Odia News Portal

ଦୁଇ ବର୍ଷରେ ବଢ଼ିବ ୫୦୦ ପିଜି ସିଟ୍‌: ଫୋକସ୍‌ରେ କ୍ୟାନ୍ସର ମୁକ୍ତ ଓଡ଼ିଶା, ରକ୍ତ ଭଣ୍ଡାର, କିଡ୍‌ନି ରୋଗ କମାଇବା

ରାଜ୍ୟର ସମସ୍ତ ଜିଲ୍ଲା ଓ ମେଡିକାଲ୍ କଲେଜରେ ବିଶେଷଜ୍ଞଙ୍କ ଦ୍ବାରା ଚିକିତ୍ସା ସେବା ଉପଲବ୍ଧ କରାଇବା ପାଇଁ ପିଜି ପାଠ୍ୟକ୍ରମକୁ ସୁଦୃଢ଼ କରାଯିବ। ଆସନ୍ତା ୨ବର୍ଷ ମଧ୍ୟରେ ୫୦୦ଟି ପିଜି ଆସନ ବୃଦ୍ଧି କରାଯିବ। ଆସନ୍ତା ବର୍ଷ ୧୫୦ଟି ଏମ୍‌ବିବିଏସ୍‌ ସିଟ୍ ବୃଦ୍ଧି ପାଇଁ ବି ପ୍ରସ୍ତାବ ଦିଆଯିବ। ଏହାସହ ଅଧିକରୁ ଅଧିକ ମେଡିକାଲ କଲେଜରେ ସୁପର ସ୍ପେସିଆଲିଷ୍ଟ ସର୍ଭିସ୍ ଉପଲବ୍ଧ କରାଇବା ପାଇଁ ନ୍ୟୁରୋଲୋଜି, ନ୍ୟୁରୋସର୍ଜରି, ନେଫ୍ରୋଲୋଜି, କାର୍ଡିଓଲୋଜି ଓ ପ୍ଲାଷ୍ଟିକ ସର୍ଜରି ପରି ଗୁରୁତ୍ୱପୂର୍ଣ୍ଣ ବିଭାଗଗୁଡ଼ିକର ସମ୍ପ୍ରସାରଣ କରାଯିବ। ଆଜି ବିଧାନସଭାରେ ସ୍ବାସ୍ଥ୍ୟ ବିଭାଗର ଖର୍ଚ୍ଚଦାବି ଆଲୋଚନାର ଉତ୍ତର ରଖି ଏହି ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ। ‘ସୁସ୍ଥ ଓଡ଼ିଶା, ବିକଶିତ ଓଡ଼ିଶା’ ଲକ୍ଷ୍ୟ ନେଇ ସରକାର କାମ କରୁଛନ୍ତି। ସରକାର ସ୍ବାସ୍ଥ୍ୟ ବିଭାଗକୁ ଚଳିତ ଆର୍ଥିକ ବର୍ଷରେ ୨୩୧୮୨.୧୪କୋଟି ଟଙ୍କା ଦେଇଛନ୍ତି, ଯାହା କି ରାଜ୍ୟର ମୋଟ୍ ବଜେଟର ୭.୫% ବୋଲି ମନ୍ତ୍ରୀ କହିଛନ୍ତି। ଶ୍ରୀ ମହାଲିଙ୍ଗ କହିଥିଲେ, ଓଡ଼ିଶାକୁ କର୍କଟମୁକ୍ତ କରିବାକୁ ସରକାର ପଦକ୍ଷେପ ନେଇଛନ୍ତି। ‘ମୁଖ୍ୟମନ୍ତ୍ରୀ କର୍କଟ ଚିକିତ୍ସା ଅଭିଯାନ’ରେ ୧୨୧ଟି ଅତିରିକ୍ତ ରାଜ୍ୟ-ଭିତ୍ତିକ ପ୍ୟାକେଜ୍ ସାମିଲ୍ କରାଯାଇଛି। ଏଥିରେ କର୍କଟ ସନ୍ଦେହ ଥିବା ବ୍ୟକ୍ତିମାନଙ୍କୁ ସ୍କ୍ରିନିଂ, ଡାୟାଗ୍ନୋସିସ, ଚିକିତ୍ସା ଓ ଫଲୋ-ଅପ୍ ପାଇଁ ଡିଜିଟାଲ୍ ପ୍ଲାଟଫର୍ମ ଓ ସ୍ୱେଚ୍ଛାସେବୀମାନଙ୍କ ମାଧ୍ୟମରେ ସହାୟତା ଓ ନେଭିଗେସନ୍ ସୁବିଧା ଦିଆଯିବ। ଆଚାର୍ଯ୍ୟ ହରିହର କର୍କଟ ରୋଗ ପ୍ରତିଷ୍ଠାନ, ଭିମସାର,ଏମ୍‌କେସିଜି ମେଡିକାଲ କଲେଜ, ଏମ୍‌ସ ଭୁବନେଶ୍ବରରେ ଅତ୍ୟାଧୁନିକ କର୍କଟ ଚିକିତ୍ସା, ଟେଲି-ପରାମର୍ଶ ପାଇଁ ହବ୍ ଏବଂ ରାଜ୍ୟ ସାରା ୩୨ ଟି ସ୍ଥାନରେ ସ୍ଥାପିତ ଜିଲ୍ଲା ଡେ କେୟାର କର୍କଟ କେମୋଥେରାପି କେନ୍ଦ୍ର ପାଇଁ ଟେଲି-ପରାମର୍ଶର ସ୍ପୋକ୍ କେନ୍ଦ୍ର ପ୍ରତିଷ୍ଠା କରାଯିବ। ସେହିପରି ରାଜ୍ୟରେ ଯେପରି ରକ୍ତ ଅଭାବରୁ କେହି ମରିବେନି ସେଥିପାଇଁ ‘ଅଟଳ ରକ୍ତ ଦାନ ଅଭିଯାନ’ ଆରମ୍ଭ ହେବ। ଏଥିରେ ସମସ୍ତ ମେଡିକାଲ୍ କଲେଜରେ ରକ୍ତଭଣ୍ଡାର ସ୍ଥାପନ କରାଯିବ। ରାଜ୍ୟର ସମସ୍ତ ରକ୍ତଭଣ୍ଡାରର ଉନ୍ନତୀକରଣ ଓ ଆଧୁନିକୀକରଣ ସହ ୫୦ଟି ମୋବାଇଲ୍ ବ୍ଲଡ୍ ସଂଗ୍ରହ ୟୁନିଟ ରହିବ।ମନ୍ତ୍ରୀ ସୂଚନା ଦେଇଥିଲେ, ସରକାର ହସ୍ପିଟାଲରେ ଶଯ୍ୟା ବୃଦ୍ଧି କରିବାକୁ ନିଷ୍ପତ୍ତି ହୋଇଛି। ଏଥିରେ ମେଡିକାଲ କଲେଜ, ଜିଲ୍ଲା ମୁଖ୍ୟାଳୟ ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ୫୦୦୦ ଆଇପିଡି ଶଯ୍ୟା ଯୋଗାଇ ଦିଆଯିବ। ଏହା ବ୍ୟତୀତ, ଏସ୍‌ସିବି ମେଡିକାଲ କଲେଜ ଏବଂ ହସ୍ପିଟାଲରେ ୧୮୦୦ ଶଯ୍ୟା ବିଶିଷ୍ଟ ସୁବିଧା ସୃଷ୍ଟି କରାଯିବ। ସ୍ୱତନ୍ତ୍ର ଜରୁରୀକାଳୀନ ଚିକିତ୍ସା ଏବଂ ପୁନର୍ବାସ ସେବା ପ୍ରଦାନ କରିବା ପାଇଁ ପୁରୀ, ବୁର୍ଲା, କୋରାପୁଟ, ବ୍ରହ୍ମପୁର ଓ କ୍ୟାପିଟାଲ ହସ୍ପିଟାଲରେ ୨୦୦ କୋଟି ଟଙ୍କା ବ୍ୟୟରେ ସ୍ବତନ୍ତ୍ର ବର୍ଣ୍ଣ ୟୁନିଟ ପ୍ରତିଷ୍ଠା କରାଯିବ। ୨୪ ବର୍ଷର ସରକାର ହସ୍ପିଟାଲଗୁଡ଼ିକର ଅଗ୍ନି ନିରାପତ୍ତା ବ୍ୟବସ୍ଥା ନେଇ ଆଖିଦୃଶିଆ ପଦକ୍ଷେପ ନେଇ ନଥିବା ବେଳେ ଆମେ ବଜେଟ୍‌ରେ ଅଗ୍ନି ନିରାପତ୍ତା ଏବଂ ସୌରଶକ୍ତି ସ୍ଥାପନ ପାଇଁ ୪୭୬.୭୩ କୋଟି ଟଙ୍କା ରଖିଛୁ। ରାଜ୍ୟର ବିଭିନ୍ନ ଅଞ୍ଚଳରେ କ୍ରୋନିକ୍ କିଡ୍‌ନି ଡିଜିଜ୍ (ସିକେଡି)ର ଅଧିକ ପ୍ରାଦୁର୍ଭାବ ବଢ଼ୁଥିବାରୁ ଏହାର ପ୍ରତିରୋଧ ନିରାକରଣ ପାଇଁ ସିକେଡି ରେଜିଷ୍ଟ୍ରି ଆରମ୍ଭ ହେବ। ଏଥି ପାଇଁ ଏନ୍‌ଆଇସି ସହାୟତାରେ ଏକ ପୋର୍ଟାଲ ପ୍ରସ୍ତୁତ କରାଯିବ। ସେହିପରି ପ୍ରତି ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ହେବାକୁ ପୂର୍ବରୁ ନିଷ୍ପତ୍ତି ହୋଇଥିବାବେଳେ ଆଗାମୀ ଦିନରେ ପ୍ରତି ଜିଲ୍ଲାରେ ନର୍ସିଂ କଲେଜ ପ୍ରତିଷ୍ଠା ହେବ। ସ୍ବାସ୍ଥ୍ୟ ବିଭାଗର ଖର୍ଚ୍ଚ ଦାବି ଆଲୋଚନାରେ ବିରୋଧୀ ବିଜେଡି ଓ କଂଗ୍ରେସ ଭାଗ ନେଇନଥିବାବେଳେ ଶାସକ ଦଳ ପକ୍ଷରୁ ଇରାଶିଷ ଆଚାର୍ଯ୍ୟ, ସନାତନ ବିଜୁଳି, ଦୁଷ୍ମନ୍ତ କୁମାର ସ୍ବାଇଁ, ଫକୀର ମୋହନ ନାଏକ, ସୀତାଂଶୁ ଶେଖର ମହାପାତ୍ର, ରୁପୁ ଭାତ୍ରା, ନୀଳମଣି ବିଷୋୟୀ, ସିଦ୍ଧାନ୍ତ ମହାପାତ୍ର, ସନ୍ତୋଷ ଖଟୁଆ, ରଘୁନାଥ ଜଗଦଲା ପ୍ରମୁଖ ଖର୍ଚ୍ଚ ଦାବିକୁ ସମର୍ଥନ କରି ସ୍ବାସ୍ଥ୍ୟ ବିଭାଗର ବିଭିନ୍ନ ଯୋଜନା ବିଷୟରେ କହିଥିଲେ।