Odia News Portal

କାର୍ ସହ ୮୮୦ ବୋତଲ ବିଦେଶୀ ମଦ ଜବତ: ଡ୍ରାଇଭର ଗିରଫ, ବେପାରୀ ଫେରାର

ଦୀର୍ଘ ଦିନ ହେଲା ଜଗତସିଂହପୁର ନୂଆପଡାରେ ଚାଲିଥିବା ଚୋରା ମଦକାରବାର ଗୁମର ଖୋଲିଛି ପୁଲିସ। ଏକା ଥରକେ ୮୮୦ ବୋତଲ ମଦ ଜବତ କରିଛି। ଚାଲାଣରେ ବ୍ୟବହୃତ ସ୍ବିଫ୍ଟ ଡିଜାୟାର କାର(ଓଡି୩୩-୩୫୦୦) ପୁଲିସ ଜବତ କରିଛି। ଗିରଫ ଅଭିଯୁକ୍ତ ହେଲେ କାର ଚାଳକ ନୂଆପଡ଼ାର ଚନ୍ଦନ ଓରଫ୍ ଶିବ ପ୍ରସାଦ ଦାସ (୨୫) । ଚଢଉ ବେଳେ ନୂଆପଡାର ମୁନା ଓରଫ୍ ସଂଗ୍ରାମ ପ୍ରଧାନ ଫେରାର ହୋଇଯାଇଥିବା ଜଣାଯାଇଛି। ଢିହସାହି ବିଦେଶୀ ମଦ ଦୋକାନ ମ୍ୟାନେଜର ଦିଲ୍ଲୀପ ରାୟଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଏ ନେଇ ଏସଡିପିଓ ଆଜିଙ୍କ୍ଯା ମାଣେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।ପୁଲିସର ସୂଚନା ଅନୁସାରେ, ଚୋରା ବେପାରୀ ଢିହସାହିରେ ଥିବା ବିଦେଶୀ ମଦ ଦୋକାନରୁ ମଦ କିଣି ଚୋରାରେ ବିକ୍ରି କରନ୍ତି। ଢିହସାହିରୁ କାରରେ ମଦ ନେଇ ବିକ୍ରି କରିବାକୁ ଯାଉଥିବା ବେଳେ ପାକନପୁର ନିକଟରେ ପୁଲିସ ଚଢ଼ଉ କରି ଧରିଥିଲା। ପୁଲିସ ଗାଡ଼ିକୁ ଦେଖି ମୁନା ଫେରାର ହୋଇ ଯାଇଥିଲା। କାର ଡିକି ଓ ପଛ ସିଟରୁ ବିପୁଳ ମଦ ଜବତ କରା ଯାଇଥିଲା।