Odia News Portal

ଶ୍ରୀରାମ ନବମୀ ପାଳନ ପୂର୍ବରୁ ଆଲର୍ଟରେ ବାଲେଶ୍ବର ପୋଲିସ, ମୁତୟନ ହେବେ ୨୦ ପ୍ଲାଟୁନ ଫୋର୍ସ

ଶ୍ରୀରାମ ନବମୀ ପାଳନ ପୂର୍ବରୁ ଆଲର୍ଟରେ ବାଲେଶ୍ବର ପୋଲିସ । ଶାନ୍ତିଶୃଙ୍ଖଳାର ସହ ଶ୍ରୀରାମ ନବମୀ ପାଳନ କରିବା ପାଇଁ ବାଲେଶ୍ଵର ଜିଲ୍ଲା ପୋଲିସ ପକ୍ଷରୁ ସହରରେ ଫ୍ଲାଗ୍ ମାର୍ଚ୍ଚ କରାଯାଇଛି । ଟାଉନ୍ ଥାନା ଓ ସହଦେବ ଖୁଣ୍ଟା ଅଞ୍ଚଳରେ କୋଡ଼ିଏ ପ୍ଲାଟୁନ ଫୋର୍ସ ମୁତୟନ କରାଯିବ । ପର୍ବ ପାଳନ ବେଳେ କୌଣସି ପ୍ରକାର ଡିଜେ ବ୍ୟବହାର ହୋଇ ପାରିବ ନାହିଁ ।ସେହିପରି ସୋର, ଜଳେଶ୍ୱର ସମେତ ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯିବ ବୋଲି ଏସପି ପ୍ରତ୍ୟୁଷ ଦିବାକର କହିଛନ୍ତି। ଏସପିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଫ୍ଲାଗ ମାର୍ଚ୍ଚରେ ବିଏସଏଫ ସମେତ ଚାରି ପ୍ଲାଟୁନ ଫୋର୍ସ ସାମିଲ ହୋଇଥିଲେ । ଫ୍ଲାଗ ମାର୍ଚ୍ଚ ଟାଉନ ଥାନା ନିକଟରୁ ବାହାରି ସିନେମାଛକ, ଟାଉନହଲ୍, ମୀର୍ଜାପୋଖରୀ ଛକ, ମଣ୍ଡଳବଜାର, ଦାମୋଦରପୁର, ବଡ଼ଖୁଆ, ପାତ୍ରପଡ଼ା, ସୁନହଟ ଦେଇ ଗଡ଼ଗଡ଼ିଆ ଛକରେ ଶେଷ ହୋଇଥିଲା ।ଶ୍ରୀରାମ ନବମୀ ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ରାମନବମୀ ପାଳନ ବେଳେ ସାରା ରାଜ୍ୟରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ପୋଲିସ ପ୍ରଶାସନକୁ ଦୃଢ଼ ନିର୍ଦ୍ଦେଶ ଦେଇଛନ୍ତି ।