Odia News Portal

ଆଗାମୀ ୨ ମାସ ସତର୍କ ରୁହ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଟିକାକରଣ ପାଇଁ ଓଡିଶା ପ୍ରସ୍ତୁତ । କୋଭିଡ ପରିସ୍ଥିତି ଓ ଟିକାକରଣ ସମ୍ପର୍କରେ ସମୀକ୍ଷା ଅବସରରେ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସାରା ରାଜ୍ୟରେ ବ୍ୟବସାୟିକ ପ୍ରତିଷ୍ଠାନ ଠୁ ନେଇ ଧର୍ମାନୁଷ୍ଠାନ ପର୍ଯ୍ୟନ୍ତ ଖୋଲିଥିବା ବେଳେ ଖୁବଶୀଘ୍ର ଶିକ୍ଷାନୁଷ୍ଠାନ ବି ଖୋଲିବାକୁ ଯାଉଛି । ତେଣୁ ଆଗାମୀ ୨ ମାସ ରାଜ୍ୟବାସୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ୨ ମାସ ସତର୍କତାର ସହ ଚଳିବାକୁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଭିଡ ଟିକା ସମସ୍ତଙ୍କ ମନରେ ନୂଆ ଆଶା ସଂଚାର କରିଛି । ତେଣୁ ଟିକାକରଣ ଚଳିତବର୍ଷର ସବୁଠାରୁ ବଡ କାର୍ଯ୍ୟକ୍ରମ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସେପଟେ ରାଜ୍ୟରେ ଆରୋଗ୍ୟ ହାର ଏବେ ପ୍ରାୟ ୯୯ ପ୍ରତିଶତ ରହିଥିବା ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର । ଗତକାଲି ଠାରୁ ରାଜ୍ୟରେ କୌଣସି କୋଭିଡ ରୋଗୀଙ୍କ ମୃତ୍ୟୁ ହୋଇନଥିବା ଶୁଭସଙ୍କେତ ବୋଲି ପ୍ରଦୀପ୍ତ କହିଛନ୍ତି । ତେବେ ଟିକାକରଣ ପାଇଁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁସାରେ, ଉଭୟ ଘରୋଇ ଓ ସରକାରୀ କ୍ଷେତ୍ରରେ କାର୍ଯ୍ୟରତ ୩ଲକ୍ଷ ୨୮ ହଜାର ୫୬୦ ଜଣ ସ୍ୱାସ୍ଥ୍ୟକର୍ମୀଙ୍କ ଟିକାକରଣ ପାଇଁ ତାଲିକା ପ୍ରସ୍ତୁତ ହୋଇଥିବା ବେଳେ ପୁଲିସ, ମ୍ୟୁନିସିପାଲିଟି କର୍ମଚାରୀ ଓ କୋଭିଡ କାର୍ଯ୍ୟରେ ନିୟୋଜିତ ରାଜସ୍ୱ ବିଭାଗର କର୍ମଚାରୀମାନଙ୍କ ତାଲିକା ପ୍ରସ୍ତୁତ ହୋଇଥିବା ସେ କହିଛନ୍ତି । ଫାଇଭ-ଟି ସଚିବ ଭିକେ ପାଣ୍ଡିଆନ ଏହି ସମୀକ୍ଷା ବୈଠକକୁ ସଂଚାଳନ କରିଥିଲେ ।