Odia News Portal

ଦିଲ୍ଲୀରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା। ଗତକାଲି ଟ୍ରାକ୍ଟର ରାଲିରେ ଲାଲକିଲ୍ଲାରେ ଚାଷୀଙ୍କ ବ୍ୟାପକ ହିଂସାକାଣ୍ଡ ପରେ ଦିଲ୍ଲୀ ମହାନଗର ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଲାଲକିଲ୍ଲା ଓ ଜମା ମସଜିଦ ସମେତ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି।

ସୁରକ୍ଷାକୁ ଦୃଷ୍ଟିରେ ରଖି ଲାଲକିଲ୍ଲା ମେଟ୍ରୋ ଷ୍ଟେସନକୁ ବନ୍ଦ କରି ଦିଆଯାଇଛି । ସେହିପରି ନିକଟତମ ଜାମା ମସଜିଦ୍ ମେଟ୍ରୋ ଷ୍ଟେସନର ପ୍ରବେଶ ପଥକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ ରଖାଯାଇଛି। ଏହାସହ ଗତକାଲିର ଘଟଣାକୁ ନେଇ ଦିଲ୍ଲୀ ପୋଲିସ ୨୨ଟି ଏତଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ଏହା ଭିତରୁ ଦିଲ୍ଲୀ ମହାନଗରର ପୂର୍ବାଞ୍ଚଳ ରେଞ୍ଜରେ ୫ଟି ମାମଲା ରୁଜୁ ହୋଇଛି । ସମୟ ଗଡିବା ସହିତ ଅଭିଯୋଗ ଆସିଲେ, ଆହୁରି ଏତଲା ରୁଜୁ ହେବ ବୋଲି ଦିଲ୍ଲୀ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଚାଷୀମାନେ ଆନ୍ଦୋଳନ କରୁଥିବା ସିଙ୍ଘୁ, ଗାଜିପୁର, ଟିକ୍ରି, ମୁକାର୍ବା ଚୌକ ଓ ନଙ୍ଗୋଲି ଅଞ୍ଚଳରେ ମୋବାଇଲ୍ ଇଣ୍ଟରନେଟ୍ ସେବା ବନ୍ଦ ରଖାଯାଇଛି।

ସେପଟେ ସୁରକ୍ଷା ଦୃଷ୍ଟିରୁ ୧୫ପ୍ଲାଟୁନ୍‌ ସିଆର୍‌ପିଏଫ୍‌ ମୁତୟନ କରାଯାଇଛି । ଦିଲ୍ଲୀ ନିକଟରେ ଥିବା ପଞ୍ଜାବ ଓ ହରିୟାଣା ସୀମାରେ ହାଇଆଲର୍ଟ ଜାରି କରାଯାଇଛି । ଗତକାଲି ଚାଷୀଙ୍କ ହିଂସାକାଣ୍ଡରେ ହିଂସାରେ ୩୦୦ରୁ ଅଧିକ ପୁଲିସ କର୍ମୀ ଆହତ ହୋଇଛନ୍ତି। ଏନେଇ ଆଜି ଦିଲ୍ଲୀ ପୋଲିସର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଏଥିସହ ଏହି ହିଂସାକାଣ୍ଡ ଘଟଣାରେ ପୋଲିସ ବର୍ତ୍ତମାନ ପର୍ଯ୍ୟନ୍ତ ୨୨ଟି ମାମଲା ରୁଜୁ କରିଛି। ଅନ୍ୟପଟେ ଗତକାଲିର ହିଂସାକାଣ୍ଡ ପରେ ଦିଲ୍ଲୀ ପୋଲିସ୍ ଲାଲକିଲ୍ଲା ଅଞ୍ଚଳର ସିସିଟିଭିକୁ ଯାଞ୍ଚ କରିବା ସହ ସମସ୍ତ ଭିଡିଓକୁ ତଦନ୍ତ ପରିସରକୁ ନେଇଛି।