ଦିଲ୍ଲୀ ସରକାରଙ୍କ ମନ୍ତ୍ରୀ କୈଳାଶ ଗେହଲୋଟ୍ ଏବଂ ରାଜକୁମାର ଆନନ୍ଦଙ୍କୁ ନୂତନ ବିଭାଗର ଦାୟିତ୍ୱ ଦେବା ପାଇଁ ଉପରାଜ୍ୟପାଳ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ମିଳିଥିବା ସୂଚନା ମୁତାବକ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ପାଖରେ ୧୮ଟି ବିଭାଗ ଥିବାବେଳେ ସେ ଗତକାଲି ଇସ୍ତଫା ଦେଇଥିଲେ | ଆଉ ଏହି ସବୁ ବିଭାଗ କାହାକୁ ଦିଆଯିବ ସେନେଇ ଚର୍ଚ୍ଚା ଜୋର ଧରିଥିଲା | ତେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କୈଳାଶ ଗେହଲୋଟଙ୍କୁ ୮ଟି ଏବଂ ରାଜକୁମାର ଆନନ୍ଦଙ୍କୁ ୧୦ଟି ବିଭାଗ ଦେବାକୁ ନିଷ୍ପତ୍ତି ନେଇଥିଲେ | ଏନେଇ କେଜ୍ରିୱାଲ ଉପରାଜ୍ୟପାଳଙ୍କ ନିକଟକୁ ପ୍ରସ୍ତାବ ପଠାଇଥିଲେ | ଯାହାକୁ ଉପରାଜ୍ୟପାଳ ମଂଜୁର କରିଛନ୍ତି | କୈଳାଶ ଗେହଲୋଟଙ୍କୁ ଅର୍ଥ, ଯୋଜନା, ଶକ୍ତି, ଗୃହ, ଜଳସେଚନ ଏବଂ ବନ୍ୟା ନିୟନ୍ତ୍ରଣ, ଜଳ ବିଭାଗ ଦାୟିତ୍ୱ ଦେବାକୁ ନିଷ୍ପତ୍ତି ନିଆଯାଇଛି। ସେହିପରି ରାଜକୁମାର ଆନନ୍ଦଙ୍କୁ ଶିକ୍ଷା, ସଚେତନତା, ପର୍ଯ୍ୟଟନ, କଳା ସଂସ୍କୃତି ଏବଂ ଭାଷା, ଶ୍ରମ, ରୋଜଗାର, ସ୍ୱାସ୍ଥ୍ୟ ଏବଂ ଶିଳ୍ପ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ଦିଆଯାଇଛି |
ଉଲ୍ଲେଖ ଥାଉ କି ଅବକାରୀ ଦୁର୍ନୀତି ମାମଲାରେ ସିସୋଦିଆଙ୍କୁ ଗତ ରବିବାର ଦିନ ସିବିଆଇ ଗିରଫ କରିଥିଲା । ଅନ୍ୟପକ୍ଷେ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଗତବର୍ଷ ମେ’ରେ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଏକ ମନି ଲଣ୍ଡରିଂ ମାମଲାରେ ଗିରଫ କରିଥିଲା। ଏହି ଦୁଇ ଜଣ ଗତକାଲି ଇସ୍ତଫା ଦେଇଥିଲେ | କୈଳାଶ ଗେହଲୋଟ୍ ବର୍ତ୍ତମାନ ଦିଲ୍ଲୀ ସରକାରରେ ପରିବହନ ମନ୍ତ୍ରୀ ଅଛନ୍ତି। ଫେବୃଆରୀ ୨୦୧୫ରେ ନଜଫଗଡ ନିର୍ବାଚନମଣ୍ଡଳୀରୁ ଦିଲ୍ଲୀ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ରାଜକୁମାର ଆନନ୍ଦ ପଟେଲ ନଗର ଆସନରୁ ଆମ୍ ଆଦମୀ ପାର୍ଟି ଟିକେଟରେ ୨୦୨୦ ରେ ପ୍ରଥମ ଥର ପାଇଁ ବିଧାୟକ ହୋଇଥିଲେ।