Odia News Portal

ବାରବାଟୀ ମ୍ୟାଚ ପାଇଁ ୯ରୁ ଅଫଲାଇନ୍ ଟିକେଟ୍

ଜୁନ୍ ୧୨ ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ମ୍ୟାଚ୍ । ଏଥିପାଇଁ ରାଜ୍ୟ ସରକାର ଦର୍ଶକଙ୍କ ପ୍ରବେଶକୁ ଅନୁମତି ପ୍ରଦାନ କରିଛନ୍ତି । ମ୍ୟାଚ୍ ପାଇଁ ଜୁନ୍ ପହିଲାରୁ ଅନଲାଇନରେ ଟିକେଟ ବିକ୍ରୀ ଆରମ୍ଭ ହେବ । ପ୍ରଥମ ୫୦୦୦ ଟିକେଟ୍ ଅନଲାଇନରେ ବିକ୍ରୀ ହେବ । ଷ୍ଟାଡିୟମରେ ମୋଟ୍ ୪୦ ହଜାର ୨୩୪ଟି ସିଟ୍ ରହିଥିବାବେଳେ ସେଥିରୁ ୨୯ ହଜାର ୧୫୪ ଟି ଟିକେଟ ବିକ୍ରୀ ହେବ । ଏଥିରୁ ୮ ହଜାର ଟିକେଟ ଓସିଏ ଏବଂ ବିସିସିଆଇ ଅନୁମୋଦିତ ସଂସ୍ଥାଙ୍କ ପାଇଁ ବିକ୍ରୀ ହେବ । ତେବେ ୨୧ ହଜାର ୧୫୪ ଟି ଟିକେଟ ଅଫଲାଇନ୍ ତଥା ଟିକେଟ କାଉଣ୍ଟରରେ ବିକ୍ରୀ କରାଯିବ । ଜୁନ୍ ୯ରୁ ୧୨ ତାରିଖ ମଧ୍ୟରେ ଭୁବନେଶ୍ୱରରେ ଦୁଇଟି ଟିକେଟ କାଉଣ୍ଟର ଖୋଲାଯାଇ ଟିକେଟ ବିକ୍ରୀ କରାଯିବ । ସାଧାରଣ ଦର୍ଶକଙ୍କ ପାଇଁ ଜୁନ୍ ୯ ତାରିଖ ଏବଂ ୧୦ ତାରିଖ ଷ୍ଟାଡିୟମ କାଉଣ୍ଟରରେ ଟିକେଟ ବିକ୍ରୀ କରାଯିବ । ଜଣେ ବ୍ୟକ୍ତି ନିଜର ପରିଚୟ ପତ୍ର ଦେଖାଇ ସର୍ବାଧିକ ୨ଟି ଟିକେଟ୍ କିଣିପାରିବେ । ସୁରକ୍ଷା ପାଇଁ ଟିକେଟ କାଉଣ୍ଟରରେ ସିସିଟିଭି କ୍ୟାମେରା ମଧ୍ୟ ଲଗାଯିବ । ମ୍ୟାଚ ପାଇଁ ଟିକେଟର ଦର ବୃଦ୍ଧି କରାଯାଇଛି । ଗ୍ୟାଲେରି ନମ୍ବର ୧ , ୩ ଏବଂ ୫ ପାଇଁ ଟିକେଟର ଦାମ ୯୦୦ ଟଙ୍କା ରଖାଯାଇଥିବାବେଳେ ୨ ନମ୍ବର ଏବଂ ୪ ନମ୍ବର ଗ୍ୟାଲେରୀ ଟିକେଟର ମୂଲ୍ୟ ୬୦୦ ଟଙ୍କା ରଖାଯାଇଛି । ସେହିପରି ୬ ନମ୍ବର ଗ୍ୟାଲେରୀ ଟିକେଟ ୩୦୦ ଟଙ୍କାରେ ବିକ୍ରୀ କରାଯିବ ।
ବାରବାଟୀରେ କେଉଁ ଟିକେଟ କେତେ ଦାମ୍!
ଗ୍ୟାଲେରୀ ନମ୍ୱର୍ ୧,୩ ଓ ୫ ମାତ୍ର ୯୦୦ ଟଙ୍କା
ଗ୍ୟାଲେରୀ ନମ୍ୱର୍ ୨ ଓ ୪ ମାତ୍ର ୭୦୦ ଟଙ୍କା
ଗ୍ୟାଲେରୀ ନମ୍ୱର୍ ୭ ମାତ୍ର ୬୦୦ ଟଙ୍କା
ଗ୍ୟାଲେରୀ ନମ୍ୱର୍ ୬ ମାତ୍ର ୩୦୦ ଟଙ୍କା (ପ୍ଲେୟାର କନସେସନ୍)
ସ୍ପେଶଲ୍ ଏନକ୍ଲଜର ମାତ୍ର ୫୦୦୦ ଟଙ୍କା
ଏସି ବକ୍ସ ମାତ୍ର ୭୦୦୦ ଟଙ୍କା
ନିଉ ପାଭିଲିୟନ୍ ମାତ୍ର ୮୦୦୦ ଟଙ୍କା
କର୍ପୋରେଟ ବକ୍ସ ମାତ୍ର ୧୨୦୦୦ ଟଙ୍କା