Odia News Portal

ବିଧାନସଭାରେ କୃଷି ବିଭାଗର ଖର୍ଚ୍ଚ ଦାବି ପାରିତ

ବିଧାନସଭାରେ ଆଜି କୃଷିମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଖର୍ଚ୍ଚ ଦାବି ଆଲୋଚନା କରିଛନ୍ତି । ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବିଭାଗର ୧୫,୦୩୯.୮୯ କୋଟି ଟଙ୍କାର ଖର୍ଚ୍ଚ ଦାବି ବିଧାନସଭାରେ ପାରିତ ହୋଇଛି, ଯାହା ୨୦୨୪-୨୫ ତୁଳନାରେ ୧୪.୧୨% ଅଧିକ । ମନ୍ତ୍ରୀ କହିଛନ୍ତି, ଚାଷୀଙ୍କ ସଶକ୍ତିକରଣ, ଗ୍ରାମୀଣ ଜୀବିକା ସୁଦୃଢ଼ କରିବା ଓ ଓଡ଼ିଶାକୁ କୃଷିରେ ଅଗ୍ରଣୀ ରାଜ୍ୟ ଭାବେ ଗଢ଼ି ତୋଳିବା ଦିଗରେ ସରକାର କାମ କରୁଛି।OES ୨୦୨୫-୨୬ ଅନୁଯାୟୀ ରାଜ୍ୟର କୃଷି ଅଭିବୃଦ୍ଧି ହାର ୫.୩% ଥିବାବେଳେ ଦେଶର ହାରାହାରି ୩.୧% କୁ ଅତିକ୍ରମ କରିଛି। ୨୦୨୪-୨୫ରେ ଖାଦ୍ୟଶସ୍ୟ ଉତ୍ପାଦନ ୧୫୦ ଲକ୍ଷ ମେଟ୍ରିକ ଟନ୍ ଓ ଉଦ୍ୟାନ ଫସଲ ୧୫୬ ଲକ୍ଷ ମେଟ୍ରିକ ଟନ୍ ଅତିକ୍ରମ କରି ରେକର୍ଡ ସୃଷ୍ଟି କରିଛି। ଏହା ସହିତ ୧୦ଟି ଦେଶକୁ ଫଳ ଓ ପନିପରିବା ରପ୍ତାନି ହୋଇଛି।ଧାନ କ୍ରୟରେ ମଧ୍ୟ ରାଜ୍ୟ ଉଲ୍ଲେଖନୀୟ ଅଗ୍ରଗତି କରିଛି। ୨୦୨୪-୨୫ ଖରିଫରେ ୧୬.୬୦ ଲକ୍ଷ ଚାଷୀଙ୍କଠାରୁ ୭୩.୪୫ ଲକ୍ଷ ମେଟ୍ରିକ ଟନ୍ ଧାନ କିଣାଯାଇଥିବାବେଳେ ୫୮୭୬.୫୭ କୋଟି ଟଙ୍କା ଇନପୁଟ ସହାୟତା ଦିଆଯାଇଛି।ସିଏମ୍-କିଷାନ ଯୋଜନାରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଋତୁ ପୂର୍ବରୁ ଆର୍ଥିକ ସହାୟତା ଦିଆଯାଉଛି। ନୂଆଖାଇ ଅବସରରେ ୫୧ ଲକ୍ଷରୁ ଅଧିକ ଚାଷୀ ଓ ୩୯ ହଜାର ଭୂମିହୀନ ପରିବାରକୁ ୧୦୪୧ କୋଟି ଟଙ୍କା ବଣ୍ଟନ କରାଯାଇଛି।କୃଷି ବିଦ୍ୟାନିଧି ଯୋଜନାରେ ଚାଷୀଙ୍କ ସନ୍ତାନଙ୍କୁ ଉଚ୍ଚଶିକ୍ଷା ପାଇଁ ଛାତ୍ରବୃତ୍ତି ଦିଆଯାଉଥିବାବେଳେ, ୨୦୨୫-୨୬ରେ ପ୍ରାୟ ୬୯ ହଜାର ଛାତ୍ରଛାତ୍ରୀ ଲାଭାନ୍ବିତ ହେବେ।ଶ୍ରୀ ଅନ୍ନ ଅଭିଯାନ, ଜୈବିକ ଚାଷ ମିଶନ, ଫସଲ ବୀମା, ଡିଜିଟାଲ୍ ଫସଲ ସର୍ଭେ, ଶୀତଳ ଭଣ୍ଡାର ସହାୟତା ଓ କୃଷି ଉଦ୍ୟୋଗ ଯୋଜନା ମାଧ୍ୟମରେ କୃଷିକୁ ଆଧୁନିକ ଓ ଲାଭଜନକ କରାଯାଉଛି।
ମହିଳା ସଶକ୍ତିକରଣକୁ ମଧ୍ୟ ଗୁରୁତ୍ୱ ଦେଇ ମହିଳା-କେନ୍ଦ୍ରିକ କୃଷି ଯନ୍ତ୍ରପାତି ଓ SHG ମାଧ୍ୟମରେ ବ୍ୟାପକ ଭାଗିଦାରୀ ସୃଷ୍ଟି ହୋଇଛି।
ସରକାର କୃଷିକୁ ସୁସ୍ଥାୟୀ, ପ୍ରଯୁକ୍ତିନିର୍ଭର ଓ ବଜାରମୁଖୀ କରିବା ସହିତ ପ୍ରତ୍ୟେକ ଚାଷୀଙ୍କୁ କୃଷି ଉନ୍ନତିର ସହଭାଗୀ କରିବାରେ ପ୍ରତିବଦ୍ଧ ରହିଛନ୍ତି। କେନ୍ଦ୍ର କୃଷି ମନ୍ତ୍ରାଳୟ ୨୪ ଏପ୍ରିଲ ୨୦୨୬ ତାରିଖରେ ଭୁବନେଶ୍ୱରରେ ପୂର୍ବାଞ୍ଚଳ ରାଜ୍ୟ ମାନଙ୍କର କୃଷି ସମ୍ମିଳନୀ ଆୟୋଜନ କରିବାକୁ ଯାଉଛି , ଯାହା ଓଡ଼ିଶାକୁ ପୂର୍ବାଞ୍ଚଳର ଏକ ପ୍ରମୁଖ କୃଷି ମଞ୍ଚର ଆୟୋଜକ ଭାବେ ପୁନର୍ବାର ସ୍ୱୀକୃତି ଦେଉଛି । ବିହାର, ଛତିଶଗଡ଼, ଝାଡ଼ଖଣ୍ଡ, ଓଡ଼ିଶା ଓ ପଶ୍ଚିମବଙ୍ଗର କୃଷି ମନ୍ତ୍ରୀମାନେ ଏବଂ ବରିଷ୍ଠ ଅଧିକାରୀମାନେ ଏଥିରେ ଯୋଗଦେଇ ମୁଖ୍ୟ ବିଷୟବସ୍ତୁ ଉପରେ ଆଲୋଚନା କରିବେ ଏବଂ କୃଷି କ୍ଷେତ୍ରରେ ଆଧୁନିକ ଜ୍ଞାନ କୌଶଳ ପ୍ରୟୋଗ ଉପରେ ଭାବ ଆଦାନପ୍ରଦାନ କରିବେ ।