Odia News Portal

ଲୁଣ ବଦଳରେ ତରକାରୀରେ ପକାଇଦେଲେ ସର୍ଫ

ବିଦ୍ୟାଳୟର ମଧ୍ୟାହ୍ନ ଭୋଜନରେ ରୋଷେଇୟା ଲୁଣ ବଦଳରେ କପଡ଼ା କପଡ଼ା ଧୋଇବା ପାଇଁ ବ୍ୟବହୃତ ଡିଟେଡ଼ଜେଣ୍ଟ ପାଉଡର ପକାଇଥିବା ସୂଚନା ମିଳିଛି । ସ୍କୁଲ୍‌ରେ ଛୁଆଙ୍କ ପାଇଁ ରୋଷେଇ ହୋଇଥିବା ସୋୟା ତରକାରୀରେ ରୋଷେୟା ଲୁଣ ପରିବର୍ତ୍ତେ ସର୍ଫ ପକାଇ ଦେଇଥିଲେ । ଯାହାକୁ ଖାଇବା ପରେ ପ୍ରାୟ ୧୮ ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇ ପଡ଼ିଛନ୍ତି  । ଏଭଳି ଅଘଟଣ ଘଟିଛି ନାଳନ୍ଦାର ଏକ ସ୍କୁଲ୍‌ରେ । ସମସ୍ତ ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ ତୁରନ୍ତ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି । ଡାକ୍ତର ସେମାନଙ୍କ ଚିକିତ୍ସା କରିବା ସହ ସମସ୍ତଙ୍କ ସ୍ଵାସ୍ଥ୍ୟାବସ୍ଥା ସ୍ଥିର ରହିଥିବା କହିଛନ୍ତି ।

ନାଳନ୍ଦା ଜିଲ୍ଲାର ନୂରସରାୟ ଥାନା ଅନ୍ତର୍ଗତ ପରାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏହି ଅଘଟଣ ଘଟିଛି । ମଧ୍ୟାହ୍ନ ଭୋଜନ ପ୍ରସ୍ତୁତିରେ ହୋଇଥିବା ଅବହେଳା ଏବେ ଛୁଆଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଛି । ଛାତ୍ରଛାତ୍ରୀଙ୍କ ସ୍ଵାସ୍ଥ୍ୟାବସ୍ଥା ବିଗିଡ଼ିବା ପରେ ସମସ୍ତଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି । ଡାକ୍ତରଙ୍କ କହିବା ଅନୁସାରେ, ଅଧିକାଂଶ ଛୁଆ ସୁରକ୍ଷିତ ଅଛନ୍ତି । ସମସ୍ତଙ୍କ ସ୍ଵାସ୍ଥ୍ୟାବସ୍ଥା ଉପରେ ନଜର ରଖାଯାଇଛି । ସ୍କୁଲ୍‌ର ଶିକ୍ଷକ ଆଶୁତୋଷ କୁମାରଙ୍କ ଅନୁସାରେ, ମଧ୍ୟାହ୍ନ ଭୋଜନ ଅନ୍ୟ ଏକ ସ୍କୁଲ୍‌ରେ ରୋଷେଇ କରାଯାଇ ଏଠାକୁ ଅଣା ଯାଇଥିଲା । ସୋୟା ତରକାରୀରେ ଲୁଣ କମ୍ ଥିଲା । ପିଲାମାନେ ଲୁଣ ମାଗିଥିଲେ । ସେହି ସମୟରେ ଭୁଲ୍‌ରେ ଲୁଣ ବଦଳରେ ସର୍ଫ ଦିଆଯାଇଛି । ଆଉ ସୋୟା ତରକାରୀରେ ସର୍ଫ ପକାଇ ଖାଇଥିବା ଛାତ୍ରଛାତ୍ରୀ କିଛି ସମୟ ପରେ ଅସୁସ୍ଥ ହୋଇ ପଡ଼ିଥିଲେ । ପେଟ ଯନ୍ତ୍ରଣା ହେବା ସହ ବାନ୍ତି କରିଥିଲେ । ସ୍ଵାସ୍ଥ୍ୟ ବିଗିଡ଼ିବାରୁ ୧୮ ଜଣଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି । ଏବେ ସମସ୍ତଙ୍କ ସ୍ଵାସ୍ଥ୍ୟାବସ୍ଥା ସ୍ଥିର ରହିଛି । ତେବେ ମଧ୍ୟାହ୍ନ ଭୋଜନରେ ଲୁଣ ବଦଳରେ ଛୁଆଙ୍କୁ କିଏ ଓ କେଉଁ ପରିସ୍ଥିତିରେ ସର୍ଫ ଦେଲା ତାର ଛାନଭିନ୍ ଜାରି ରହିଛି । ଏହି ଘଟଣା ସ୍କୁଲ୍‌ରେ ପିଲାଙ୍କୁ ଦିଆ ଯାଉଥିବା ମଧ୍ୟାହ୍ନ ଭୋଜନର ମାନ ସହ ଖାଦ୍ୟ ସୁରକ୍ଷା ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ।