Odia News Portal

କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ନବରଙ୍ଗପୁର ବନ୍ଦ :

ଭୁବନେଶ୍ବର : ଡିସେମ୍ବର ୧୪ ତାରିଖରେ ନବରଙ୍ଗପୁର ନାବାଳିକାଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ଏଯାଏଁ ପୋଲିସର ହାତ ଖାଲି ପଡ଼ିଛି । ତେବେ ଦୋଷୀକୁ ଶୀଘ୍ର ଗିରଫ ଦାବୀ ସହ ପୋଲିସର ନିଷ୍କ୍ରିୟତା ପ୍ରତିବାଦରେ ଆଜି କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ନବରଙ୍ଗପୁର ବନ୍ଦ ପାଳନ କରାଯାଉଛି । ତେବେ କର୍ମୀମାନେ ଉତ୍ୟକ୍ତ ହୋଇ ପ୍ରଦୀପ ମାଝୀଙ୍କ ନିର୍ଦ୍ଦେଶକ୍ରମେ ଏକ କାର ଜାଳିଦେବାରୁ ଉତ୍ତେଜନା ସୃଷ୍ଟି ହୋଇଛିା କିନ୍ତୁ ଏହାକୁ ନେଇ ଅନୁତପ୍ତ ନଥିବା ପ୍ରଦୀପ ମାଝି ପ୍ରତିକ୍ରିୟା ରଖିଛନ୍ତି ।

ବିଲ ମଝିରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର ପରେ ପୋଲିସ ଏଯାଏଁ ଦୋଷୀକୁ ଗିରଫ କରି ପାରିନାହିଁ । ପୂର୍ବତନ ସାଂସଦ ତଥା ପିସିସିର ପୂବତନ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀଙ୍କ ଡାକରାରେ କଂଗ୍ରେସ ପକ୍ଷରୁ ୧୨ଘଣ୍ଟିଆ ନବରଙ୍ଗପୁର ବନ୍ଦ ପାଳନ ସମୟରେ ଏକ କାର ଜାଳି ଦେଇଛନ୍ତି ଆନ୍ଦୋଳନକାରୀ । ତେବେ କଂଗ୍ରେସ ନେତା ପ୍ରଦୀପ ମାଝୀ ପେଟ୍ରୋଲ, ଡିଜେଲ ରେଡ଼ି ରଖ, ଡାଇରେକସନ ଯିବ ମାନେ ଯାହା ପାଇବ ଜାଳି ଦେବ, ତେଣିକି ଯାହା ହବ ଦେଖାଯିବ କହି ଫୋନ କଲ କର୍ମୀଙ୍କୁ ଉସକାଇଥିଲେ । ଏହା ପରେ କର୍ମୀମାନେ କାର ଜାଳି ଦେଇଛନ୍ତି ।

ତେବେ ଏ ସମ୍ପର୍କରେ ପଚରାଯିବାରୁ ନିଜ ମନ୍ତବ୍ୟକୁ ନେଇ ଆଦୌ ଅନୁତପ୍ତ ନୁହନ୍ତି ପ୍ରଦୀପ ମାଝି । ସେ କହିଛନ୍ତ ଯେ, ବିଜେଡି ସରକାରରେ ମା, ଭଉଣୀଙ୍କ ଇଜ୍ଜତ ଲୁଟ୍ ହେଉଛି। ଆମେ କଣ ଚୁପ୍ ବସିବୁ, ଆମେ କଣ ଚୁଡ଼ି ପିନ୍ଧିଛୁ । ୧୦ ବର୍ଷରେ ୩୦ ହଜାର ବଳାତ୍କାର ଓ ହତ୍ୟା ଘଟଣା ଘଟିଛି । ଆମ ମା’, ଭଉଣୀ ଶସ୍ତା ନୁହଁନ୍ତି, ଆମେ ଚୁପ୍ ବସିବୁ ନାହିଁ। ଦୋଷୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆ ନ ଯାଇ ଆଇନକୁ ହାତକୁ ନେବା ପାଇଁ ଆମକୁ ସରକାର ବାଧ୍ୟ କରୁଛନ୍ତି । ଗାନ୍ଧି ନୀତିରେ ଆଉ ନ୍ୟାୟ ମିଳିପାରୁନାହିଁ, ତେଣୁ ଆମେ ସୁଭାଷ ନୀତି ଆପଣାଇଲୁ । ନ୍ୟାୟ ପାଇଁ ହିଂସାକୁ ଆପଣାଇବାକୁ ବାଧ୍ୟ ହୋଇଛୁ। ମହାତ୍ମା ଗାନ୍ଧିଙ୍କ ପଥରେ ଚାଲି ଆଜି ଆମେ ହତାଶ ହୋଇଛୁ। ନ୍ୟାୟ ନ ମିଳିଲେ ଆମେ ନ୍ୟାୟ ଛଡ଼ାଇ ନେବୁ ବୋଲି କହିଛନ୍ତି ପ୍ରଦୀପ ମାଝି । ଏଥିସହ ଶାନ୍ତିରେ ନ୍ୟାୟ ନମିଳିଲେ ଅଶାନ୍ତ ହେବ,ଏଥିରେ ମୁଖ୍ୟମନ୍ତ୍ରୀ ଦାୟୀ ରହିବେ ବୋଲି ମଧ୍ୟ ସେ ଚେତାବନୀ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ଗତ ୧୪ ତାରିଖରେ ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ଥାନା ଅଂଚଳ ଗୁମଣ୍ଡଳୀ ଗାଁରେ ଏକ ବିଲ ମଧ୍ୟରୁ ଜଣେ ନାବାଳିକାଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ୧୩ ତାରିଖ ବିଳମ୍ବିିତ ରାତିରେ ୧୬ବର୍ଷର ଜଣେ ନବାଳିକା ପରିଶ୍ରା କରିବାକୁ ଘର ବାହାରକୁ ଯାଇଥିଲେ । କିନ୍ତୁ ଆଉ ଫେରି ନଥିଲେ । ତା ପରଦିନ ସକାଳୁ ବିଲ ମଝିରେ ତାଙ୍କ ମୃତଦେହ ପଡ଼ିଥିବା ଗ୍ରାମବାସୀ ଦେଖିଥିଲେ । ନାବାଳିକାଙ୍କ ମୃତଦେହ ପଡ଼ିଥିବା ସ୍ଥାନରେ ୨ଟି ଯୁବକଙ୍କ ପ୍ୟାଣ୍ଟ ପଡ଼ିଥିଲା । ତେବେ ତାଙ୍କୁ କେହି ଗଣଦୁଷ୍କର୍ମ ପରେ ହତ୍ୟା କରିଥିବା ନାବାଳିକାଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ ।