Odia News Portal

ମାନସିକ ଭିନ୍ନକ୍ଷମ ଦିବ୍ୟାଙ୍ଗ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ, ସାଇଣ୍ଟିଫିକ ଟିମର ତଦନ୍ତ

ମାନସିକ ଭିନ୍ନକ୍ଷମ ୨୬ ବର୍ଷୀୟା ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ । ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ଅଭିଯୋଗ ଆଣିଲେ ପୀଡ଼ିତାଙ୍କ ବାପା । ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ପୀଡିତାଙ୍କୁ ତାଙ୍କ ଘର ଠାରୁ ପ୍ରାୟ ୧୦୦ ମିଟର ଦୂରରେ ଥିବା ଏକ ପରିତ୍ୟକ୍ତ ଘରକୁ ଡାକି ନେଇ ଅଭିଯୁକ୍ତ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ଏପଟେ ଅଭିଯୋଗ ପାଇବା ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।ଥାନାରେ ହୋଇଥିବା ଲିଖିତ ଅଭିଯୋଗ ଅନୁଯାୟୀ, “ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ଏକ ଗାଁରେ ଅଷ୍ଟମ ପ୍ରହାର ନାମଯଜ୍ଞ ହେବାକୁ ଥିବାରୁ ଏନେଇ ଟେଣ୍ଟ ପୋତା କାର୍ଯ୍ୟ ଚାଲିଥିଲା । ମାନସିକ ଭିନ୍ନକ୍ଷମ ପୀଡ଼ିତା ଯୁବତୀ ଜଣଙ୍କ ଘର ସାମ୍ନାରେ ଏହି କାର୍ଯ୍ୟ ଚାଲୁଥିବା ବେଳେ ସେ ଏହାକୁ ବସି ଦେଖୁଥିଲେ । ପରିବାରର ନଜର ଆଢୁଆଳରେ ପୀଡିତାଙ୍କ ଗାଁର ଅଭିଯୁକ୍ତ ଚନ୍ଦ୍ରମଣି ଜେନା ଯୁବତୀଙ୍କୁ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ତାଙ୍କ ଘରଠାରୁ ପ୍ରାୟ ୧୦୦ ମିଟର ଦୂରରେ ଥିବା ଏକ ପରିତ୍ୟକ୍ତ ଘରକୁ ଡାକି ନେଇ ଅସଦାଚରଣ କରିଥିଲେ ।ଯୁବତୀଙ୍କୁ ପରିବାର ଲୋକ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ନପାଇବା ସହ ଏହି ପରିତ୍ୟକ୍ତ ଘର ନିକଟକୁ ସାହିଭାଇ ମାନେ ଯାଇଥିବା ବେଳେ ଯୁବତୀ ଜଣଙ୍କ କାନ୍ଦିବା ଅବସ୍ଥାରେ ଉକ୍ତ ଘରୁ ବାହାରକୁ ଆସିଥିଲେ ଏବଂ ଅଭିଯୁକ୍ତ ଚନ୍ଦ୍ରମଣି ସେହି ଘରେ ସନ୍ଦେହ ଜନକ ଭାବେ ଶୋଇ ରହିଥିଲା । ଗାଁ ଲୋକମାନେ ହୋହଲ୍ଲା କରିବାରୁ ଅଭିଯୁକ୍ତ ଚନ୍ଦ୍ରମଣି ସେଠାରୁ ଫେରାର ହୋଇ ଯାଇଥିଲା,”ବୋଲି ଲିଖିତ ଅଭିଯୋଗ କରାଯାଇଛି ।ଘଟଣା ସମ୍ପର୍କରେ ପ୍ରତିକ୍ରିୟା ପଡୋଶୀ କୁହନ୍ତି, “ଆମର ଅଷ୍ଟମ ପ୍ରହାର ନାମଯଜ୍ଞ ପାଇଁ ଟେଣ୍ଟ ପୋତା କାର୍ଯ୍ୟକ୍ରମ ଚାଲୁଥିଲା । ମେଘ ଧୂମାଳ ଆସି ଘଡଘଡି ହେବାରୁ ଆମେ କାମ କରୁଥିବା ସମସ୍ତେ କ୍ଲବ ଘର ଭିତରକୁ ପଳାଇ ଆସିଲୁ । ତେବେ ଅଭିଯୁକ୍ତ ଚନ୍ଦ୍ରମଣି ଓରଫ ଚଗଲା କରେଣ୍ଟ କଟି ଯାଇଥିବାର ସୁଯୋଗ ନେଇ ମାନସିକ ଦିବ୍ୟାଙ୍ଗ ଯୁବତୀ ଜଣଙ୍କୁ ପୁରୁଣା ପଞ୍ଚାୟତ ଘର ବା ପରିତ୍ୟକ୍ତ କୋଠରୀକୁ ନେଇ ଅସଦାଚରଣ କରିଥିଲା ।” ତେବେ ପରବର୍ତ୍ତୀ ସମୟରେ ଏନେଇ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ଏତଲା ହୋଇଥିବା ସେ କହିଛନ୍ତି ।