Odia News Portal

ଶତ୍ରୁପକ୍ଷ ଜାହାଜ ବ୍ୟତୀତ ଅନ୍ୟ ସମସ୍ତ ଜାହାଜ ହର୍ମୁଜ ପାର୍‌ କରିପାରିବ

ହର୍ମୁଜ ପ୍ରଣାଳୀକୁ ନେଇ ଇରାନ ତା’ର ସ୍ବର ନରମ କରିଛି। ଶତ୍ରୁପକ୍ଷ ବିଶେଷ କରି ଆମେରିକା ଓ ଇସ୍ରାଏଲ ବ୍ୟତୀତ ଅନ୍ୟ ସମସ୍ତ ଦେଶର ଜାହାଜ ଗୁରୁତ୍ବପୂର୍ଣ୍ଣ ହର୍ମୁଜ ପ୍ରଣାଳୀ ଦେଇ ଯାଇପାରିବ ବୋଲି ଜାତିସଂଘରେ ଅବସ୍ଥାପିତ ଇରାନର ଜଣେ ବରିଷ୍ଠ ପ୍ରତିନିଧି କହିଛନ୍ତି। ଇରାନ ୪୮ ଘଣ୍ଟା ଭିତରେ ହର୍ମୁଜ ପ୍ରଣାଳୀ ନଖୋଲିଲେ ଏହାର ଶକ୍ତିକେନ୍ଦ୍ର ଉପରେ ଆକ୍ରମଣ ହେବ ବୋଲି ଆମେରିକା ରାଷ୍ଟ୍ରପତି ‌ଡୋନାଲ୍ଡ ଟ୍ରମ୍ପଙ୍କ ଧମକ ପରେ ଇରାନ ପକ୍ଷରୁ ଏହା କୁହାଯାଇଛି। ଆନ୍ତର୍ଜାତିକ ସାମୁଦ୍ରିକ ସଙ୍ଗଠନରେ ଇରାନର ପ୍ରତିନିଧି ଥିବା ଅଲି ମୌସାଭି ରବିବାର କହିଛନ୍ତି ଯେ, ଶତ୍ରୁପକ୍ଷ ବ୍ୟତୀତ ଅନ୍ୟ ଦେଶର ଜାହାଜ ଗୁଡ଼ିକ ତେହେରାନ ସହିତ କଥାବାର୍ତ୍ତା କରି ଏହାର ସୁରକ୍ଷା ଓ ନିରାପତ୍ତା ବ୍ୟବସ୍ଥା ମଧ୍ୟରେ ହର୍ମୁଜ ପ୍ରଣାଳୀ ପାର୍‌ କରିପାରିବ।ସେ ଆହୁରି ମଧ୍ୟ କହିଛନ୍ତି ଯେ,ଗଲ୍ଫରେ ସାମୁଦ୍ରିକ ସୁରକ୍ଷା ଏବଂ ନାବିକମାନଙ୍କୁ ସୁରକ୍ଷା ଦେବା ପାଇଁ ଜାତିସଂଘ ସଂସ୍ଥା ସହିତ ସହଯୋଗ କରିବାକୁ ପ୍ରସ୍ତୁତ। କୂଟନୀତିକୁ ଇରାନ ସର୍ବାଧିକ ଗୁରୁତ୍ବ ଦେଉଛି। କିନ୍ତୁ ଯୁଦ୍ଧ ପୂରାପୂରି ଶେଷ ହେବା ସହିତ ପରସ୍ପର ଉପରେ ବିଶ୍ବାସ ଓ ଭରସା ରହିବା ଉଚିତ୍‌ ବୋଲି ମୌସାଭି କହିଛନ୍ତି ଆମେରିକା ନାଟୋ ସହଯୋଗୀ ଦେଶମାନଙ୍କ ସହିତ ମିଶି ହର୍ମୁଜ ପ୍ରଣାଳୀରେ ଜାହାଜ ସୁରକ୍ଷା ଦେବାକୁ ଚାହୁଥିଲେ। କିନ୍ତୁ ନାଟୋ ଦେଶମାନେ ଇରାନ ସହିତ ଯୁଦ୍ଧରେ ସାମିଲ ହେବାକୁ ଚାହୁନଥିବା କହିଥିଲେ।