ଅଟୋ-ରିକ୍ସାରେ ଚଢ଼ି, ମସଲା ଚା ପିଇ ଏବଂ ଭାରତରେ ବାସ କରୁଥିବା ଆମେରିକୀୟମାନଙ୍କୁ ଭେଟି ଶୁକ୍ରବାର ଦିନ ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍ ଭାରତ ଗସ୍ତ ସମ୍ପନ୍ନ କରିଛନ୍ତି।
ପ୍ରାପ୍ତ ସୂଚନା ଅନୁସାରେ, ‘ଜି୨୦ ବୈଦେଶିକ ମନ୍ତ୍ରୀଙ୍କ ବୈଠକ’ରେ ଯୋଗ ଦେବା ଲାଗି ଭାରତ ଗସ୍ତରେ ଆସିଥିବା ବ୍ଲିଙ୍କେନ୍ ଭାରତରେ ଥିବା ଆମେରିକୀୟ ଦୂତାବାସଗୁଡ଼ିକର କର୍ମଚାରୀ ଓ ବିଭିନ୍ନ ସହରରେ ବାସ କରୁଥିବା ଆମେରିକୀୟ ଓ ସେମାନଙ୍କ ପରିବାରବର୍ଗଙ୍କୁ ଦିଲ୍ଲୀରେ ସାକ୍ଷାତ କରିଥିଲେ।
ସେମାନଙ୍କୁ ଭେଟିବା ପରେ ଟୁଇଟ୍ କରି ବ୍ଲିଙ୍କେନ୍ କହିଛନ୍ତି ଯେ, ଭାରତରେ ଥିବା ଆମେରିକୀୟମାନଙ୍କ କଠୋର ପରିଶ୍ରମ ନିକଟରେ ସେ କୃତଜ୍ଞ। ଭାରତ-ଆମେରିକା ସମ୍ପର୍କ ସୁଦୃଢ଼ କରିବାକୁ ସେ ମଧ୍ୟ ପ୍ରତିବଦ୍ଧ।
ମୁମ୍ବାଇ, କୋଲ୍କାତା, ହାଇଦ୍ରାବଦ ଏବଂ ଚେନ୍ନାଇରେ ଥିବା ଆମେରିକୀୟ ଦୂତାବାସର କର୍ମଚାରୀ ଓ ସେମାନଙ୍କ ପରିବାରବର୍ଗଙ୍କୁ ଭେଟିବା ସମୟର କେତେକ ଫଟୋ ମଧ୍ୟ ବ୍ଲିଙ୍କେନ୍ ସେୟାର୍ କରିଛନ୍ତି। ସେଥିରୁ ଗୋଟିଏ ଫଟୋରେ ଦେଖାଯାଉଛି କେତେ ଜଣ ଦୂତାବାସ କର୍ମଚାରୀ ବସି ଥିବା ଗୋଟାଏ ଅଟୋ-ରିକ୍ସାରୁ ସେ ଓହ୍ଲାଉଛନ୍ତି।
ସେହିପରି ଦିଲ୍ଲୀରେ ବ୍ଲିଙ୍କେନ୍ ମଧ୍ୟ ‘ୱିମିନ୍ ସିଭିଲ୍ ସୋସାଇଟି’ ନେତ୍ରୀମାନଙ୍କୁ ଭେଟିବା ସମୟରେ ‘ମସଲା ଚା’ ପିଇଥିଲେ। ସେମାନଙ୍କ ସହିତ ସେ ମହିଳା ସଶକ୍ତିକରଣ ପ୍ରସଙ୍ଗରେ ଆଲୋଚନା କରିବା ସହିତ କହିଥିଲେ ଯେ, ଏହାଦ୍ବାରା ବି ଭାରତ-ଆମେରିକା ସମ୍ପର୍କ ସୁଦୃଢ଼ ହେଉଛି।
ଆମେରିକା ପ୍ରତ୍ୟାବର୍ତ୍ତନ ସମୟରେ ଟୁଇଟ୍ କରି ସେ ଲେଖିଥିଲେ, ଭାରତ-ଆମେରିକା ସହଭାଗିତା ଫଳପ୍ରଦ ହେଉଛି। ମୋ ଗସ୍ତ ଆମ ସମ୍ପର୍କର ସାମର୍ଥ୍ୟ ଏବଂ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ସୁରକ୍ଷା ନିମନ୍ତେ ଆମ ଦୃଢ଼ ପ୍ରତିବଦ୍ଧତାର ପ୍ରତିଫଳନ କରୁଛି। ଭାରତର ଆତିଥେୟତା ଓ ନେତୃତ୍ବ ପାଇଁ ଧନ୍ୟବାଦ। ଭାରତର ‘ଜି୨୦’ ଅଧ୍ୟକ୍ଷତା ଯାହା ସବୁ ମହତ୍ତ୍ବକାଙ୍କ୍ଷୀ ‘ଆଜେଣ୍ଡା’ ରହିଛି ସେଥିରେ ମଧ୍ୟ ଭାଗ ନେବାକୁ ଆମେ ପ୍ରସ୍ତୁତ।