Odia News Portal

ଧରାପଡ଼ିଲା ଧଳାଜହର ରାକେଟ୍, ୪ ଗିରଫ

ଭଦ୍ରକ: ରାଜ୍ୟରେ ବେଧଡ଼କ ଚାଲିଛି ନିଶା କାରବାର । ଭଦ୍ରକରୁ ପୁଣି ୪ ବ୍ରାଉନସୁଗାର ବେପାରୀକୁ କାବୁ କରିଛି ପୋଲିସ। ଭଦ୍ରକ ସହରାଞ୍ଚଳ ଥାନା ଅଧିନ ବିଭିନ୍ନ ସ୍ଥାନରୁ ୬୧ ଗ୍ରାମର ବ୍ରାଉନ ସୁଗାର ଜବତ ହୋଇଛି । ବ୍ରାଉନସୁଗାର ସହ ୨୨ଟି ମୋବାଇଲ ଫୋନ୍ ଏବଂ ୩ଟି ବାଇକ୍ ମଧ୍ୟ‌ ଜବତ କରିଛି ଭଦ୍ରକ ସହରାଞ୍ଚଳ ପୋଲିସ।

ସୂଚନାନୁଯାୟୀ, ଦୀର୍ଘଦିନ ଧରି ଭଦ୍ରକ ସହରରେ କେତେକ ଅସାମାଜିକ ବ୍ୟକ୍ତି ନିଶା କାରବାର ଚଳାଇ ଆସୁଛନ୍ତି। ଏ ସଂପର୍କରେ ଜାଣିବା ପରେ ନିଶା ବେପାରୀଙ୍କୁ କାବୁ କରିବାକୁ ଭଦ୍ରକ ପୋଲିସ ଆରମ୍ଭ କରିଥିଲା ସ୍ୱତନ୍ତ୍ର ଅପରେସନ୍। ଟାଉନ ଥାନା ପୋଲିସର ଏକ ଟିମ୍ ସହରାଞ୍ଚଳ ଥାନାର ବିଭିନ୍ନ ସ୍ଥାନରେ ଚାଲିଥିବା ନିଶା କାରବାର ଆଡ୍ଡା ଉପରେ କରିଥିଲା ଅତର୍କିତ ଚଢ଼ାଉ ।

ଚଢ଼ାଉ ବେଳେ ୨୪ଟି ପ୍ୟାକେଟ୍‌ରୁ ୬୧ ଗ୍ରାମର ବ୍ରାଉନସୁଗାର ଜବତ ହୋଇଛି। ୧୭ଟି କିପ୍ୟାଡ୍‌ ଫୋନ୍‌ ଏବଂ ୫ଟି ସ୍କ୍ରିନ୍‌ ଟଚ୍‌ ମୋବାଇଲ ମଧ୍ୟ ଜବତ ହୋଇଛି। ସଂପୃକ୍ତ ୪ ଜଣଙ୍କୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି। ଏମାନଙ୍କ ମଧ୍ୟରେ ଜଣେ ମହିଳା ଥିବା ଜଣାପଡିଛି। ଗତକିଛି ଦିନ ତଳେ ଭଦ୍ରକ-ଚାନ୍ଦବାଲି ରାସ୍ତାରୁ ଏକ କିଲୋଗ୍ରାମରୁ ଉର୍ଦ୍ଧ ବ୍ରାଉନସୁଗାର ଜବତ ହୋଇଥିଲା। ଏସ୍‌ଟିଏଫ୍‌ର ଏକ ଟିମ୍‌ ଚଢ଼ାଉ କରି ବ୍ରାଉନସୁଗାର ଜବତ କରିଥିଲେ।