ପୁଲିସ ଅଟକ ରଖିଛି। ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଘଟଣାକୁ ଅତ୍ୟନ୍ତ ଦୁଃଖଦାୟକ ଓ ଯନ୍ତ୍ରଣାପୂର୍ଣ୍ଣ ବୋଲି କହିବା ସହ ମାଜିଷ୍ଟ୍ରେଟ୍‌ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ପ୍ରତ୍ୟେକ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଦେବାକୁ ସେ ଘୋଷଣା କରିଛନ୍ତି।