Odia News Portal

ବିଜେପିରେ ସାମିଲ ହେଲେ ମିଥୁନ୍ ଚକ୍ରବର୍ତ୍ତୀ

କୋଲକାତା: କୋଲକାତାର ବ୍ରିଗେଡ ପରେଡ ଗ୍ରାଉଣ୍ଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପହଂଚିବା ପୂର୍ବରୁ ମିଥୁନ୍ ପଦ୍ମ ଧରିଛନ୍ତି । ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କୁ ମିଥୁନ ଭେଟିବା ପରେ ଯେଉଁ ଆକଳନ କରାଯାଉଥିଲା ତାହା ବାସ୍ତବରେ ପରିଣତ ହୋଇଛି । ରାଜ୍ୟ ବିଜେପି ନେତାମାନେ ଏନେଇ ବାରମ୍ବାର ସଂକେତ ଦେଇଆସୁଥିଲେ । କୁହାଯାଉଛି ମମତାଙ୍କୁ କାଉଣ୍ଟର କରିବାକୁ ବିଜେପି ଏକ ବଙ୍ଗୀୟ ଚେହେରା ଖୋଜୁଥିଲା । ଆଉ ମିଥୁନଙ୍କ ଆକାରରେ ଦଳକୁ ତାହା ମିଳିଯାଇଛି ।

ମିଥୁନ ବିଜେପିରେ ସାମିଲ ହେବେ ବୋଲି ଦୀର୍ଘ ଦିନ ହେବ ଚର୍ଚ୍ଚା ଜୋର୍ ଧରିଥିଲା । ସେ ସମସ୍ତ ଚର୍ଚ୍ଚା ଉପରୁ ପରଦା ହଟାଇ ପଦ୍ମ ଧରିଛନ୍ତି । ଏହାପୂର୍ବରୁ ପଶ୍ଚିମବଙ୍ଗ ବିଜେପି ସଭାପତିଙ୍କୁ ମିଥୁନ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ କି ବୋଲି ପ୍ରଶ୍ନ କରାଯାଇଥିଲା । ଏହାର ଉତ୍ତରରେ ସେ କହିଥିଲେ ଯେ, ସେ ଆଗ ବିଜେପିରେ ସାମିଲ ହୁଅନ୍ତୁ । ଏବେ ମୁଖ୍ୟମନ୍ତ୍ରୀ ପଦବୀ ନେଇ କୌଣସି ସୂଚନା ନାହିଁ । ସେ ମୋଦୀଙ୍କୁ ଭେଟିବାକୁ ଚାହୁଁଛନ୍ତି । ବିଜେପିର ରାଜ୍ୟ ପ୍ରଭାରୀ କୈଳାସ ବିଜୟବର୍ଗୀୟ ମଧ୍ୟ ମିଥୁନ ମୋଦୀଙ୍କୁ ଭେଟିବାକୁ ଚାହୁଁଥିବା ଶନିବାର କହିଥିଲେ ।

ତେବେ ପ୍ରଧାନମନ୍ତ୍ରୀ ଏହି ରାଲି ଜରିଆରେ ମମତା ବାନାର୍ଜୀଙ୍କ ବିରୋଧରେ, ବିଜେପି ରଣହୁଙ୍କାର ଦେବ । ମୋଦିଙ୍କ ରାଲିରେ ପ୍ରାୟ ୧୦ ଲକ୍ଷରୁ ଅଧିକ ଲୋକଙ୍କ ସମାଗମ ହେବା ଆକଳନ କରାଯାଉଛି । ରାଲିରେ ଯୋଗ ଦେବାକୁ ସକାଳୁ ସକାଳୁ ଜନସମାଗମ ଆରମ୍ଭ ହୋଇ ଯାଇଥିଲା । କୋଲକାତାର ବିଭିନ୍ନ ସ୍ଥାନରୁ ସମର୍ଥକ ବସ୍ ଯୋଗେ ବ୍ରିଗେଡ୍ ଗ୍ରାଉଣ୍ଡକୁ ଆସିଛନ୍ତି ।