Odia News Portal

ଏସିଏଫ ସୌମ୍ୟରଂଜନଙ୍କ ମୃତ୍ୟୁକୁ ନେଇ ବଢୁଛି ସସପେନ୍ସ

ପାରଳାଖେମୁଣ୍ଡି ଏସିଏଫ୍‌ ସୌମ୍ୟରଞ୍ଜଙ୍କ ମୃତ୍ୟୁ ମାମଲାରେ କିଛି ଦିନ ସ୍ଥିତି ସ୍ୱାଭାବିକ ରହିବା ପରେ ଏବେ ପୁଣି ସସ୍‌ପେନ୍‌ସ୍‌ ବଢ଼ିଛି । ପାରଳା ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରାଙ୍କ ପୂର୍ବତନ ରାତ୍ରୀ ଜଗୁଆଳି ଗଙ୍ଗା ପ୍ରଧାନ ଗଣମାଧ୍ୟମ ସମ୍ମୁଖରେ ବିସ୍ଫୋରକ ବୟାନ ଦେବାର ଦିନକ ପରେ ଲୋକଲୋଚନକୁ ଆସିଛି ବନବିଭାଗର ଏକ ଚିଠି । ଯେଉଁଥିରେ ଗଙ୍ଗାଙ୍କୁ ୨୦୨୦ ଡିସେମ୍ବର ମାସରୁ ଚାକିରିରୁ ହଟାଯାଇଥିବା ଉଲ୍ଲେଖ ରହିଛି । ଏହା ତାଙ୍କ ବିରୋଧରେ ଷଡ଼ଯନ୍ତ୍ର ବୋଲି ଅଭିଯୋଗ କରିଛନ୍ତି ଗଙ୍ଗା । ମୋତେ ଫସାଇବା ପାଇଁ ପିଛିଲା ତାରିଖରେ ଏକ ଚିଠି କରାଯାଇ ମୋର ମନ୍ତବ୍ୟକୁ ଭୁଲ ପ୍ରମାଣିତ କରିବାକୁ ପ୍ରୟାସ କରାଯାଉଥିବା ସେ କହିଛନ୍ତି ।

ମହେନ୍ଦ୍ର ବନାଞ୍ଚଳ ଅଧିକାରୀ କବିନ ପରିଚ୍ଛା କହିଛନ୍ତି, ଡିସେମ୍ବରରେ ଗଙ୍ଗାଙ୍କୁ କାମରୁ ବାହାର କରାଯାଇଥିଲା । ଏନେଇ ଡିସେମ୍ବର ୩୧ ତାରିଖରେ ଗଙ୍ଗାଙ୍କୁ ଜଣାଯାଇଛି । ପ୍ରାୟ ୧ ମାସ ଧରି ସମ୍ପୃକ୍ତ ଠିକା ସଂସ୍ଥା କୌଣସି ବ୍ୟକ୍ତିଙ୍କୁ ନିଯୁକ୍ତ କରିବାରେ ବିଫଳ ହେବାରୁ ନିଜେ ଜଣେ ପିଲାଙ୍କୁ ଠିକ୍‌ କରି ନିଯୁକ୍ତ କରିଥିଲେ ଏବଂ ସେ ନେଇ ସଂସ୍ଥାକୁ ଚିଠି ଲେଖିଥିଲେ ବୋଲି କହିଛନ୍ତି । ଏହି ଘଟଣାରେ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରା । ତାଙ୍କ ସହ ଯୋଗାଯୋଗ ପାଇଁ ବାରମ୍ବାର ପ୍ରୟାସ କରାଯାଉଥିଲେ ମଧ୍ୟ ତାହା ସମ୍ଭବ ହେଉନାହିଁ ।