Odia News Portal

ଇଂଲଣ୍ଡ ଗସ୍ତ ପାଇଁ ୨୦ ଜଣିଆ ଭାରତୀୟ ଦଳ

ନୂଆଦିଲ୍ଲୀ: ଆସନ୍ତା ଜୁନ୍ ମାସରେ ଇଂଲଣ୍ଡର ସାଉଥାମ୍ପଟନରେ ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ଆଇସିସି ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପର ଫାଇନାଲ୍ ମୁକାବିଲା ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ୨୦ ଜଣିଆ ଭାରତୀୟ ଦଳର ଘୋଷଣା କରିଛି । ସେହିପରି ଅଗଷ୍ଟରେ ଇଂଲଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପାଇଁ ସମାନ ଦଳ ଘୋଷଣା କରାଯାଇଛି ।

ସ୍କ୍ୱାଡକୁ ଷ୍ଟାର୍ ପେସ୍ ବୋଲର ମହମ୍ମଦ ଶାମି ଓ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ପ୍ରତ୍ୟାବର୍ତ୍ତନ କରିଛନ୍ତି । ଦୁହେଁ ଆହତ କାରଣରୁ ଦୀର୍ଘ ଦିନ ଧରି ଅନ୍ତର୍ଜାତୀୟ କ୍ରିକେଟରୁ ଦୂରେଇ ରହିଥିଲେ । ତେବେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା, ଯୁବ ଓପ୍ନର ପୃଥ୍ୱୀ ଶ’ ଓ ପେସର ଭୁବନେଶ୍ୱର କୁମାରଙ୍କୁ ସ୍କ୍ୱାଡରେ ସ୍ଥାନ ମିଳିନାହିଁ । ଶାମି ଗତବର୍ଷ ଡିସେମ୍ବରରେ ଅଷ୍ଟ୍ରେଲିଆ ବିପକ୍ଷ ଆଡିଲେଡରେ ଖେଳାଯାଇଥିବା ଦିବାରାତ୍ର ଟେଷ୍ଟରେ ଶାମି ଭାରତ ପକ୍ଷରୁ ଖେଳିଥିଲେ। ଏହି ଟେଷ୍ଟରେ ଶାମିଙ୍କ କାନ୍ଧରେ ଆଘାତ ଲାଗିଥିଲା ।

ସେହିପରି ଜାଡେଜା ସିଡନୀରେ ଖେଳାଯାଇଥିବା ତୃତୀୟ ଟେଷ୍ଟରେ ଆହତ ହୋଇଥିଲେ । ଯେଉଁ କାରଣରୁ ଉଭୟ ଶାମି ଓ ଜାଡେଜା ଇଂଲଣ୍ଡ ବିପକ୍ଷ ଚାରିମ୍ୟାଚ୍ ବିଶିଷ୍ଟ ଘରୋଇ ଟେଷ୍ଟ ସିରିଜ୍ ଖେଳିପାରିନଥିଲେ । ଏବେ ଦୁହେଁ ଫିଟ୍ ହୋଇସାରିଛନ୍ତି ଏବଂ ନିକଟରେ ଆଇପିଏଲ ଖେଳି କମବ୍ୟାକ୍ କରିଛନ୍ତି । ଏହି ଦୁହିଁଙ୍କ ବ୍ୟତୀତ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ଚୟନ ହୋଇଥିବା ସ୍କ୍ୱାଡରେ ଆଉ କୌଣସି ପରିବର୍ତ୍ତନ କରାଯାଇନାହିଁ । ଫେବୃଆରୀ ମାର୍ଚ୍ଚରେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଭାରତ ୩-୧ରେ ବିଜୟୀ ହୋଇଥିଲା ।

ଟିମର ନେତୃତ୍ୱ ନେବେ ବିରାଟ୍ କୋହଲି । ତାଙ୍କ ଡେପୁଟୀ ଭାବେ ଆଜିଙ୍କ୍ୟ ରାହାଣେ ଟିମରେ ଅଛନ୍ତି । ଅଭିମନ୍ୟୁ ଈଶ୍ୱରନ୍‌, ପ୍ରସିଦ୍ଧ କୃଷ୍ଣ, ଆଭେଶ ଖାନ୍ ଓ ଅର୍ଜାନ୍ ନାଗୱାସୱାଲ୍ଲା ଷ୍ଟାଣ୍ଡବାଇ ଖେଳାଳି ଭାବେ ଇଂଲଣ୍ଡ ଗସ୍ତ କରିବେ । ଏହାବ୍ୟତୀତ ରେଗୁଲାର ସ୍କ୍ୱାଡରେ ରୋହିତ୍ ଶର୍ମା ଓ ଶୁବମନ୍ ଗିଲଙ୍କ ସମେତ ଚେତେଶ୍ୱର ପୂଜାରା, ଋଷଭ ପନ୍ତ ରହିଛନ୍ତି । ରିଜର୍ଭ ୱିକେଟକିପର ଭାବେ ଋଦ୍ଧିମାନ ସାହା ଓ ଲୋକେଶ ରାହୁଲ୍ ସ୍ଥାନ ବଜାୟ ରଖିଛନ୍ତି । ସେହିପରି ଅକ୍ଷର ପଟେଲ୍ ଓ ୱାଶିଂଟନ୍ ସୁନ୍ଦର ନିଜ ନିଜର ସ୍ଥାନ ସୁରକ୍ଷିତ ରଖିଛନ୍ତି । ପେସ୍ ଡିପାର୍ଟମେଣ୍ଟରେ ଈଶାନ୍ତ ଶର୍ମା, ଯଶପ୍ରୀତ ବୁମ୍ରା, ମହମ୍ମଦ ସିରାଜ, ଉମେଶ ଯାଦବ ଓ ଶାର୍ଦ୍ଦୁଲ ଠାକୁର ରହିଛନ୍ତି ।

ଟିମ୍ ଇଣ୍ଡିଆ ଟେଷ୍ଟ ସ୍କ୍ୱାଡ୍‌: ବିରାଟ୍ କୋହଲି (କ୍ୟାପଟେନ୍‌), ଆଜିଙ୍କ୍ୟ ରାହାଣେ (ଭାଇସ୍ କ୍ୟାପଟେନ୍‌), ରୋହିତ୍ ଶର୍ମା, ମୟଙ୍କ ଅଗ୍ରୱାଲ୍‌, ଚେତେଶ୍ୱର ପୂଜାରା, ହନୁମା ବିହାରୀ, ଋଷଭ ପନ୍ତ (ୱିକେଟ୍ କିପର), ଆର୍ ଅଶ୍ୱିନ୍‌, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ୍‌, ୱାଶିଂଟନ୍ ସୁନ୍ଦର, ଯଶପ୍ରୀତ ବୁମ୍ରା, ଈଶାନ୍ତ ଶର୍ମା, ମହମ୍ମଦ ଶାମି, ମହମ୍ମଦ ସିରାଜ୍‌, ଶାର୍ଦ୍ଦୁଲ ଠାକୁର, ଉମେଶ ଯାଦବ । ଲୋକେଶ ରାହୁଲ୍ ଓ ଋଦ୍ଧିମାନ ସାହା (ଉଭୟେ ଫିଟନେସ୍ କ୍ଲିୟର କରିନାହାନ୍ତି) ।