Odia News Portal

ବେଦି ଉପରେ ହାତରୁ ଚୁଡ଼ି କାଢ଼ିଦେଲା କନ୍ୟା: ବେହୋସ ହୋଇଗଲା ବର

ବାଲେଶ୍ୱର ଜିଲ୍ଲା ବାଲିଆପାଳରେ ଘଟିଛି ଏକ ଅଭାବନୀୟ ଦୃଶ୍ୟ | ବେଦି ଉପରେ ସ୍ୱାମୀ ଆଗରେ ଶଙ୍ଖ ଚୁଡ଼ି ଖୋଲି ଫୋଫାଡ଼ି ଦେଲା କନ୍ୟା | ମନ୍ତ୍ର ଉଚ୍ଚାରଣରେ ଫାଟି ପଡ଼ୁଥିବା ବିବାହ ମଣ୍ଡପ କିଛି ସମୟ ପାଇଁ ସ୍ତବ୍ଧ ହୋଇପଡ଼ିଥିଲା | ଦେଖଣାହାରୀ ବାସ ଚାହିଁ ରହିଥିଲେ |

ହାତରେ ଶଙ୍ଖାଚୁଡ଼ି ପିନ୍ଧି ଓଢ଼ଣୀ ଟାଣି କନିଆ ବେଶରେ ବସିଥିବା ଯୁବତୀଙ୍କ ମଥାରେ ସିନ୍ଦୂର ଦେଇଥିଲେ ବର। ହୁଳୁହୁଳି ସାଙ୍ଗକୁ ବିବାହର ସବୁ ନୀତି କ୍ରମ ଶେଷ ହୋଇଥିଲା | ହେଲେ ଏହା ପରେ ଘଟିଲା ଅଭାବନୀୟ କାଣ୍ଡ, ଯାହାକୁ ନା କେହି କେବେ ଦେଖିଥିଲା ନା କେବେ କଳ୍ପନା କରିଥିଲା।

କିଛି ମୁହୂର୍ତ୍ତ ପୂର୍ବେ ସଧବା ହୋଇଥିବା କନିଆ ଜଣକ ହଠାତ୍‌ ଘଟାଇଲେ ଅଭାବନୀୟ କାଣ୍ଡ। ବର ସାମନାରେ ହାତରୁ ଖୋଲି ଚାଲିଲେ ଶଙ୍ଖା ଚୁଡ଼ି। ଏପରି ଦେଖି ସମସ୍ତେ ତାଜୁବ ହୋଇଯାଇଥିଲେ। ଏପରିକି ସଦ୍ୟ ବର ହୋଇଥିବା ଯୁବକ ଜଣକ ବେଦୀରେ ହିଁ ବେହୋସ ହୋଇଗଲେ। ଏପରି ଘଟଣା ବାଲେଶ୍ୱର ଜିଲ୍ଲା ବାଲିଆପାଳରେ ଘଟିଛି। ଏହି ଘଟଣା ପ୍ରାୟ ୫ ଦିନ ତଳର ହୋଇଥିବା ଜଣା ପଡ଼ିଥିବା ବେଳେ ଏହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।

ସୂଚନା ଅନୁସାରେ, ବାଲିଆପାଳ ଅଞ୍ଚଳର ଜଣେ ଯୁବକଙ୍କ ବିବାହ ସ୍ଥାନୀୟ ଅଞ୍ଚଳର ଜଣେ ଯୁବତୀଙ୍କ ସହ ଠିକ୍‌ ହୋଇଥିଲା। ନିର୍ଦ୍ଧାରିତ ସମୟରେ ବରଯାତ୍ରୀ ସହ ପହଞ୍ଚିଥିଲେ ବର। ନାଚଗୀତରେ ଦୁଲୁକିଲା ଗାଁ ଦାଣ୍ଡ। ଏହାପରେ ବିବାହ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଅଗ୍ନିକୁ ସାକ୍ଷୀ ରଖି ପତିପତ୍ନୀ ସାଜିଲେ ଉଭୟ। କିନ୍ତୁ କନିଆ ଏହାକୁ ମାନିବାକୁ ନାରାଜ। ବିବାହ ବେଦିରେ ହିଁ ଏହି ବିବାହକୁ ଭାଙ୍ଗିବା ସହ ସମ୍ପର୍କ ତୁଟାଇଦେଲେ କନିଆ। ବାହା ବେଦିରେ ବର ବସିଥିବା ବେଳେ କନ୍ୟା ଉଠିପଡ଼ି ହାତରୁ ଶଙ୍ଖା ଖୋଲି ପକାଇଥିଲେ।

ଏହା ଦେଖି କନିଆ ଘର ଲୋକେ ଝିଅକୁ ବୁଝାଶୁଝା କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ନିଜ ଜିଦ୍‌ରେ ଅଟଳ ଥିଲେ। ଏପରିକି ମୁଁ ପୂର୍ବରୁ ବିବାହ କରି ସାରିଥିବା ବେଳେ ମୋର ସ୍ୱାମୀ ଅଛନ୍ତି ବୋଲି କନିଆ ଜଣକ କହୁଥିବା ଭିଡିଓରେ ଶୁଣିବାକୁ ମିଳୁଛି। ଏହା ଶୁଣି ଉତ୍ତ୍ୟକ୍ତ କନିଆ ଘର ଲୋକେ ଝିଅକୁ ମାରପିଟ କରିଥିଲେ ମଧ୍ୟ ଝିଅ ଏହି ବିବାହକୁ ସ୍ୱୀକାର କରିବା ପରିସ୍ଥିତିରେ ନ ଥିଲା। ନିଜ ପତ୍ନୀଙ୍କ ଏପରି କାରନାମା ଦେଖି ବିଚରା ସ୍ୱାମୀ ଜଣକ ବେଦୀ ଉପରେ ହିଁ ଚେତାଶୂନ୍ୟ ହୋଇପଡ଼ିଥିଲେ। ଏହା ପରେ ବର ପକ୍ଷ ଲୋକେ ଖାଲି ହାତରେ ଫେରିଥିବା ବେଳେ କନିଆ ନିଜ ଘରେ ଥିବା ଜଣାଯାଇଛି। ଏହି ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି। ଯୁବତୀଙ୍କ ଇଚ୍ଛା ବିରୋଧରେ ପରିବାର ଲୋକେ ଏହି ବିବାହ କରାଉଥିବାରୁ ସେ ଏପରି କାଣ୍ଡ ଘଟାଇଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି।