Odia News Portal

ସୀମାନ୍ତରେ ୩୦ ନକ୍ସଲଙ୍କ ଆତ୍ମସମର୍ପଣ, ମୁଣ୍ଡରେ ଥିଲା ୮୧ ଲକ୍ଷ

ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ବିଜାପୁର ପୁଲିସକୁ ମିଳିଛି ବଡ଼ ସଫଳତା। ଅପରେସନ ମନସୁନ ଚାଲିଥିବା ବେଳେ ଏକା ଥରକେ ୩୦ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ଏମାନଙ୍କ ମଧ୍ୟରୁ ୨୦ ଜଣ ନକ୍ସଲ ନାମରେ ୮୧ ଲକ୍ଷ ଟଙ୍କାର ପୁରସ୍କାର ରହିଥିଲା। ଆତ୍ମସମର୍ପଣ କରିଥିବା ନକ୍ସଲ ମଧ୍ୟରେ ଜଣେ ଉତ୍ତର ବସ୍ତର ଡିଭିଜନର ଇନଚାର୍ଜ ବା ଡିଭିସିଏମ ଜଣେ,କମ୍ପାନୀ ନମ୍ବର ୨ର ସଦସ୍ୟ ୫ ଜଣ,ପ୍ଲାଟୁନ ସଦସ୍ୟ ୪ ଜଣ,ଏରିଆ କମିଟି ପାର୍ଟି ସଦସ୍ୟ ୫ ଜଣ,ପିଏଲଜିଏ ସଦସ୍ୟ ଜଣେ,ସିଏନଏମ ସଦସ୍ୟ ୨ ଜଣ,ଜନତାନା ସରକାର ଉପାଧ୍ୟକ୍ଷ ଜଣେ, ଜନତାନା ସରକାର ସଦସ୍ୟ ୫ ଜଣ,ମିଲିସିଆ ସଦସ୍ୟ ୨ ଜଣ, ଡିଏକେଏମଏସ ସଦସ୍ୟ ୨ ଜଣ। ସେହିପରି  ୮ ଲକ୍ଷ ପୁରସ୍କାର ଘୋଷିତ ନକ୍ସଲ ୬ ଜଣ ରହିଥିବା ବେଳେ ୫ ଲକ୍ଷ ପୁରସ୍କାର ଘୋଷିତ ୨ ଜଣ,୨ ଲକ୍ଷ ପୁରସ୍କାର ଘୋଷିତ ୧୦ ଜଣ ଏବଂ ୫୦ ହଜାର ଘୋଷିତ ଜଣେ ନକ୍ସଲ ରହିଛନ୍ତି। ସରକାରଙ୍କ ତରଫରୁ ଲଗାତାର ଅପରେସନ ଚାଲିଥିବା ଏବଂ ସରକାରଙ୍କର ଆତ୍ମନିର୍ଭରଶୀଳ ନୀତିରେ ପ୍ରଭାବିତ ହୋଇ ଆତ୍ମସମର୍ପଣ କରିଥିବା ନକ୍ସଲ କହିଛନ୍ତି। ପୁଣି ସଂଗଠନରେ ଚାଲିଥିବା ଭେଦଭାବ ଯୋଗୁଁ ନକ୍ସଲ ମୁଖ୍ୟସ୍ରୋତରେ ସାମିଲ ହୋଇ ବାକି ଜୀବନ ଖୁସିରେ କଟାଇବେ ବୋଲି ଚିନ୍ତା କରିଥିବା କହନ୍ତି। ଆଜି ପ୍ରଶାସନ ତରଫରୁ ସମସ୍ତଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ଗତ ୨୦୨୪ ମସିହା ଠାରୁ ଆଜି ପର୍ଯ୍ୟନ୍ତ ବିଜାପୁର ଜିଲ୍ଲାରେ ୮୩୪ ଜଣ ନକ୍ସଲ ଗିରଫ ହୋଇଥିବା ବେଳେ ୪୯୬ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ସେହିପରି ୧୯୦ ଜଣ ନକ୍ସଲ ଏନକାଉଣ୍ଟରରେ ମୃତ୍ୟୁବରଣ କରିଛନ୍ତି।