Odia News Portal

ପରୀ ମୃତ୍ୟୁ ମାମଲାରେ ସତ ଜାଣିଥିଲେ ସରୋଜର ପରିବାର ଲୋକ!

ନୟାଗଡ଼ ପରୀ ମୃତ୍ୟୁ ମାମଲାରେ ସାମ୍ନାକୁ ଆସୁଛି ନୂଆ ନୂଆ ତଥ୍ୟ । ଅଭିଯୁକ୍ତ ସରୋଜ ସେଠୀକୁ ଏସଆଇଟି ଗିରଫ କରିବା ପରେ ସାମ୍ନାକୁ ଆସୁଛି ଗୋଟିଏ ପରେ ଗୋଟିଏ ଚାଞ୍ଚଲ୍ୟକର ତଥ୍ୟ । ଏହାରି ଭିତରେ ପୁଣି ନୂଆ ସୂଚନା ଦେଇଛନ୍ତି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ।

ଏସଆଇଟିର ସୂଚନା ଅନୁସାରେ ପରୀ ହତ୍ୟା ଘଟଣା ସମ୍ପର୍କରେ ଜାଣିଥିଲେ ସରୋଜଙ୍କ ପରିବାର । ତେବେ ଘଟଣା ବିଷୟରେ କେବେ ଜାଣିଲେ ତାହା ତଦନ୍ତ ପରେ ହିଁ ସ୍ପଷ୍ଟ ହେବ । ସେହିପରି ପୋଖରୀରୁ ମିଳିଥିବା ଲେଗିନ୍ସ କୁ ପରୀକ୍ଷା ପାଇଁ ପଠାଯାଇଛି । ତଦନ୍ତ ସମୟରେ ଗ୍ରାମବାସୀଙ୍କ ସହଯୋଗ ମିଳିଥିଲା । ଘଟଣାରେ ଆହୁରୀ ଅଧିକ ତଦନ୍ତ ବାକି ରହିଛି । ସେପଟେ ଆଜି ସରୋଜ ସେଠୀକୁ ନେଇ ଘଟଣାସ୍ଥଳରେ ଡେମୋ କରୁଛି ଏସଆଇଟି । ଡେମୋକୁ ଅନୁଧ୍ୟାନ କରିଛନ୍ତି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା |

ତେବେ ଅରୁଣ ବୋଥ୍ରାଙ୍କ କହିବା ଅନୁଯାୟୀ, ମୁଁ ଯେତିକି ସରୋଜ ବିଷୟରେ ଜାଣିଥିଲି, ତା’ଠାରୁ ବେଶୀ ସେ ମୋ ବିଷୟରେ ଜାଣିଥିଲା । ସେ ମୋ ବିଷୟରେ ଗୁଗୁଲରେ ତଥ୍ୟ ସଂଗ୍ରହ କରିଥିଲା । କେବଳ ସେତିକି ନୁହେଁ ସରୋଜ ପୁଲିସର ତଦନ୍ତକୁ ଟ୍ରାକିଂ କରୁଥିଲା । ଏସଆଇଟି ତଦନ୍ତ ନେଇ ନିୟମିତ ନ୍ୟୁଜ ମଧ୍ୟ ଦେଖୁଥିବା କଥା କହିଛନ୍ତି ଏସଆଇଟି ମୁଖ୍ୟ । ୨୨ ତାରିଖ ବିଳମ୍ବିତ ରାତିରେ ପୋଖରୀରୁ ଲେଗିନ୍ସ ମିଳବା ପରେ ପରୀର ବାକି ହାଡ କୁଆଡେ ଗଲା ପ୍ରଶ୍ନର ଆଜି ଉତ୍ତର ରଖିଛନ୍ତି ଅରୁଣ ବୋଥ୍ରା ।

ସେ କହିଛନ୍ତି, ପରୀର କୌଣସି ଗୋଟିଏ ବି ହାଡ଼ ଗାଏବ ହୋଇନାହିଁ । ପୋଷ୍ଟମର୍ଟମ ରିପୋର୍ଟରେ କୌଣସି ହାଡ ମିଳି ନଥିବା କୁହାଯାଇନି । ବିଶେଷଜ୍ଞ ଡାକ୍ତରମୋନେ ହାଡ ମିଳି ନଥିବା ନେଇ କିଛି କହିନାହାନ୍ତି । ଦେହାବଶେଷ ମିଳିବା ପରେ ଶବ ଚିହ୍ନଟ ପାଇଁ ଡିଏନଏ ଟେଷ୍ଟ କରାଯାଇଥିଲା । ଡିଏନଏ ଟେଷ୍ଟ ପାଇଁ ଡାକ୍ତରମାନେ କିଛି ହାଡ ମଧ୍ୟ ପଠାଇଥିଲେ ବୋଲି ଅରୁଣ କହିଛନ୍ତି ।ଡଗ୍‌ ସ୍କ୍ୱାଡ କାହିଁକି ଗନ୍ଧ ବାରିପାରିଲା ନାହିଁ ପ୍ରଶ୍ନରେ ମଧ୍ୟ ଉତ୍ତର ରଖିଛନ୍ତି ଏସଆଇଟି ମୁଖ୍ୟ । ସେ କହିଛନ୍ତି, ଡଗ୍‌ ସ୍କ୍ବାଡ଼ ବିଷୟରେ ପଚାରିଲେ ମୁଁ କିଛି କହିପାରିବି ନାହିଁ । ଡଗ୍‌ ସ୍କ୍ୱାଡ ବ୍ୟବହାର କରାଯାଇନାହିଁ ବୋଲି ଅରୁଣ ସଫା ସଫା ମନା କରିଛନ୍ତି ।