Odia News Portal

ବାଲି  ମାଫିଆଙ୍କ ଯୋଗୁଁ ଲିନହେବାକୁ ବସିଲାଣି ସାଳନ୍ଦୀ ନଦୀ କୂଳରେ ଥିବା ୮ ଗାଁ  

ବାଲି ଓ ମାଟି ମାଫିଆଙ୍କ ଦୌରାତ୍ମ୍ୟ ଯୋଗୁ ସାଳନ୍ଦୀରେ ଲୀନ ହେବ ଭଦ୍ରକ ଜିଲ୍ଲାର ବନ୍ତ ତହସିଲ ଅଧୀନ ଗୋପିନାଥପୁର ପଞ୍ଚାୟତର କାଣ୍ଡବା ଓ ବିଟିପୁର ପଞ୍ଚାୟତର ହଳଦୀପହଣୀ ଗାଁ। ଖାଲି ଏହି ଦୁଇ ଗାଁ ନୁହେଁ, ସାଳନ୍ଦୀ ନଦୀକୂଳରେ ଥିବା ଆଉ ୮ଟି ଗାଁ ପ୍ରତି ମଧ୍ୟ ବିପଦ ରହିଛି। ଫଳ‌ରେ, ନଦୀକୂଳିଆ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି।

ସୂଚନା ଅନୁସାରେ, ଗୋପିନାଥପୁର ପଞ୍ଚାୟତର କାଣ୍ଡବା ଓ ବିଟିପୁର ପଞ୍ଚାୟତର ହଳଦୀପହଣୀ ଘାଟରୁ ବାଲି ମାଫିଆ ଅହରହ ବାଲି କୋରି ଚାଲିଛନ୍ତି। ତହସିଲ କି ବ୍ଲକ୍‌ ପ୍ରଶାସନ ଏଥିପ୍ରତି ଆଖି ବୁଜି ଦେଇଥିବାରୁ ଆଗାମୀ ଦିନରେ ଏହି ଦୁଇ ଗାଁ ସାଳନ୍ଦୀରେ ଲୀନ ହୋଇଯିବ ବୋଲି ଆଶଙ୍କା କରାଯାଉଛି। ସେହିପରି, ସାଳନ୍ଦୀ କୂଳରେ ଥିବା ସାହୁପଡ଼ା, ଶ୍ରୀରାମପୁର, ଅମରସିଂହପୁର, ଚାରିଗାଁ, ଚକ୍ରାପାଢ଼ୀ, ଅଣିଜୋ, ଇଟୁଆ, ବିରିଡ଼ିହି ଆଦି ଗ୍ରାମଗୁଡ଼ିକ ପାର୍ଶ୍ବରୁ ମାଫିଆମାନେ ଦିନରାତି ବାଲି ଖନନ କରୁଥିବାରୁ ଏହି ଗାଁଗୁଡ଼ିକ ପ୍ରତି ମଧ୍ୟ ବିପଦ ଆଶଙ୍କା ରହିଛି। ଏଥିପାଇଁ ଏହିସବୁ ଗାଁର ଲୋ‌କେ ପ୍ରଶାସନ ନିକଟରେ ଅଭିଯୋଗ କରୁଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହେଉନି।
ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ଏହିସବୁ ଗାଁ ପାର୍ଶ୍ବରେ ଥିବା ବାଲିଘାଟଗୁଡ଼ିକୁ ପ୍ରଶାସନ ପକ୍ଷରୁ ୨୦୦୦ ମସିହାରେ ନିଲାମ କରାଯାଇଥିଲା। ୨୦୦୦ ମସିହା ପରଠାରୁ ଆଉ ନିଲାମ କରାଯାଇ ନଥିବାରୁ ବାଲି ମାଫିଆମାନେ ଦିନରାତି ବାଲି ଉତ୍ତୋଳନ କରୁଛନ୍ତି। ଲୋକେ ପ୍ରତିବାଦ କଲେ ଧମକ ମିଳୁଥିବା ଅଭିଯୋଗ ମଧ୍ୟ ହେଉଛି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ୨୦୦୨-୦୩ ଆର୍ଥିକ ବର୍ଷରେ ତତ୍କାଳୀନ କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀ ତଥା ଭଦ୍ରକ ସାଂସଦ ସ୍ୱର୍ଗତ ଅର୍ଜୁନଚରଣ ସେଠୀଙ୍କ ଉଦ୍ୟମ କ୍ରମେ ସାଳନ୍ଦୀ ସଂସ୍କାର ଯୋଜନାରେ ୧୦୨କୋଟି ଟଙ୍କା ମଞ୍ଜୁର ହୋଇ ନଦୀ ଖନନ, ନଦୀପାର୍ଶ୍ବରେ କଂକ୍ରିଟ ୱାଲ୍‌ ଓ ପଥର ପ୍ୟାକିଂ କରାଯାଇଥିଲା। ୨୦୦୫-୦୬ ଆର୍ଥିକ ବର୍ଷରେ ମଧ୍ୟ ପୋତି ହୋଇଯାଇଥିବା ନଦୀଗର୍ଭ ଖନନ କରାଯାଇଥିଲା। ମାତ୍ର, ଉକ୍ତ ଅନୁଦାନ ରାଶିର ଉପଯୁକ୍ତ ବିନିଯୋଗ ନ ହେବାରୁ କ୍ରମଶଃ ନଦୀର ଗତିପଥ ବଦଳି ଜନବସତି ଆଡ଼କୁ ମାଡ଼ିଆସୁଛି। ଏଥିପାଇଁ ପରିବେଶବିତ୍‌ଙ୍କ ମଧ୍ୟରେ ଉଦ୍‌ବେଗ ପ୍ରକାଶ ପାଇଛି।