Odia News Portal

ମୋ ବିରୁଦ୍ଧରେ ଜଣେ ଅଧ୍ୟାପକ ରୀତିମତ ଷଡ଼ଯନ୍ତ୍ର ରଚିଛନ୍ତି

ବାଲିକୁଦା: ଜଗତସିଂହପୁରଜିଲ୍ଲା ବାଲିକୁଦା କଲେଜର ବାଣିଜ୍ୟ ବିଭାଗ ଅଧ୍ୟାପକ ସନ୍ତୋଷ କୁମାର ଶତପଥୀ ନିଲମ୍ବନ ପରେ ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି। କଲେଜ ପରିଚାଳନା କମିଟି ଦ୍ୱାରା ନିଯୁକ୍ତି ପାଇଥିବା ଅଧ୍ୟାପକ ସନ୍ତୋଷ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ସିକିମର ଯେଉଁ ୟୁନିଭରସିଟିରେ ୨୦୧୦ ମସିହା ଠାରୁ ୨୦୧୨ ମଧ୍ୟରେ ତିନିବର୍ଷିଆ ଶିକ୍ଷା ସମାପ୍ତ କରିଥିଲେ ଏବଂ ଏଥିରୁ ସେ ପାଇଥିବା ସାର୍ଟିଫିକେଟ ସମ୍ପୂର୍ଣ୍ଣ ବୈଧ ଅଟେ। ଏହାର ୩ ବର୍ଷ ପରେ ୨୦୧୫ ମସିହା ଡିସେମ୍ବର ମାସରେ ଉକ୍ତ ୟୁନିଭରସିଟି କେଉଁ କାରଣରୁ ବନ୍ଦ ହୋଇଥିଲା ତାଙ୍କୁ ଜଣାନାହିଁ।ଶ୍ରୀ ଶତପଥୀ କହିଛନ୍ତି, ତାଙ୍କର ପଦବି ପ୍ରଥମ ହୋଇଥିବା କାରଣରୁ ତାଙ୍କ ସହ ଜଣେ ଅଧ୍ୟାପକ ପ୍ରଥମ ପଦବି ପାଇବା ଲୋଭରେ ତାଙ୍କ ବିରୁଦ୍ଧରେ ଏକ ରୀତିମତ ଷଡ଼ଯନ୍ତ୍ର କରିଥିଲେ। ଏପରିକି ତାଙ୍କର ସ୍ୱାର୍ଥ ସାଧନ ନିମନ୍ତେ ଜଣେ ମହିଳାଙ୍କ ନାମରେ ନିଜ ପତ୍ନୀଙ୍କ ନମ୍ବର ଦେଇ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ କରାଇଥିଲେ। ଶେଷରେ ସେ ତାଙ୍କ ଚକ୍ରାନ୍ତରେ ସଫଳ ହୋଇଥିଲେ। ଏଥିପାଇଁ ସନ୍ତୋଷ କଲେଜ ବଦନାମ ହେଉଥିବା ଓ ସେ ପ୍ରଦାନ କରିଥିବା ସାର୍ଟିଫିକେଟର ସଠିକ ଯାଞ୍ଚ ପାଇଁ ସେ ୨୦୨୨ ଓ ୨୩ ମସିହାରେ ଲିଖିତ ଆକାରରେ କଲେଜ ଅଧକ୍ଷ ଓ ପରିଚାଳନା କମିଟିକୁ ପ୍ରଦାନ କରିଥିଲେ। ଏନେଇ କଲେଜ ଅଧକ୍ଷ କୃଷ୍ଣ ପ୍ରସାଦ ମହାନ୍ତି ପ୍ରକାଶ କରିଛନ୍ତି କି ସେ ଦେଢ଼ ବର୍ଷ ହେବ ଦାୟିତ୍ୱରେ ରହିଛନ୍ତି। ତେବେ ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ ଏହାର ତଦନ୍ତ କରି ରିପୋର୍ଟ ପ୍ରଦାନ କରିଥିଲା। ହେଲେ ସିକିମ ସରକାର ଏହାର କୌଣସି ଉତ୍ତର ଦେଇ ନଥିବା କଥା ମଧ୍ୟ ରିଜୋନାଲ ଡାଇରେକ୍ଟରଙ୍କୁ ପ୍ରଦାନ କରାଯାଇଥିଲା ଏପରିକି ସନ୍ତୋଷ ପ୍ରଦାନ କରିଥିବା ସାର୍ଟିଫିକେଟର ହାର୍ଡ କପି ମଧ୍ୟ ପ୍ରଦାନ କରାଯାଇଥିଲା। ହେଲେ ସେ କେଉଁ ଆଧାରରେ ବହିଷ୍କାର ପାଇଁ ନିର୍ଦେଶ ଦେଲେ ତାଙ୍କୁ ଜଣା ନାହିଁ। ତେବେ ତାଙ୍କ ନିର୍ଦେଶ କ୍ରମେ ଓ ଉପଜିଲ୍ଲାପାଳଙ୍କ ଚିଠି ଆଧାରରେ ଏଭଳି କରାଯାଇଥିବା ସେ ପ୍ରକାଶ କରିଥିଲେ। ତେବେ ତାଙ୍କ ଠାରୁ ପାଇଥିବା ବେତନକୁ ଫେରସ୍ତ ପାଇଁ ନିର୍ଦେଶ ଥିବାବେଳେ ତାଙ୍କ ବିରୁଦ୍ଧରେ ମାମଲା ରୁଜୁ ପାଇଁ କୌଣସି ପଦକ୍ଷପ ଗ୍ରହଣ କରିବାକୁ ଚିଠିରେ ଉଲ୍ଲେଖ ନଥିବା ସ୍ପଷ୍ଟ କରିଥିଲେ।  ସୂଚନାଯୋଗ୍ୟ, ଏମ୍‌କମ୍‌ ସାର୍ଟିଫିକେଟ ନକଲି ହୋଇଥିବା ଅଭିଯୋଗରେ ସନ୍ତୋଷ କୁମାର ଶତପଥୀଙ୍କୁ ଆଞ୍ଚଳିକ ନିର୍ଦ୍ଦେଶକ ଉପଜିଲ୍ଲାପାଳଙ୍କୁ ବହିଷ୍କାର ପାଇଁ ନିର୍ଦେଶ ଦେଇଥିଲେ। ଯେଉଁ ଆଧାରରେ ଉପଜିଲ୍ଲାପାଳ ସନ୍ତୋଷଙ୍କୁ ବହିଷ୍କାର କରିବା ସହ ସେ ଦୀର୍ଘ ୮ ବର୍ଷ ହେବ ପାଇଥିବା ବେତନ ବାବଦ ପ୍ରାୟ ୬ ଲକ୍ଷ ଟଙ୍କା ଫେରସ୍ତ ପାଇଁ ନିର୍ଦେଶ ଦେଇଥିଲେ।