Odia News Portal

ଅଦାନୀ ବିବାଦ ମାମଲାରେ ମୁହଁ ଖୋଲିଲେ ଅମିତ ଶାହ

ଅଦାନୀ ମାମଲାରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ମଙ୍ଗଳବାର ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି । ଏଏନ୍‌ଆଇ ପୋଡ୍‌କାଷ୍ଟରେ ସାକ୍ଷାତକାର ଦେଇ କହିଛନ୍ତି ମାମଲା ସୁପ୍ରିମ୍‌କୋର୍ଟରେ ଥିବାରୁ ଏହା ଉପରେ କମେଣ୍ଟ୍ କରିବା ଠିକ୍ ହେବନାହିଁ । ତେବେ ଏଥିରେ ବିଜେପି ପାଇଁ କିଛି ଲୁଚାଇବା ଭଳି ବିଷୟ ନାହିଁ କିମ୍ବା ପାର୍ଟିକୁ ଡରିବାର ଆବଶ୍ୟକତା ମଧ୍ୟ ନାହିଁ । ହିଣ୍ଡେନ୍‌ବର୍ଗ ମାମଲା ସାମ୍ନାକୁ ଆସିବା ପରେ ରାହୁଲ ଗାନ୍ଧୀ ସମେତ ବିରୋଧୀ ଦଳଗୁଡ଼ିକ ଅଦାନୀଙ୍କୁ ବିଜେପି ଘଣ୍ଟା ଘୋଡ଼ାଉଥିବା ଅଭିଯୋଗ କରିଥିଲେ । ଏହାକୁ ନେଇ ସଂସଦରୁ ସଡ଼କ ପର୍ଯ୍ୟନ୍ତ ମଧ୍ୟ ଆନ୍ଦୋଳନ କରିଥିଲେ ।

କେନ୍ଦ୍ର ସରକାର ଯାଞ୍ଚ୍ ଏଜେନ୍ସିର ଦୁରୁପଯୋଗ କରୁଥିବା ନେଇ ବିରୋଧୀ ଦଳଙ୍କ ଅଭିଯୋଗ ଉପରେ ସେ କହିଥିଲେ, ସେମାନେ (କଂଗ୍ରେସ) କୋର୍ଟ କାହିଁକି ଯାଉନାହାନ୍ତି । ଶାହ କହିଛନ୍ତି, ଯେତେବେଳେ ପେଗାସସ୍ ପ୍ରସଙ୍ଗ ଉଠିଥିଲା, ସେମାନଙ୍କୁ ପ୍ରମାଣ ସହିତ କୋର୍ଟ ଯିବାକୁ କହିଥିଲି । କିନ୍ତୁ ସେମାନେ ତାହା କରିନଥିଲେ । ୨୦୦୨ ପରଠାରୁ ସେମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପଛରେ ପଡ଼ିଛନ୍ତି । ହଜାର ଷଡ଼ଯନ୍ତ୍ର ସତ୍ତ୍ୱେ ସତ୍ୟ ସାମ୍ନାକୁ ଆସିଛି । ପ୍ରତ୍ୟେକ ଥର ମୋଦୀ ଜୀ ଶକ୍ତିଶାଳୀ ଏବଂ ଅଧିକ ଲୋକପ୍ରିୟ ହୋଇଛନ୍ତି ବୋଲି ଶାହ କହିଛନ୍ତି । ଏହି ଅବସରରେ ଅମିତ ଶାହ ବିଧାନସଭା ଓ ଲୋକସଭା ନିର୍ବାଚନ ସହ ପିଏଫ୍‌ଆଇ, ପଞ୍ଜାବ ଏବଂ ଜମ୍ମୁ-କଶ୍ମୀର ପ୍ରସଙ୍ଗ ଉପରେ କହିଥିଲେ ।

ନର୍ଥ-ଇଷ୍ଟ୍ ସମ୍ପର୍କରେ ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀ ୮ ବର୍ଷରେ ୫୧ ଥର ପୂର୍ବୋତ୍ତର ରାଜ୍ୟଗୁଡ଼ିକ ଗସ୍ତ କରିଛନ୍ତି । ଆମେ ତ୍ରିପୁରାର ସ୍ଥିତି ବଦଳାଇବା ପାଇଁ ‘ଚଲେ ପଲଟାଇ’ର ନାରା ଦେଇଥିଲୁ ଏବଂ ଆଜି ପରିସ୍ଥିତି ବଦଳାଇ ଦେଇଛୁ । କଂଗ୍ରେସ ଓ କମ୍ୟୁନିଷ୍ଟ ଏବେ ଏକାଠି ହୋଇଛନ୍ତି, ସେମାନେ ମାନିଛନ୍ତି ବିଜେପିକୁ ଏକୁଟିଆ ହରାଇପାରିବେ ନାହିଁ । ଆଗାମୀ ନିର୍ବାଚନରେ ବିଜେପିକୁ ତ୍ରିପୁରାରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ମିଳିବ ଏବଂ ଆମେ ସରକାର ଗଠନ କରିବୁ । ଅମିତ ଶାହ ଆହୁରି କହିଛନ୍ତି, ୨୦୨୪ ଲୋକସଭା ନିର୍ବାଚନରେ ବିଜେପିର କୌଣସି ମୁକାବିଲା ନାହିଁ । ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଜନତାଙ୍କ ପୂର୍ଣ୍ଣ ସମର୍ଥନ ମିଳିଛି । ଦେଶ ଏକତରଫା ଭାବେ ମୋଦୀଙ୍କ ସହିତ ଆଗକୁ ବଢ଼ୁଛି । ନିଷ୍ପତ୍ତି ଦେଶର ଜନତା କରିବେ ।

ବର୍ତ୍ତମାନ ପର୍ଯ୍ୟନ୍ତ ଜନତା ଲୋକସଭାରେ କାହାରିକୁ ମୁଖ୍ୟ ବିରୋଧୀ ଦଳର ଲେବଲ୍ କାହାରିକୁ ଦେଇନାହାନ୍ତି ବୋଲି ସେ କହିଛନ୍ତି । ପିଏଫ୍‌ଆଇ ଉପରେ ଶାହ କହିଛନ୍ତି, ସଂଗଠନ ଆତଙ୍କବାଦୀ ସୃଷ୍ଟି କରୁଥିଲା । ପିଏଫ୍‌ଆଇ ମାମଲା ଶେଷ କରିବା କାମ କଂଗ୍ରେସ କରିଥିଲା । ଏହାକୁ କୋର୍ଟ ରୋକିଥିଲା । ଆମେ ପିଏଫ୍‌ଆଇ ଉପରେ ବ୍ୟାନ୍ ଲଗାଇଛୁ । ସଂଗଠନ ଦେଶରେ ଧର୍ମାନ୍ଧତା ଏବଂ କଟ୍ଟରତା ବୃଦ୍ଧି କରୁଥିଲା । ୧୯୫୦ରୁ ଧାରା ୩୭୦ ହଟାଇବା ଆମ ଏଜେଣ୍ଡାରେ ଥିଲା ଏବେ ସେଠାରେ ବିକାଶ ହେଉଛି, ଆତଙ୍କବାଦୀ କାର୍ଯ୍ୟକଳାପ କମିଛି । ଏଥିରୁ ପ୍ରମାଣିତ ହୋଇଛି ଜମ୍ମୁ-କଶ୍ମୀରରେ ସ୍ଥିତିରେ ଉନ୍ନତି ଘଟୁଛି ବୋଲି ସେ କହିଛନ୍ତି । ସେହିପରି ଖଲିସ୍ତାନ ପ୍ରସଙ୍ଗ ଉପରେ ଶାହ କହିଛନ୍ତି, ଏହା ଉପରେ ଆମେ କଡ଼ା ନଜର ରଖିଛୁ । ଏହି ପ୍ରସଙ୍ଗକୁ ନେଇ ପଞ୍ଜାବ ସରକାରଙ୍କ ସହିତ ଆଲୋଚନା ମଧ୍ୟ କରିଛି । ବିଭିନ୍ନ ଏଜେନ୍ସି ମଧ୍ୟ ଉନ୍ନତ ସମନ୍ୱୟ ରହିଛି । ଏହାକୁ ଉଠିବାକୁ ଦିଆଯିବ ନାହିଁ ବୋଲି ଅମିତ ଶାହା ବିଶ୍ୱାସବ୍ୟକ୍ତ କରିଛନ୍ତି ।