Odia News Portal

ଗୁଜରାଟରେ ପାଚେରି ଭୁଶୁଡ଼ି ୪ ଶିଶୁ ମୃତ, ୬ ଆହତ

 ଗୁଜରାଟର ପଞ୍ଚମହଲ ଜିଲ୍ଲାର ହଲୋଲସ୍ଥିତ ଜିଆଇଡିସି କମ୍ପାନୀର ପାଚେରି ଭୁଶୁଡ଼ି ପଡ଼ିବା ଫଳରେ ୪ ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇ ପରିବାରର ଦୁଇ ମହିଳାଙ୍କ ସମେତ ୬ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି । ମୃତକଙ୍କ ବୟସ ୨ରୁ ୫ ବର୍ଷ ମଧ୍ୟରେ ।

ସୂଚନା ଅନୁସାରେ ଦୁର୍ଘଟଣାର ଶିକାର ଲୋକମାନେ ମଧ୍ୟପ୍ରଦେଶରୁ କାମ ପାଇଁ ହଲୋଲ୍ ଆସିଥିଲେ । ଜିଆଇଡିସି କମ୍ପାନୀର ପାଚେରି ଲଗାଇ ଝୋପଡ଼ି କରି ପୀଡ଼ିତ ଦୁଇ ପରିବାର ରହୁଥିଲେ । ତେବେ ଭୀଷଣ ବର୍ଷା କାରଣରୁ ପାଚେରି ଭୁଶୁଡ଼ି ପଡ଼ିବାରୁ ତା’ ତଳେ ଦବିଯାଇଥିଲେ । ସୂଚନା ପାଇଁ ପୁଲିସ ଓ ଫାୟାର୍ ବ୍ରିଗେଡ୍ ଟିମ୍ ପହଞ୍ଚି କାନ୍ଥର ଧ୍ୱଂସାବଶେଷ ତଳେ ଦବି ରହିଥିବା ଲୋକଙ୍କ ଉଦ୍ଧାର କରିଥିଲେ ମଧ୍ୟ ୪ ଶିଶୁଙ୍କୁ ବଞ୍ଚାଇପାରି ନଥିଲେ । ମୃତକଙ୍କ ମଧ୍ୟରୁ ତିନିଜଣ ଭାଇ-ଭଉଣୀ ।