Odia News Portal

ମୋବାଇଲ ପାଇଁ ଶେଷ ହୋଇଗଲା ପୁରା ପରିବାର

ନୂଆ ମୋବାଇଲ ଫୋନ୍‌କୁ ନେଇ ପୁଅ ସହ ବିବାଦ। ଏହାପରେ ପାହାଡ଼ ଉପରକୁ ଚଢ଼ିଗଲେ ୧୮ ବର୍ଷୀୟ ଯୁବକ। ପ୍ରାୟ ୩ ଘଣ୍ଟା ଧରି ପାହାଡ଼ କଡ଼ରେ ଠିଆ ହୋଇଥିବା ପୁଅକୁ ବୁଝାଇ ଘରକୁ ଫେରାଇ ଆଣିବାକୁ ବାପା ଉଦ୍ୟମ କରିଥିଲେ। ହେଲେ ତାଙ୍କୁ ବଞ୍ଚାଇବାକୁ ଯାଇ ଘଟିଗଲା ଅଘଟଣ। ପୁଅର ହାତ ଧରିବା ବେଳେ ଉଭୟ ଗଭୀର ଖାଇକୁ ଖସିପଡ଼ିଥିଲେ। ଏହାପରେ ମା’ ମଧ୍ୟ ଖାଇକୁ ଡେଇଁ ପଡ଼ିଥିବା ଅଭିଯୋଗ ହୋଇଛି। ଏହି ଦୁଃଖଦ ଘଟଣାରେ ପରିବାରର ୩ ଜଣଙ୍କ ମୃତ୍ୟୁ ହୋଇଛି। ଘଟଣାଟି ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜୀନଗର ଜିଲ୍ଲାର ସୋଲାପୁର-ଧୁଲେ ରାଜପଥ ନିକଟ ତିସଗାଁ ଅଞ୍ଚଳର ଖବଡ୍ୟା ଡୋଙ୍ଗରରେ ଘଟିଛି। ଘଟଣାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।

୩ ଘଣ୍ଟା ଧରି ପାହାଡ଼ କଡ଼ରେ କୁନାଲ

ସୂଚନା ଅନୁଯାୟୀ, ସକାଳ ପ୍ରାୟ ୧୧ଟା ୩୩ ମିନିଟ୍‌ରେ ଦମକଳ ବାହିନୀକୁ ଖବର ମିଳିଥିଲା ଯେ, ଜଣେ ଯୁବକ ପାହାଡ଼ରୁ ଖାଇକୁ ଡେଇଁ ପଡ଼ିବାକୁ ଧମକ ଦେଉଛନ୍ତି। ଖବର ପାଇ ପଦମପୁରା ଅଗ୍ନିଶମନ କେନ୍ଦ୍ରର ଟିମ୍‌ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା।

୧୮ ବର୍ଷୀୟ କୁନାଲ ପ୍ରାୟ ୩ ଘଣ୍ଟା ଧରି ପାହାଡ଼ର ଏକଦମ୍‌ କଡ଼ରେ ଠିଆ ହୋଇ ରହିଥିଲେ। ସ୍ଥାନୀୟ ଲୋକ, ପୁଲିସ ଓ ଅଗ୍ନିଶମନ କର୍ମଚାରୀମାନେ ତାଙ୍କୁ ବୁଝାଇ ତଳକୁ ଆଣିବାକୁ ଚେଷ୍ଟା କରିଥିଲେ। କିନ୍ତୁ କୁନାଲ ବାରମ୍ବାର ନିଜ ସ୍ଥାନ ବଦଳାଇବା ସହ ଖାଇକୁ ଡେଇଁ ପଡ଼ିବାକୁ ଧମକ ଦେଉଥିଲେ।

ପୁଅକୁ ବଞ୍ଚାଇବାକୁ ଯାଇ ଖାଇକୁ ଖସିଲେ ବାପା

ପୁଅକୁ ବଞ୍ଚାଇବା ପାଇଁ ବାପା ମୁରଲୀଧର ଧୀରେ ଧୀରେ କୁନାଲଙ୍କ ନିକଟକୁ ଯାଇଥିଲେ। ଶେଷରେ ସେ ପୁଅର ହାତ ଧରିବାରେ ସଫଳ ହୋଇଥିଲେ। ହେଲେ ସେହି ସମୟରେ କୁନାଲ ତଳକୁ ଖସିପଡ଼ିଥିଲେ। ପୁଅର ହାତ ଧରିଥିବାରୁ ମୁରଲୀଧର ମଧ୍ୟ ତାଙ୍କ ସହ ଗଭୀର ଖାଇକୁ ଖସିଯାଇଥିଲେ।

ସ୍ୱାମୀ ଓ ପୁଅଙ୍କ ମୃତ୍ୟୁ ପରେ ମା’ଙ୍କ ମୃତ୍ୟୁ

ପୁଅ ଓ ସ୍ୱାମୀ ଖାଇକୁ ଖସିପଡ଼ିବା ପରେ ମା’ ସଙ୍ଗୀତା ମଧ୍ୟ ଗଭୀର ଭାବେ ଭାଙ୍ଗି ପଡ଼ିଥିବା କୁହାଯାଉଛି। କିଛି ସମୟ ପରେ ସେ ମଧ୍ୟ ଖାଇକୁ ଡେଇଁ ପଡ଼ିଥିଲେ। ଫଳରେ ମୁରଲୀଧର, ସଙ୍ଗୀତା ଓ ତାଙ୍କ ୧୮ ବର୍ଷୀୟ ପୁଅ କୁନାଲଙ୍କ ମୃତ୍ୟୁ ହୋଇଛି।

ଉଦ୍ଧାର ପାଇଁ ବିଛାଯାଇଥିଲା ସୁରକ୍ଷା ଜାଲ

କୁନାଲଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ଅଗ୍ନିଶମନ କର୍ମଚାରୀମାନେ ପାହାଡ଼ ତଳେ ସୁରକ୍ଷା ଜାଲ ବିଛାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ କୁନାଲ ବାରମ୍ବାର ପାହାଡ଼ କଡ଼ରେ ନିଜ ସ୍ଥାନ ବଦଳାଉଥିବାରୁ ଉଦ୍ଧାରକାରୀଙ୍କ ଚେଷ୍ଟା ସଫଳ ହୋଇପାରିନଥିଲା। ଘଟଣାକୁ ନେଇ ପୁଲିସ ତଦନ୍ତ ଜାରି ରଖିଛି। ମୋବାଇଲ ଫୋନ୍‌କୁ ନେଇ ହୋଇଥିବା ବିବାଦରୁ ଘଟଣାର ଆରମ୍ଭ ହୋଇଥିବା କୁହାଯାଉଥିଲେ ମଧ୍ୟ, ପରିବାରର ୩ ଜଣଙ୍କ ମୃତ୍ୟୁ ପଛରେ ଥିବା ସମସ୍ତ ପରିସ୍ଥିତି ତଦନ୍ତ ପରେ ସ୍ପଷ୍ଟ ହେବ।