Odia News Portal

ଗୋଟିଏ ଦିନ ଲାଗି ଗୃହରୁ ନିଲମ୍ବିତ ହେଲେ ଟିଏମସିର ୬ ସାଂସଦ

ନୂଆଦିଲ୍ଲୀ: ସଂସଦରେ ଚାଲିଥିବା ମୌସୁମୀ ଅଧିବେଶନରେ ବିରୋଧୀଙ୍କ ହୋ ହାଲ୍ଲାକୁ ନେଇ ଆକ୍ସନ ମୋଡରେ ରାଜ୍ୟସଭା ସଭାପତି । ଏହି କ୍ରମରେ ଆଜି ରାଜ୍ୟସଭା ସଭାପତି ଭେଙ୍କେୟା ନାଇଡୁ ୬ ଜଣ ଟିଏମସି ସାଂସଦଙ୍କୁ ନିଲମ୍ବିତ କରିଛନ୍ତି । ସେମାନଙ୍କୁ ଗୃହରୁ ଗୋଟିଏ ଦିନ ପାଇଁ ନିଲମ୍ବିତ କରାଯାଇଛି । କହିରଖୁ କି ପେଗାସସ ଗୁପ୍ତଚର ମାମଲାରେ ଟିଏମସି ସାଂସଦ ମାନେ ସଭାପତିଙ୍କ ପୋଡିୟମ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହାକୁ ନେଇ ସେମାନଙ୍କୁ ଗୃହରୁ ନିଲମ୍ବିତ କରାଯାଇଛି । ଆଜି (ବୁଧବାର) ସକାଳେ କୃଷି ଆଇନ ନେଇ ଆଲୋଚନା ପାଇଁ ଦିଆଯାଇଥିବା ନୋଟିସକୁ ସଭାପତି ସ୍ୱୀକାର କରି ଅନ୍ୟ ନୋଟିସଗୁଡିକୁ ଖାରଜ କରିଦେଇଥିଲେ । ଏହାକୁ ନେଇ ଟିଏମସି ଓ ଅନ୍ୟ ବିରୋଧୀ ସାଂସଦମାନେ ସଭାପତିଙ୍କ ପୋଡିୟମ ନିକଟରେ ହୋ ହାଲ୍ଲା କରିଥିଲେ । ସେମାନେ ପେଗାସସ ମାମଲାରେ ଆଲୋଚନା ପାଇଁ ଦାବି କରିଥିଲେ ।

ଏନେଇ ସଭାପତି ସାଂସଦମାନଙ୍କୁ ସେମାନଙ୍କ ଟେବୁଲ ନିକଟକୁ ଫେରିଯିବାକୁ ଅନୁରୋଧ କରିବା ସହ ଏଭଳି କଲେ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଥିଲେ । ହେଲେ ସାଂସଦମାନେ ନ ଶୁଣିବାରୁ ସଭାପତି ନିୟମ ୨୫୫ ଆଧାରରେ ୬ ଜଣ ଟିଏମସି ସାଂସଦଙ୍କୁ ଗୋଟିଏ ଦିନ ପାଇଁ ଗୃହରୁ ନିଲମ୍ବିତ କରିଛନ୍ତି ।କହିରଖୁ କି ଜୁଲାଇ ୧୯ ରୁ ଉଭୟ ଗୃହରେ ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି । ହେଲେ ପେଗାସସ୍, ଚାଷୀ ଆନ୍ଦୋଳନ ଓ ଦରବୃଦ୍ଧିକୁ ନେଇ ବିରୋଧୀଙ୍କ ହୋ ହାଲ୍ଲା ଯୋଗୁଁ ଆଜି ଯାଏ ଗୋଟିଏ ଦିନ ବି ଠିକରେ ଚାଲି ପାରିନାହିଁ ଉଭୟ ଗୃହ । ଅନ୍ୟପଟେ ବିନା ବିଚାର ବିମର୍ଷରେ କେନ୍ଦ୍ର ସରକାର ବିଭିନ୍ନ ବିଧେୟକକୁ ପାରିତ କରିଛନ୍ତି ।