Odia News Portal

ଗାଁରେ ପହଞ୍ଚିଲା ମୃତଦେହ: ବଳଙ୍ଗା ପୀଡ଼ିତାଙ୍କ ଶେଷଯାତ୍ରା

ରବିବାର ସକାଳେ ନୂଆଦିଲ୍ଲୀ ଏମ୍‌ସରେ ପୀଡ଼ିତାଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଥିଲା। ମରଶରୀର ଭୁବନେଶ୍ବର ଆଣିବା ଲାଗି ଦିଲ୍ଲୀସ୍ଥିତ ଆବାସିକ କମିସନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସମସ୍ତ ପ୍ରସ୍ତୁତି ହୋଇଥିବାବେଳେ ରାତି ପ୍ରାୟ ୯ଟା ସମୟରେ ମୃତଦେହ ଦିଲ୍ଲୀରୁ ଭୁବନେଶ୍ବର ଅଭିମୁଖେ ବାହାରିଥିଲା। ଆଇନଶୃଙ୍ଖଳା ପରିସ୍ଥିତିକୁ ନଜରରେ ରଖି ଭୁବନେଶ୍ବର ବିମାନବନ୍ଦର ବାହାରେ ଗୋଟିଏ ପ୍ଲାଟୁନ୍‌ ପୁଲିସ ମୁତୟନ କରାଯାଇଥିଲା। ନିଜେ ଡିସିପି ଜଗମୋହନ ମୀନା ଓ ବରିଷ୍ଠ ପୁଲିସ ଅଧିକାରୀ ବିମାନବନ୍ଦରରେ ଉପସ୍ଥିତ ରହି ସୁରକ୍ଷା ବ୍ୟବସ୍ଥା ତଦାରଖ କରିଥିଲେ। ବିମାନବନ୍ଦରରେ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ ପୀଡ଼ିତ‌ାଙ୍କ ଶେଷଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପୀଡ଼ିତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ପରିବାର ଲୋକଙ୍କୁ ସାନ୍ତ୍ବନା ଦେଇଥିଲେ। ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ଏକାମ୍ର ବିଧାୟକ ବାବୁ ସିଂ, ଉତ୍ତର ବିଧାୟକ ସୁଶାନ୍ତ ରାଉତ, ପୂର୍ବତନ ବିଧାୟକ ସମୀର ଦାଶ, ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ପୂର୍ବତନ ସାଂସଦ ପ୍ରଦୀପ ମାଝୀ, ପୂର୍ବତନ ବିଧାୟକ ସଞ୍ଜୟ ଦାସବର୍ମା, ପୂର୍ବତନ ବିଧାୟକ ଉମା ସାମନ୍ତରାୟ, ପୂର୍ବତନ ବିଧାୟକ ରୁଦ୍ର ମହାରଥୀ, ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ପ୍ରମୁଖ ପୀଡ଼ିତାଙ୍କ ଶେଷଦର୍ଶନ କରିଥିଲେ। କଲ୍‌ମା ପାଠ ପରେ ମୃତଦେହକୁ ମହାପ୍ରୟାଣ ଗାଡ଼ି ଯୋଗେ ବଳଙ୍ଗା ନିଆଯାଇଥିଲା।