Odia News Portal

କଂଗ୍ରେସ ପକ୍ଷରୁ ୬ ଘଣ୍ଟିଆ ହରତାଳ

ଭୁବନେଶ୍ବର: କଳାହାଣ୍ଡି ଜିଲ୍ଲାର ମମିତା ମେହେର ହତ୍ୟା ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର ଓ ଗିରଫ ଦାବିରେ ରାଜ୍ୟ କଂଗ୍ରେସ ପକ୍ଷରୁ  ହରତାଳ ଆରମ୍ଭ ହୋଇଛି। କଂଗ୍ରେସ ପକ୍ଷରୁ ୬ ଘଣ୍ଟିଆ ହରତାଳ ଡାକରା ଦିଆଯାଇଛି । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ଏବଂ ପୀଡ଼ିତାଙ୍କ ପରିବାରକୁ ନ୍ୟାୟ ଦାବିରେ ଅଡ଼ି ବସିଛନ୍ତି ବିରୋଧୀ।

ଏହାର ପ୍ରଭାବରେ ଯାନବାହନ ଚଳାଚଳ ସ୍ବାଭାବିକ ହୋଇପାରିନାହିଁ। ଖାଲି ସେତିକି ନୁହେଁ, ଜନଜୀବନ ବି ପ୍ରଭାବିତ ହୋଇଛି। କଟକ, ଭୁବନେଶ୍ବର ସମେତ ବିଭିନ୍ନ ଅଞ୍ଚଳରେ ଟ୍ରକ୍ ଚଳାଚଳ ସ୍ବାଭାବିକ ଥିଲେ ବି ବେଶୀସଂଖ୍ୟକ ବସ ଚାଲୁନାହିଁ। ତେବେ କଟକ ଓ ଭୁବନେଶ୍ବରରେ ମୋ ବସ୍ ଚାଲିଥିବାର ଦେଖିବାକୁ ମିଳୁଛି। କିନ୍ତୁ ଆଜି ଲୋକ ହେଉ ନଥିବା ହେତୁ ବସ୍ ଚାଲୁନଥିବା କୁହାଯାଉଛି।

ଏଣେ ହରତାଳ ନେଇ ବରିଷ୍ଠ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁରେଶ ରାଉତରାୟ କହିଛନ୍ତି, ବନ୍ଦକୁ ଲୋକଙ୍କ ପୂର୍ଣ୍ଣ ଏବଂ ଅକୁଣ୍ଠ ସମର୍ଥନ ମିଳୁଛି। ବନ୍ଦ ସଫଳ ହୋଇଛି। ଆଜି ସକାଳେ ବିଧାୟକ ସୁରେଶ ରାଉତରାୟ, ଜୟଦେବ ଜେନା ଓ ଛାତ୍ର କଂଗ୍ରେସ ସଭାପତି ୟାଶୀର ନୱାଜଙ୍କ ନେତୃତ୍ୱରେ ବହୁ କଂଗ୍ରେସ ନେତା ରାଜଧାନୀର ମାଷ୍ଟର କ୍ୟାଣ୍ଟିନ ଛକରେ ନାରାବାଜି କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।