Odia News Portal

ବ୍ୟାଡ୍‌ମିଣ୍ଟନ ଚାମ୍ପିୟନସିପ: ପିଭି ସିନ୍ଧୁ ବ୍ରୋଞ୍ଜରେ ସନ୍ତୁଷ୍ଟ

ଦୁଇ ଥର ଅଲମ୍ପିକ ପଦକ ବିଜୟିନୀ ପିଭି ସିନ୍ଧୁ ଏସୀୟ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନସିପର ସେମିଫାଇନାଲରେ ହାରିଯାଇଛନ୍ତି । ତେବେ ପରାଜୟ ସତ୍ତ୍ୱେ ସିନ୍ଧୁ ବ୍ରୋଞ୍ଜ ପଦକ ସହ ଅଭିଯାନ ଶେଷ କରିଛନ୍ତି ।

ଶନିବାର ଖେଳାଯାଇଥିବା ସେମିଫାଇନାଲ ମୁକାବିଲାରେ ଜାପାନର ଆକାନି ୟାମାଗୁଚୀଙ୍କ ଠାରୁ ପରାସ୍ତ ହୋଇ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହୋଇଛନ୍ତି ସିନ୍ଧୁ । ୨୬ ବର୍ଷୀୟା ଭାରତୀୟ ଷ୍ଟାର ସର୍ଟଲର ବିଶ୍ବ ନମ୍ବର ୨ ୟାମାଗୁଚୀଙ୍କ ଠାରୁ ୨୧-୧୩, ୧୯-୨୧ ଓ ୧୬-୨୧ରେ ପରାସ୍ତ ହୋଇଛନ୍ତି । ଏକ ଘଣ୍ଟା ୬ ମିନିଟ୍‌ ଧରି ବିଶ୍ବ ମହିଳା ବ୍ୟାଡ୍‌ମିଣ୍ଟନର ଦୁଇ ଶ୍ରେଷ୍ଠ ଖେଳାଳି ମଧ୍ୟରେ ଏହି ସଂଘର୍ଷପୂର୍ଣ୍ଣ ମୁକାବିଲା ଖେଳାଯାଇଥିଲା ।

ଟୁର୍ଣ୍ଣାମେଣ୍ଟରେ ଏହା ସିନ୍ଧୁଙ୍କ ଦ୍ବିତୀୟ ପଦକ । ୨୦୧୪ ଗେମଚନ ସଂସ୍କରଣରେ ମଧ୍ୟ ବ୍ରୋଞ୍ଜ ପଦକ ଜିତିଥିଲେ ସିନ୍ଧୁ । ସୟଦ ମୋଦି ଇଣ୍ଟରନ୍ୟାସନାଲ ଓ ସ୍ବିସ ଓପନରେ ଦୁଇଟି ସୁପର ୩୦୦ ଟାଇଟଲ ନିଜ ନାମରେ କରିଥିବା ହାଇଦ୍ରାବାଦ ସଟଲର ମାତ୍ର ୧୬ ମିନିଟ୍‌ ମଧ୍ୟରେ ପ୍ରଥମ ସେଟ୍‌କୁ ଜିତିନେଇଥିଲେ । ପରେ ଦ୍ବିତୀୟ ସେଟରେ ରେଫ୍ରୀଙ୍କ ସହ ଯୁକ୍ତି ପାଇଁ ସିନ୍ଧୁଙ୍କୁ ପଏଣ୍ଟ ପେନାଲିଟି ମଳିଥିଲା । ଏହାର ସୁଯୋଗ ନେଇ ୟାମାଗୁଚୀ ୧-୧ରେ ପଏଣ୍ଟ ବରାବର କରିବା ପରେ ନିର୍ଣ୍ଣାୟକ ସେଟ୍‌କୁ ମ୍ୟାଚ୍‌ ଯାଇଥିଲା । ଶେଷ ସେଟ୍‌ରେ ସିନ୍ଧୁ ଆରମ୍ଭରୁ ପଛୁଆ ରହିଥିଲେ । ଶେଷରେ ସିନ୍ଧୁଙ୍କୁ କୌଣସି କମବ୍ୟାକ୍‌ ସୁଯୋଗ ନଦେଇ ୟାମାଗୁଚୀ ବାଜି ମାରିନେଇଥିଲେ।