Odia News Portal

ସରିଲା ନବମୀ ଦର୍ଶନ, ଆଜି ବାହୁଡ଼ାଯାତ୍ରା

ଆଡ଼ପ ମଣ୍ଡପରେ ଶେଷହେଲା ମହାପ୍ରଭୁଙ୍କ ଦର୍ଶନ ସହ ନବଦିନାତ୍ମକ ଯାତ୍ରା । ଆଜି ଜନ୍ମବେଦୀ ଛାଡ଼ି ମହାପ୍ରଭୁ ବାହୁଡ଼ିଯିବେ ରତ୍ନବେଦୀକୁ । ଏନେଇ ଆଜି ଗୁଣ୍ଡିଚାମନ୍ଦିରରେ ନବମୀ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ହୋଇଥିଲା । ଅପରାହ୍ଣ ୫ଟା ପରେ ପୂର୍ବ ନିଷ୍ପତ୍ତି ମୁତାବକ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ହୋଇଥିଲା । ତେବେ ଅନେକ ଭକ୍ତ ଏ ସମ୍ପର୍କରେ ଜାଣିନପାରି ମହାପ୍ରଭୁଙ୍କ ଦର୍ଶନରୁ ବଞ୍ôଚତ ହୋଇଥିଲେ । ଆସନ୍ତାକାଲିର ବାହୁଡ଼ାଯାତ୍ରା ପାଇଁ ଆଜି ରାତିରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ ।

ଆଜି ପ୍ରାତଃ ୩ଟା ୨୦ରେ ଗୁଣ୍ଡିଚା ମନ୍ଦିର ଦ୍ୱାର ଫିଟାଯାଇ ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି ସଅଳ ଶେଷ ହୋଇଥିଲା । ସକାଳୁ ଆରମ୍ଭ ହୋଇଥିଲା ସର୍ବସାଧାରଣ ଦର୍ଶନ । ଶ୍ରଦ୍ଧାଳୁମାନେ ବ୍ୟାରିକେଡ୍ରେ ଦୀର୍ଘ ସମୟ ଅପେକ୍ଷା କରି ଗୁଣ୍ଡିଚା ମନ୍ଦିର ସିଂହଦ୍ୱାର ଦେଇ ପ୍ରବେଶ କରିଥିଲେ । ଆଡ଼ପ ମଣ୍ଡପରେ ଚତୁର୍ଦ୍ଧାବିଗ୍ରହଙ୍କ ଦର୍ଶନ ପରେ ନାକଚଣା ଦ୍ୱାରଦେଇ ପ୍ରସ୍ଥାନ କରିଥିଲେ । ଆଜି ଆଡ଼ପମଣ୍ଡପରେ ଶେଷ ଦର୍ଶନ ହୋଇଥିବାରୁ ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ବେଶ୍ ଉତ୍ସାହ ପ୍ରକାଶ ପାଇଥିଲା । ଖରା ଓ ଗୁଳୁଗୁଳି ସତ୍ତ୍ୱେ ଭକ୍ତମାନଙ୍କ ମଧ୍ୟରେ ଦର୍ଶନ ପାଇଁ ଉତ୍କଣ୍ଠା କମିନଥିଲା । ଆଜି ପାଖାପାଖି ମେଡିକାଲ ଛକ ପର୍ଯ୍ୟନ୍ତ ଭକ୍ତମାନଙ୍କ ଧାଡ଼ି ଲମ୍ବି ଯାଇଥିଲା । ତେବେ ସନ୍ଧ୍ୟା ୫ଟାରେ ସେହି ବ୍ୟାରିକେଡ୍କୁ ବନ୍ଦ କରିଦିଆଯାଇଥିଲା । ଦର୍ଶନ ବନ୍ଦହେବା ପରେ ଯେଉଁ ଭକ୍ତମାନେ ଆଡ଼ପ ଅଭଡ଼ା ପାଇପାରି ନଥିଲେ ସେମାନେ ନାକଚଣା ଦ୍ୱାରା ଦେଇ ଆନନ୍ଦ ବଜାରକୁ ପ୍ରବେଶ କରି ଅଭଡ଼ା ପାଇଥିଲେ । ଶ୍ରଦ୍ଧାଳୁଙ୍କ ଭିଡ଼କୁ ଲକ୍ଷ୍ୟକରି ଅଗ୍ନିଶମ ବିଭାଗ ପକ୍ଷରୁ ଜଳସିଞ୍ଚନ ସହ ସେଡ୍ର ବ୍ୟବସ୍ଥା ହୋଇଥିଲା ।

ଏହି ନବମୀ ସନ୍ଧ୍ୟା ଦର୍ଶନର ସ୍ୱତନ୍ତ୍ରତା ରହିଛି । ବର୍ଷତମାମ ଶ୍ରୀମନ୍ଦିରରେ ଦର୍ଶନକଲେ ଯେତିକି ପୁଣ୍ୟ ମିଳିଥାଏ, ଆଡ଼ପ ମଣ୍ଡପରେ ଚତୁର୍ଦ୍ଧାବିଗ୍ରହଙ୍କୁ ଗୋଟିଏ ଦିନ ଦର୍ଶନକଲେ ସେତିକି ପୁଣ୍ୟ ମିଳିଥାଏ । ବିଭିନ୍ନ ଶାସ୍ତ୍ର, ପୁରାଣରେ ବର୍ଣ୍ଣନା ଅନୁଯାୟୀ ନବମୀ ସନ୍ଧ୍ୟାଦର୍ଶନ ଦିନ ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀରେ ସ୍ନାନକରି ଆଡ଼ପ ମଣ୍ଡପରେ ଦର୍ଶନ ଓ ବ୍ରାହ୍ମଣଭୋଜନ କରିବା ଦ୍ୱାରା କୋଟିଜନ୍ମର ପୁଣ୍ୟ ମିଳିଥାଏ । ଏହି କାରଣରୁ ନବମୀ ସନ୍ଧ୍ୟାଦର୍ଶନ ପାଇଁ ସମଗ୍ର ଗୁଣ୍ଡିଚା ମନ୍ଦିର ଓ ଶରଧାବାଲି ଅଞ୍ଚଳ ଲୋକାରଣ୍ୟ ହୋଇପଡ଼ିଥିଲା । ସେପଟେ ଆସନ୍ତାକାଲି ବାହୁଡ଼ା ଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଶେଷହୋଇଛି । ପୁଲିସ ପ୍ରଶାସନ ପକ୍ଷରୁ ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନକୁ ସୁରୁଖୁରୁରେ ସମାପନ କରିବା ନିମନ୍ତେ ୭୦ ପ୍ଲାଟୁନ୍ ଫୋର୍ସ ସହ ୧୦ପ୍ଲାଟୁନ୍ ରିଜର୍ଭ ଫୋର୍ସ ମୁତୟନ କରାଯାଇଥିଲା ।

ସୂଚନା ମୁତାବକ ଆଜି ରାତିରେ ମହାପ୍ରଭୁଙ୍କ ସେନାପଟା ଲାଗି, ବାହୁଟକଣ୍ଟ ଓ କୁସୁମୀ ଲାଗି ଆଦି ସ୍ୱତନ୍ତ୍ର ନୀତିକାନ୍ତିମାନ ଅନୁଷ୍ଠିତ ହେବ । ଜନ୍ମବେଦୀ ଶ୍ରୀଗୁଣ୍ଡିଚା ମନ୍ଦିରରେ ଲୀଳାଖେଳା ସାରି ନୀଳକନ୍ଦରକୁ ବାହୁଡ଼ିଯିବେ ମହାବାହୁ । ଏହା ପୂର୍ବରୁ କୋଠସୁଆଁସିଆ ସେବାୟତମାନଙ୍କ ଦ୍ୱାରା ଆଡ଼ପ ମଣ୍ଡପ ସିଂହାସନରେ ଆଜି ଚାରମାଳ ବନ୍ଧାହେବ । ଆଜି ସକାଳୁ ଗୁଣ୍ଡିଚା ମନ୍ଦିର ନିକଟରେ ଅବଢ଼ା ଟିକିଏ ପାଇବା ପାଇଁ ଭକ୍ତମାନଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ମହାପ୍ରଭୁ ବାହୁଡ଼ିବା ବାଟରେ ତାଙ୍କ ପ୍ରିୟ ମାଉସୀ ମା’ଙ୍କ ହାତରୁ ପୋଡ଼ପିଠା ଖାଇ ଶ୍ରୀମନ୍ଦିର ଅଭିମୁଖେ ଯିବାକୁ ଥିବାବେଳେ ଶ୍ରୀନହର ସମ୍ମୁଖରେ ଲକ୍ଷ୍ମୀନାରାୟଣ ଭେଟ ହେବାର ପରମ୍ପରା ରହିଛି ।
ବାହୁଡ଼ାଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ ହୋଇଯାଇଛି ।

ବୁଧବାର ଭୋର୍ ୪ଟାରେ ମଙ୍ଗଳ ଆଳତି, ୪ଟା ୧୫ରେ ମଇଲମ୍, ୪ଟା ୩୦ରେ ତଡ଼ପଲାଗି ଓ ରୋଷହୋମ, ୫ଟାରେ ଅବକାଶ, ୫ଟା ୧୫ରେ ସୂର୍ଯ୍ୟପୂଜା, ୫ଟା ୩୦ରେ ଦ୍ୱାରପାଳ ପୂଜା ଓ ବେଶ ଶେଷହୋଇ ସକାଳ ୫ଟା ୪୫ରୁ ୬ଟା ୪୫ ମଧ୍ୟରେ ଗୋପାଳବଲ୍ଲଭ ଏବଂ ସକାଳ ଧୂପରେ କେବଳ ଖେଚୁଡ଼ି ଭୋଗ, ସକାଳ ୭ଟାରୁ ୧୧ଟା ୩୦ ସେନାପଟା ଲାଗି, ୧୧ଟା ୪୫ରେ ମଙ୍ଗଳାର୍ପଣ, ମଧ୍ୟାହ୍ନ ୧୨ଟାରୁ ଅପରାହ୍ଣ ୨ଟା ୩୦ ମଧ୍ୟରେ ବାହୁଡ଼ା ପହଣ୍ଡି, ଅପରାହ୍ଣ ୧ଟାରୁ ୨ଟା ୩୦ ମଧ୍ୟରେ ବେଶଶେଷ, ଅପରାହ୍ଣ ୨ଟା ୩୦ରୁ ୩ଟା ୩୦ ଛେରାପହଁରା, ଅପରାହ୍ଣ ୩ଟା ରୁ ୪ଟା ମଧ୍ୟରେ ଚାରମାଳ ଫିଟା ଓ ଘୋଡ଼ା ବନ୍ଧା ସହ ରଥ ଟାଣିବା ପାଇଁ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ ହୋଇଛି । ଏଥିସହ ଜିଲ୍ଲା ପ୍ରଶାସନ ପକ୍ଷରୁ ଭକ୍ତଙ୍କ ନିମନ୍ତେ ପାଣି, ସ୍ୱାସ୍ଥ୍ୟ ସେବା ଓ ଅନ୍ୟାନ୍ୟ ଜରୁରିକାଳୀନ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଅନ୍ୟପଟେ ଆସନ୍ତାକାଲି ବାହୁଡ଼ା ଯାତ୍ରା ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ୧୭୦ ପ୍ଲାଟୁନ୍ ପୁଲିସ ଫୋର୍ସ ସହ ଅତିରିକ୍ତ ୧୫ପ୍ଲାଟୁନ୍ ରିଜର୍ଭ ପୁଲିସ ଫୋର୍ସ ରଖାଯାଇଛି ଏବଂ ୧୦୦୦ପୁଲିସ ଅଧିକାରୀ ମୁତୟନ ରହିବେ । ସେହିପରି ଆଜି ରାତି ୧୨ଟାରୁ ଟ୍ରାଫିକ କଟକଣା ସହରରେ ଲାଗୁ କରାଯିବ ବୋଲି ଏସ୍ପି ଡ. କେ.ବିଶାଲ ସିଂହ କହିଛନ୍ତି ।