ନିଟ୍ ୟୁଜି ପରୀକ୍ଷା ପେପର ଲିକ୍ କୁ ନେଇ ଛାତ୍ର ଆନ୍ଦୋଳନ ଉପରେ ବିରୋଧୀ ଦଳ ଆଲୋଚନା ଦାବି କରୁଛନ୍ତି। ଏଥି ମଧ୍ୟରେ ଗୃହମନ୍ତ୍ରୀ ଅମିତ ଶାହ ଲୋକସଭା ବାଚସ୍ପତି ଓମ ବିରଳାଙ୍କୁ ଚିଠି ଲେଖି ଏହି ପ୍ରସଙ୍ଗରେ ଆଲୋଚନା କରିବାକୁ କହିଛନ୍ତି। ସେ କହିଛନ୍ତି ଯେ ଲୋକସଭା ବାଚସ୍ପତି ଏଥି ପାଇଁ ଯେତେ ସମୟ ଆବଶ୍ୟକ ସେତିକି ସମୟ ନିର୍ଦ୍ଧିରିତ କରି ପାରନ୍ତି। ଅମିତ ଶାହ କହିଛନ୍ତି ଯେ ‘ଆପଣଙ୍କୁ ବିଦିତ ଥିବ ମାନନୀୟ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେଣ ରିଜିଜୁ ବିଜନେଶ ଆଡଭାଇଜରି କମିଟି ବୈଠକରେ ସରକାରଙ୍କପକ୍ଷରୁ ସଂସଦରେ ନିଟ୍ ପରୀକ୍ଷାକୁ ନେଇ ଛାତ୍ର ଆନ୍ଦୋଳନ ଉପରେ ଚର୍ଚ୍ଚା ନିମନ୍ତେ ସହମତି ଦେଇଛନ୍ତି’।
ଅମିତ ଶାହ କହିଛନ୍ତି ଯେ ‘ମୁଁ ଏହା ବି ଉଲ୍ଲେଖ କରିବାକୁ ଚାହୁଁଛି ବିରୋଧୀଙ୍କ ଆଗ୍ରହ ପୂର୍ବରୁ ମୁଁ ସଂସଦର ବର୍ତ୍ତମାନ ଅଧିବେଶନରେ ପବ୍ଲିକ ଏକଜାମିନେସନ( ଅନୁଚିତ ଉପାୟ ନିୟନ୍ତ୍ରଣ) ସଂଶୋଧନ ବିଲ୍ ୨୦୨୬ ଉପରେ ଆଲୋଚନା ହୋଇ ସାରିଛି। ଏଥିରେ ବିରୋଧୀ ଦଳର କେହି ବି ମାନନୀୟ ସାଂସଦ ନିଟ୍ ପରୀକ୍ଷା ସମ୍ପର୍କରେ ସଦନରେ କୌଣସି ବିଚାର ବ୍ୟକ୍ତ କରିନଥିଲେ। ଏହା ସତ୍ତ୍ୱେ ସରକାର ପୁଣି ଥରେ ଏହି ପ୍ରସଙ୍ଗରେ ଚର୍ଚ୍ଚା ଲାଗି ପ୍ରସ୍ତୁତ’।
ଅମିତ ଶାହ କହିଛନ୍ତି ଯେ ‘ଆପଣଙ୍କୁ ମୋର ଅନୁରୋଧ ଆପଣ ବିରୋଧୀ ଦଳଙ୍କ ସହ ଆଲୋଚନା କରନ୍ତୁ, ପାରସ୍ପରିକ ସହମତିରେ ଆଜିଠାରୁ ଯେତେ ସମୟ, ଯେତେ ଘଣ୍ଟା ଆପଣ ଉଚିତ ଭାବିପାରନ୍ତି ସେତିକି ସମୟ ଆବଣ୍ଟନ କରିବାକୁ କୃପା କରନ୍ତୁ। ମୁଁ ନର୍ଦ୍ଧାରିତ ସମୟରେ ସଂସଦରେ ଉପସ୍ଥିତ ରହି ଏହି ପ୍ରସଙ୍ଗ ଚର୍ଚ୍ଚାରେ ଭାଗ ନେବାକୁ ଚାହୁଁଛି ଓ ବିରୋଧୀଙ୍କ ସବୁ ପ୍ରଶ୍ନର ଉତ୍ତର ଦେବାକୁ ପ୍ରସ୍ତୁତ।’ ଗୃହମନ୍ତ୍ରୀ ଏହା ବି କହିଛନ୍ତି ଯେ ଗଣତନ୍ତ୍ରରେ ଚର୍ଚ୍ଚା ଓ ସମ୍ବାଦ ମାଧ୍ୟମରେ ସମାଧାନ ବାହାରେ। ମୋର ଗଣତନ୍ତ୍ର ଓ ଗଣତାନ୍ତ୍ରିକ ସଂସ୍ଥାଙ୍କ ଉପରେ ଅତୁଟ ବିଶ୍ୱାସ ରହିଛି ଓ ମୁଁ ଭାବୁଛି ଏହି ସଦନ ଚର୍ଚ୍ଚା ଓ ସମ୍ବାଦ ପାଇଁ ରହିଛି। ଏଣୁ ଆପଣଙ୍କୁ ଆଗ୍ରହ କରୁଛି ବିରୋଧୀ ଦଳ ନେତାମାନଙ୍କ ସହ ଆଲୋଚନା କରି ଏହି ଗୁରୁତ୍ୱପୂର୍ଣ୍ଣ ବିଷୟରେ ଏକ ଉତ୍ତମ ବାତାବରଣରେ ଚର୍ଚ୍ଚା କରାଇବାର କୃପା କରନ୍ତୁ, ଯାହାଦ୍ୱାରା ଏହି ବିଷୟରେ ପକ୍ଷ ଓ ବିପକ୍ଷ ସବୁ ମାନନୀୟ ସଦସ୍ୟ ତାଙ୍କ ବହୁମୂଲ୍ୟ ମତ ଓ ବିଚାର ପ୍ରସ୍ତୁତ କରିପାରିବେ।
