ଚିଲିକାକୁ ଆସିଲେଣି ବିଦେଶାଗତ ପକ୍ଷୀ, କିଚିରି ମିଚିରି ଶବ୍ଦରେ କମ୍ପୁଛି ଚିଲିକା By Swadhikar News Last updated Oct 14, 2025 ଏସିଆ ମହାଦେଶର ସର୍ବ ବୃହତମ ଲବଣ ହ୍ରଦ ହେଉଛି ଚିଲିକା । ଏହା ୧୧ ଶହ କିଲୋମିଟର ବର୍ଗ ବିଶିଷ୍ଟ ଖୋର୍ଦ୍ଧା, ପୁରୀ ଓ ଗଞ୍ଜାମ ଜିଲ୍ଲାର ବିଭିନ୍ନ ପ୍ରାନ୍ତକୁ ଲାଗିରହିଛି । ଏହା ଓଡିଶାର ଏକ ପର୍ଯ୍ୟଟନ ସ୍ଥଳ ଓ ପକ୍ଷୀ ଅଭୟାରଣ୍ୟ ସହିତ ଭାରତର ପ୍ରଥମ ଆଦ୍ରଭୂମି ଭାବରେ ବେଶ ପରିଚିତ । ଚିଲିକାର ନୀଳ ଜଳରାଶି ଏବଂ ସୌନ୍ଦର୍ଯ୍ୟରେ ଭରପୁର ମନୋରମ ଦୃଶ୍ୟ, ବିଭିନ୍ନ ସ୍ଥାନରୁ ଆସୁଥିବା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ । ଚିଲିକା ଦେଖିବାକୁ ଯେତିକି ସୁନ୍ଦର ଲାଗିଥାଏ , ତାହାଠାରୁ ଅଧିକ ସୁନ୍ଦର ଲାଗିଥାଏ ଚିଲିକାକୁ ଆସୁଥିବା ବିଦେଶାଗତ ରଙ୍ଗ ବେରଙ୍ଗର ପକ୍ଷୀ । ଶୀତ ଦିନର ଆଗମନ ହେଲେ ଚିଲିକାକୁ ଆସିଥାନ୍ତି ଲକ୍ଷ ଲକ୍ଷ ବିଦେଶାଗତ ପକ୍ଷୀ । ଅକ୍ଟୋବର ମାସର ପ୍ରଥମ ସପ୍ତାହରେ ବିଦେଶାଗତ ପକ୍ଷୀଙ୍କ ଚିଲିକାକୁ ଆଗମନ ହୋଇଥାଏ । ଚଳିତ ବର୍ଷ ଅକ୍ଟୋବର ପ୍ରଥମ ସପ୍ତାହରେ ଚିଲିକାକୁ ବିଦେଶାଗତ ଅତିଥିଙ୍କ ଆଗମନ ହୋଇସାରିଲାଣି । ରଙ୍ଗ ବେରଙ୍ଗର ପକ୍ଷୀଙ୍କ କିଚିରି ମିଚିରି ଶବ୍ଦରେ କମ୍ପୁଛି ଚିଲିକା । ଚିଲିକାର ନୀଳ ଜଳରାଶି ଉପରେ ଘୁରି ବୁଲିଲେଣି ଏହି ବିଦେଶାଗତ ପକ୍ଷୀ । ଖାସ୍ କରି ଚିଲିକାର ନଳବଣ, ମଙ୍ଗଳାଯୋଡ଼ି, କାଙ୍କଣ ଶିଖରୀ, କଳିଯୁଗେଶ୍ୱର ଓ ଅନ୍ୟ ଅଞ୍ଚଳରେ ଏହି ବିଦେଶୀ ପକ୍ଷୀଙ୍କ ହେଉଛି ସମାଗମ । ଏପଟେ ପକ୍ଷୀମାନଙ୍କର ସୁରକ୍ଷା ନେବା ଲାଗି ତପ୍ତର ହୋଇଉଠିଛି ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ବିଭାଗ । ୫ ଟି ରେଞ୍ଜରେ ଗଠିତ ବାଲୁଗାଁ, ଟାଙ୍ଗି, ରମ୍ଭା, ସାତପଡ଼ା ଓ ନୂଆପଡାରେ ସର୍ବମୋଟ ୨୧ ଗୋଟି ସ୍ଥାୟୀ ଓ ଅସ୍ଥାୟୀ ପକ୍ଷୀ ସୁରକ୍ଷା ଶିବିର ଗଠନ କରାଯାଇଛି । ବାଲୁଗାଁ ରେଞ୍ଜରେ ୦୪, ଟାଙ୍ଗୀ ରେଞ୍ଜ ରେ ୧୧, ରମ୍ଭା ରେଞ୍ଜରେ ୦୨, ସାତପଡ଼ା ରେଞ୍ଜରେ ୦୨ ଓ ନୂଆପଡା ରେଞ୍ଜରେ ୦୨ ଟି କ୍ୟାମ୍ପ ଚଳିତ ବର୍ଷ କରାଯାଇଛି । ଏହା ସହିତ ୧୧ ଟି ବୋଟରେ ୨୪ ଘଣ୍ଟିଆ ପାଟ୍ରୋଲିଙ୍ଗ ଚାଲିଛି ବୋଲି ବାଲୁଗାଁ DFO ଅମ୍ଲାନ ନାୟକ ସୂଚନା ଦେଇଛନ୍ତି । ଥଣ୍ଡା ଯେତିକି ଯେତିକି ବଢିଥାଏ ଏହି ବିଦେଶାଗତ ପକ୍ଷୀଙ୍କ ଭିଡ଼ ସେତିକି ସେତିକି ବଢିଥାଏ । କାହିଁ କେଉଁ କାଳରୁ ଏହି ବିଦେଶାଗତ ଅତିଥିମାନଙ୍କୁ କୋଳେଇ ନେଉଛି ଏହି ମରାଳ ମାଳିନୀ ନିଲାମ୍ବୁ ଚିଲିକା । ଆଉ ନୀଳ ଜଳରାଶିରେ ବେଶ ଖୁସିରେ ବୁଲୁଛନ୍ତି ଏହି ପକ୍ଷୀମାନେ । swadhikarswadhikar news Share