ଓଡିଶାରେ ଜଳ ଜୀବନ ମିସନ୍ ୨.୦ର କାର୍ଯ୍ୟକାରିତା ଉଦ୍ଦେଶ୍ୟରେ ଆଜି ନୂଆଦିଲ୍ଲୀରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରଣାଳୟ ଓ ଓଡ଼ିଶା ସରକାରଙ୍କ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଆଭାସୀ ମାଧ୍ୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ନୂଆଦିଲ୍ଲୀରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସି.ଆର୍ ପାଟିଲ, ରାଷ୍ଟ୍ର ମନ୍ତ୍ରୀ ବି. ସୋମନ୍ନା ଉପସ୍ଥିତ ଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଜଳ ଜୀବନ ମିସନ୍ ୨.୦ ଅନୁଯାୟୀ ରାଜ୍ୟ ସରକାର ଏକ ସ୍ପଷ୍ଟ ରୋଡ୍ମ୍ୟାପ୍ ପ୍ରସ୍ତୁତ କରିଛନ୍ତି। କାର୍ଯ୍ୟକ୍ଷମ ଓ ରକ୍ଷଣାବେକ୍ଷଣ ନୀତି ମାଧ୍ୟମରେ ଜନସାଧାରଣଙ୍କ ଭାଗୀଦାର, ଆର୍ଥିକ ସ୍ଥିରତା ଓ ଉପଯୁକ୍ତ ରକ୍ଷଣାବେକ୍ଷଣ ଉପରେ ଜୋର୍ ଦିଆଯାଉଛି। ସୁଜଳମ୍ ଭାରତ ପ୍ଲାଟଫର୍ମ ମାଧ୍ୟମରେ ପ୍ରାୟ ୫ହଜାର ଗ୍ରାମୀଣ ପାଇପ୍ ଜଳ ଯୋଜନାର ଆଇଡି ପ୍ରସ୍ତୁତ କରାଯାଇଛି। ରାଜ୍ୟରେ ପ୍ରତ୍ୟେକ ବ୍ୟକ୍ତି ପାଇଁ ଦିନକୁ ୭୦ ଲିଟର ପାନୀୟ ଜଳ ବ୍ୟବସ୍ଥା କରାଯାଇଛି। ଏହି ମିସନ୍ରେ ରାଜ୍ୟ ସରକାର ପ୍ରାୟ ୪୦% ଅର୍ଥ ଖର୍ଚ୍ଚ କରୁଛନ୍ତି। ବସୁଧା ହେଲ୍ପଲାଇନ୍, ହ୍ବାଟ୍ସଆପ୍ ସେବା ଓ ଡିଜିଟାଲ୍ ଅଭିଯୋଗ ପ୍ଲାଟଫର୍ମ ମାଧ୍ୟମରେ ନାଗରିକ କୈନ୍ଦ୍ରୀକ ସେବାକୁ ଶକ୍ତିଶାଳୀ କରାଯାଇଛି। ଗ୍ରାମସ୍ତରରେ ଗ୍ରାମ୍ୟ ପାନୀୟ ଜଳ ଓ ପରିମଳ କମିଟି(ଭିଡବ୍ଲ୍ୟୁଏସ୍ସି) ମାଧ୍ୟମରେ ଜନସାଧାରଣଙ୍କ ଭାଗୀଦାର ବୃଦ୍ଧି ପାଇଛି। ୩୦ ଜିଲ୍ଲାରୁ ୨୫ଟି ଜିଲ୍ଲାରେ ‘ଜଳ ଅର୍ପଣ ଦିବସ’ ସଫଳତାର ସହିତ ପାଳିତ ହୋଇଛି।ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ମିସନ ମହିଳାଙ୍କ ଜୀବନରେ ଏକ ବଡ଼ ପରିବର୍ତ୍ତନ ଆଣିଛି। ବର୍ତ୍ତମାନ ସମୟରେ ସେମାନଙ୍କୁ ପାଣି ପାଇଁ ଦୂରକୁ ଯିବାକୁ ପଡୁନାହିଁ। ଏହା ଅନ୍ତର୍ଗତ ୨.୨୧ ଲକ୍ଷ ଜଳ ସଂରକ୍ଷଣ ଓ ବର୍ଷା ଜଳ ସଂଗ୍ରହ ଷ୍ଟ୍ରକ୍ଚର, ୪୩ ହଜାରରୁ ଅଧିକ ଜଳାଶୟ ପୁନରୁଦ୍ଧାର, ୪୨ ହଜାର ଭୂଗର୍ଭ ଜଳ ପୁନର୍ଭରଣ ଓ ୨ଲକ୍ଷରୁ ଅଧିକ ଜଳବିଭାଜିକା କାର୍ଯ୍ୟ ସମ୍ପନ୍ନ ହୋଇଛି। ସେହିପରି ୨କୋଟିରୁ ଅଧିକ ଗଛ ରୋପଣ କରାଯାଇଛି। କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ସି. ଆର୍. ପାଟିଲ କହିଥିଲେ ଯେ ୨୦୨୪ ମସିହାରୁ ଆରମ୍ଭ ହୋଇଥିବା ଏହି ଯୋଜନା ୨୦୨୬-୨୦୨୮ ପର୍ଯ୍ୟନ୍ତ ଜଳ ଜୀବନ ମିସନ୍ ୨.୦ ମାଧ୍ୟମରେ ସମ୍ପ୍ରସାରିତ କରାଗଲା। ଏହି ମିସନ୍ ମହିଳାଙ୍କ ଜୀବନରେ ସୁଧାର ଆଣିବ। ଓଡ଼ିଶାର ଯେଉଁଠାରେ ପାଣିର ଅଭାବ ରହିଛି ସେଠାରେ ପାଣିର ଉପଲବ୍ଧତାକୁ ସୁନିଶ୍ଚିତ କରିବ। କାର୍ଯ୍ୟକ୍ରମରେ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାଏକ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, କେନ୍ଦ୍ର ପାନୀୟ ଜଳ ଓ ସ୍ୱଚ୍ଛତା ବିଭାଗ ସଚିବ ଅଶୋକ ମୀନା, ଉନ୍ନୟନ କମିସନର ଦେଓରଞ୍ଜନ କୁମାର ସିଂହ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶାଶ୍ୱତ ମିଶ୍ର, ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୀବ କୁମାର ମିଶ୍ର, ପାନୀୟ ଜଳ ବିଭାଗ ସଚିବ ଗିରୀଶ ଏସ୍.ଏନ୍ଙ୍କ ସହିତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
